ଠିକାସଂସ୍ଥାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସୁରକ୍ଷା!

ଦେଉନାହାନ୍ତି ସିଏସ୍‌ଆର୍‌ କାମର ତଥ୍ୟ, ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା

ରାଉରକେଲା : ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଯୋଜନା (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଅବହେଳାରୁ ଅଧିକାଂଶ ପ୍ରକଳ୍ପ ଗ୍ରାମାଞ୍ଚଳ ଲୋକଙ୍କ କାମରେ ଆସୁନି। ନିର୍ମାଣଧୀନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସରୁନି। ଆର୍‌ଡବ୍ଲ୍ୟୁ୍ଏସ୍‌ଏସ୍‌ ଓ ଠିକାସଂସ୍ଥାର ଭିତିରି ସଲାସୁତୁରାରେ ସବୁ କିଛି ଚାଲିଛି। ନିକଟରେ ଭୁବନେଶ୍ବର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀ ନିହାର ରଞ୍ଜନ ଦାସ ଭିଜିଲାନ୍ସ ହାତରେ ଧରାପଡିବା ପରେ ବିଭାଗରେ ଚାଲିଥିବା ଦୁର୍ନୀତି ସାମ୍ନାକୁ ଆସିଛି। ଦୁର୍ନୀତିର ଚେର କେବଳ ଭୁବନେଶ୍ବର ନୁହେଁ ଅନ୍ୟ ସହରକୁ ଲମ୍ବିଛି। ସୁନ୍ଦରଗଡ଼ ଜିଲ୍ଲା ଅଧିକାଂଶ ବସୁଧା ପ୍ରକଳ୍ପ ଲୋକଙ୍କ କାମରେ ଆସୁନି। ପୁଣି ଭୋଲ୍‌ଟାସ୍‌ ଓ ଜେଏମ୍‌ସି ଇଣ୍ଡିଆ ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ଯେଉଁ ମେଗା ପାନୀୟ ପ୍ରକଳ୍ପ କାମ ଚାଲିଛି, ଆଜି ସୁଦ୍ଧା ଗୋଟିଏ ସଂସ୍ଥା ୧୫% ଓ ଅନ୍ୟ ଏକ ସଂସ୍ଥା ୫୦% କାମ କରିଛି। ଅବଶିଷ୍ଟ କାମ କେବେ ସରିବ, ବିଭାଗୀୟ ଅଧିକାରୀଙ୍କ ପାଖରେ ସ୍ପଷ୍ଟ ଉତ୍ତର ନାହିଁ।

କେବଳ ଏତିକି ନୁହେଁ, ଭୋଲ୍‌ଟାସ୍‌ ଓ ଜେଏମ୍‌ସି ଇଣ୍ଡିଆ ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କେଉଁ କେଉଁ ସିଏସ୍ଆର୍‌ (କର୍ପୋଟେ୍‌ ସାମାଜିକ ଦାୟିତ୍ବବୋଧ) କାମ ହୋଇଛି ଏବଂ ଏହା ଦ୍ବାରା ସ୍ଥାନୀୟ ଗ୍ରାମବାସୀ କେତେ ଉପକୃତ ହୋଇଛନ୍ତି – ଏହାର କୌଣସି ତଥ୍ୟ ଆର୍‌ଡବ୍ଲୁ୍ଏସ୍‌ଏସ୍‌ ପାଖରେ ନାହିଁ। ଅର୍ଥାତ୍‌ ଦୁଇଟି କମ୍ପାନୀଙ୍କ କାମ ବିଭାଗୀୟ ଅଧିକାରୀ ଜାଣିପାରୁ ନାହାନ୍ତି! କେବଳ ସିଏସ୍‌ଆର୍‌ କାମ ନୁହେଁ, ଏହି ଦୁଇ ସଂସ୍ଥା ସ୍ଥାନୀୟ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ଲୋକମାନେ ଅଭିଯୋଗ କରୁଛନ୍ତି। ୭୦% ସ୍ଥାନୀୟ ନିଯୁକ୍ତି ପାଇଁ ସରକାରୀ ନିୟମ ରହିଛି। କିନ୍ତୁ ଏହି ଦୁଇଟି କମ୍ପାନୀ ସରକାରଙ୍କର ଏ ନିୟମକୁ ଫୁଃ କରିଦେଇଥିବା ଅଭିଯୋଗ ହେଉଛି। ନିଯୁକ୍ତି ବାବଦରେ ମଧ୍ୟ ବିଭାଗ ପାଖରେ କିଛି ତଥ୍ୟ ନାହିଁ। ଏ ସମ୍ପର୍କିତ ତଥ୍ୟ ସତରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପାଖରେ ନାହିଁ ନା ଦୁର୍ନୀତି ଲୁଚାଇବାକୁ ଅଧିକାରୀମାନେ ଏମିତି କହୁଛନ୍ତି, ଏହାକୁ ନେଇ ସାଧାରଣରେ ସନ୍ଦେହ ଉଠିବା ସ୍ବାଭାବିକ।

