ଭୁବନେଶ୍ବର/ପର୍ଜଙ୍ଗ/କଙ୍କଡ଼ାହାଡ଼ : ରାଜଧାନୀରେ ଆଲିସାନ ଘର ପାଇଁ ପ୍ଲାନ। ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା। ପୁଳା ପୁଳା ସୁନା ଗହଣା। ପ୍ଲଟ ଉପରେ ପ୍ଲଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଭୁବନେଶ୍ୱର ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ବିଜୟାନନ୍ଦ ନାମରେ ବାରମ୍ବାର ଅଭିଯୋଗ ଆସିବା ପରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚଢ଼ଉ ପାଇଁ ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ସକାଳ ପ୍ରାୟ ୬ଟାରେ କଟକର ୬ ଜଣିଆ ଭିଜିଲାନ୍ସ ଟିମ୍‌ ଶ୍ରୀ ସାହୁଙ୍କ ପର୍ଜଙ୍ଗ ବ୍ଲକ୍ ଡିହଡୋଳ ଗ୍ରାମସ୍ଥିତ ପୈତୃକ ବାସଭବନ ସମେତ ଖଣ୍ଡଗିରିସ୍ଥିତ ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜନ ଅଫିସ୍‌, ଆଇଗିଣିଆସ୍ଥିତ ଘର, ଶ୍ବଶୁର ଘର, ଅନୁଗୁଳ ଭଳି ୬ଟି ସ୍ଥାନରେ ଚଢ଼ଉ କରିଛି।

Advertisment

୬ ପ୍ଲଟ ଶାଳୀ, ୫ଟି ପ୍ଲଟ ଶଳାଙ୍କ ନାମରେ
୪୫ଲକ୍ଷ ବ୍ୟାଙ୍କ ଜମା, ୨ଟି ତିନିମହଲା, ଗୋଟିଏ ଦୁଇ ମହଲା, ୧୪ ପ୍ଲଟ ଠାବ

ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର ଆଇଗିଣିଆରେ ୩ହଜାର ବର୍ଗଫୁଟ୍‌ରୁ ଅଧିକ ଜମିରେ ନିର୍ମିତ ୩ମହଲା କୋଠା ଠାବ କରିଛି। ଯାହାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ସେହିପରି ଅନୁଗୁଳରେ ଥିବା ଏକ ଦୁଇ ମହଲା କୋଠା, ଢେଙ୍କାନାଳରେ ଦୁଇ ମହଲା କୋଠା ଠାବ କରାଯାଇଛି। ଦୁଇଟି କୋଠାର ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ। ଏହାଛଡ଼ା ରାଜଧାନୀ, ଅନୁଗୁଳ ଏବଂ‌ ଢେଙ୍କାନାଳ ପ୍ରମୁଖ ସ୍ଥାନରେ ୧୪ଟି ପ୍ଲଟ ରହିଛି। ତେବେ ୬ଟି ପ୍ଲଟ ଶାଳୀଙ୍କ ନାମରେ ଥିବା ବେଳେ ୫ଟି ପ୍ଲଟ ଶଳାଙ୍କ ନାମରେ ରହିଛି। ଯାହାର ମୂଲ୍ୟ ଅଧ କୋଟିରୁ ଅଧିକ ହେବ। ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଠାବ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟାଲ ଏବଂ ଇନ୍‌ସ୍ୟୁରାନ୍ସ ଜମା ମିଶି ପାଖାପାଖି ୪୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ବାକି କେତେକ ଆକାଉଣ୍ଟର ଯାଞ୍ଚ ଚାଲିଛି।

ଘରୁ ନଗଦ ୧ ଲକ୍ଷ ୮୦ହଜାର ଟଙ୍କା, ୨୩୭ ଗ୍ରାମର ସୁନାଗହଣା, ଦାମୀ ଆସବାବପତ୍ର, ଗୋଟିଏ ଚାରିଚକିଆ ଗାଡ଼ି ଆଦି ଜବତ ହୋଇଛି। ନାଲ୍‌କୋ ଅଞ୍ଚଳରେ ଥିବା ଜ୍ବାଇଁଙ୍କ ଘରେ ବି ଯାଞ୍ଚ କରିଛନ୍ତି ଭିଜିଲାନ୍ସ ଟିମ୍। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ୪କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଭିଜିଲାନ୍ସ ଅଧିକାରୀ ଚଢ଼ଉ ଜାରି ରଖିବା ସହ ସମ୍ପତ୍ତି, ଗହଣା, ବ୍ୟାଙ୍କ ଡିପୋଜିଟ୍‌ ଅଦିର ହିସାବନିକାଶ କରୁଛନ୍ତି। ତେଣୁ ଆୟବହିର୍ଭୂତ ସମ୍ପତ୍ତି ଢେର ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଭିଜିଲାନ୍ସ ବିଭାଗର ୫ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୧୪ଜଣ ଇନ୍ସପେକ୍ଟର, ୨୮ ଜଣ ସବ୍ ଇନ୍ସପେକ୍ଟର ଓ ଜଣ ଏଏସ୍‌ଆଇ ଏହି ଚଢ଼ଉରେ ସାମିଲ ଅଛନ୍ତି।