ଉଲ୍ଲେଖନୀୟ ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ କୁଆରମୁଣ୍ଡା, ନୂଆଗାଁ, ଲହୁଣିଡା, କୋଇଡା ଓ ଗୁରୁଣ୍ଡିଆରେ ଭୋଲ୍‌ଟାସ୍‌ୱାଟର୍ ସଲ୍ୟୁସନ୍‌ସ ପ୍ରା.ଲି. ଏବଂ ବିଶ୍ରା, ବଣାଇ, ଲାଠିକଟା ଓ ଲହୁଣିପଡାରେ ଜେଏମ୍‌ସି ପ୍ରଜେକ୍ଟ ଇଣ୍ଡିଆ ପ୍ରା.ଲି. ସଂସ୍ଥା ମେଗା ଜଳ ପ୍ରକଳ୍ପର ଠିକା ପାଇଛନ୍ତି। ଭୋଲ୍‌ଟାସ୍‌ ତା’ ଦାୟିତ୍ବରେ ଥିବା ୫ଟି ବ୍ଲକରେ ଗତ ୨୦୨୦ ମାର୍ଚ୍ଚ ୧୯ରୁ କାମ ଆରମ୍ଭ କରିଥିଲା। କାମ ଗତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥାତ୍‌୨ ବର୍ଷରେ ଶେଷ କରିବା ଚୁକ୍ତି ହୋଇଥିଲା। କିନ୍ତୁ ଭୋଲ୍‌ଟାସ୍‌ଧାର୍ଯ୍ୟ ସମୟର ପ୍ରାୟ ୩୦% ଅଧିକ ସମୟ ବିତି ଯାଇଥିଲେ ହେଁ ମାତ୍ର ୫୦% କାମ ସାରିଛି। ଅବଶିଷ୍ଟ ୫୦% କାମ କେବେ ସାରିବ, କାହାରି ପାଖରେ ଉତ୍ତର ନାହିଁ। ସେମିତି ଜେଏମ୍‌ସି ଗତ ୨୦୨୧ ଅଗଷ୍ଟ ୩୧ରେ ପ୍ରକଳ୍ପ କାମ ଆରମ୍ଭ କରିଥିଲା। ଆସନ୍ତା ୨୦୨୩ ଅଗଷ୍ଟ ୩୦ ସୁଦ୍ଧା ସରିବାକୁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏଇ ୧୪ ମାସ ମଧ୍ୟରେ ମାତ୍ର ୧୫% କାମ ଶେଷ ହୋଇଛି। ଅବଶିଷ୍ଟ ୮୫% କାମ ଆସନ୍ତା ୧୦ ମାସ ମଧ୍ୟରେ ସରିବାର କୌଣସି ସମ୍ଭାବନା ଦେଖା ଯାଉନାହିଁ।

ଅନୁରୂପ ଭାବେ ଆର୍‌ଡବ୍ଲୁ୍ଏସ୍‌ଏସ୍‌ ଅଧୀନରେ ବ୍ଲକଗୁଡ଼ିକରେ ହୋଇଥିବା ‘ବସୁଧା’ ଯୋଜନାର ସ୍ଥିତି ବେଶ୍‌ ଉଦ୍‌ବେଗଜନକ। କେଉଁଠି ପାଣି ମାସରେ ୧୦ ଦିନ ଆସୁଛି ତ ଅନ୍ୟ କେଉଁଠି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। କୌଣସି ବ୍ଲକ୍‌ରେ ସବୁଦିନେ ପାଣି ଯୋଗାଣ ହେଉନାହିଁ। ଲାଠିକଟା, ବିଶ୍ରା, ନୂଆଗାଁ, କୁଆରମୁଣ୍ଡା, କୋଇଡା, ବଣାଇଁ, ଗୁରୁଣ୍ଡିଆ, ରାଜଗାଙ୍ଗପୁର ସମେତ ଅନ୍ୟାନ୍ୟ ବ୍ଲକରେ ଓଭରହେଡ୍‌ ଟାଙ୍କି ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛାରେ ପ୍ରକଳ୍ପ ପିଛା ପ୍ରାୟ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। କିନ୍ତୁ ନିମ୍ନମାନର କାମ କାରଣରୁ ଅଧିକାଂଶ ସ୍ଥାନରେ ‘ବସୁଧା’ ଫେଲ୍‌ମାରିଛି। ପ୍ରକଳ୍ପ ପାଇଁ ମଞ୍ଜୁର ହେଉଥିବା ଅର୍ଥର ସଠିକ୍‌ ବିନିଯୋଗ ହେଉନାହିଁ। ସବୁଠି ଦୁର୍ନୀତିର ଗନ୍ଧ ବାହାରୁଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ରେ ବିଗତ ଦିନ ହୋଇଥିବା ପ୍ରକଳ୍ପ ଓ ନିର୍ମାଣଧୀନ ପ୍ରକଳ୍ପ କାମର ଭିଜିଲାନ୍ସ ତଦନ୍ତ ହେଲେ ଏକ ବଡ଼ ଧରଣର ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇପାରନ୍ତା।

ସମ୍ବନ୍ଧିତ ଖବର