ଆର୍‌ଡବ୍ଲୁଏସ୍‌ଏସ୍‌ କେଳେଙ୍କାରୀ: ପାଣି ପ୍ରକଳ୍ପରେ ଗୁପ୍ତ ଟେଣ୍ଡର, ଏସ୍‌ଆର୍‌ସି ଅନୁଦାନ ବି ହଡ଼ପ

ଯାଜପୁର :ଯାଜପୁର ଜିଲ୍ଲାରେ କାର୍ଯ୍ୟକରୁଥିବା ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ(ଚଣ୍ଡିଖୋଲ)ର କେତେକ ଅଧିକାରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ କୋଟିକୋଟି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଅଚଳ ଓ ନିର୍ମାଣାଧୀନ ପ୍ରକଳ୍ପରେ ମଧ୍ୟ ମରାମତି ନାମରେ ମିଥ୍ୟା ବିଲ୍ କରାଯାଇ ଅର୍ଥ ହଡ଼ପ କରାଯାଇଛି। ଏବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ବତନ୍ତ୍ର ରିଲିଫ କମିସନ(ଏସଆରସି) ଯୋଗାଇ ଥିବା ଅନୁଦାନକୁ ମଧ୍ୟ ହଡ଼ପ କରାଯାଇଥିବା ଅଭିଯୋଗରୁ ଜଣାପଡ଼ିଛି। ଫଳରେ, ଜିଲ୍ଲାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ଯାଜପୁର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ମରାମତି ବାବଦରେ ବିଞ୍ଝାରପୁର ବ୍ଲକରେ ୪ବର୍ଷ ୨୦୧୮-୧୯ ରୁ ୨୦୨୧-୨୨ଆର୍ଥିକ ବର୍ଷରେ ମୋଟ ୯୭ ଲକ୍ଷ ୬୭ ହଜାର ୪୭୮ ଟଙ୍କା ବ୍ୟୟ ଦର୍ଶାଯାଇଛି । ଦଶରଥପୁର ବ୍ଲକରେ ଏହି ସମୟରେ ମୋଟ ୧କୋଟି ୪୦ଲକ୍ଷ ୧ହଜାର ୭୨୧ ଟଙ୍କା ମରାମତିରେ ବ୍ୟୟ ହୋଇଛି। ଯାଜପୁର ବ୍ଲକରେ ବି ଗତ ୪ଟି ଆର୍ଥିକ ବର୍ଷରେ ୧କୋଟି ୬ ଲକ୍ଷ ୬ ହଜାର ୪୬୭ ଟଙ୍କା ମରାମତିରେ ବ୍ୟୟ ହୋଇଥିବାର କାଗଜପତ୍ର ହୋଇଛି। ଧର୍ମଶାଳା ବ୍ଲକରେ ୮୮ଲକ୍ଷ ୬୨ ହଜାର ୭୭୮ ଟଙ୍କା ଖର୍ଚ୍ଚ ହୋଇଥିବାର କାଗଜପତ୍ରରେ ଉଲ୍ଲେଖ ଅଛି। ବରୀ ବ୍ଲକରେ ୭୮ଲକ୍ଷ ୨୭ ହଜାର ୪୫୦ଟଙ୍କା, ସୁକିନ୍ଦା ବ୍ଲକରେ ୩୫ ଲକ୍ଷ ୭୨ ହଜାର ୮୭୧ ଟଙ୍କା , କୋରେଇ ବ୍ଲକରେ ୨୨ ଲକ୍ଷ ୭୭ ହଜାର ୩୫୫ ଟଙ୍କା ଓ ଦାନଗଦୀ ବ୍ଲକରେ ୧୭ ଲକ୍ଷ ୨୫ ହଜାର ୩୭୬ ଟଙ୍କା ମରାମତି ବାବଦରେ ବ୍ୟୟ ହୋଇଥିବାର ଦର୍ଶାଯାଇଛି। ସେହିପରି ଗତ ୨ବର୍ଷରେ ରସୁଲପୁର ବ୍ଲକରେ ୪୦ଲକ୍ଷ ୪୫ ହଜାର ୩୦୧ ଟଙ୍କା ଓ ବଡ଼ଚଣା ବ୍ଲକରେ ୨୪ ଲକ୍ଷ ୩୬ ହଜାର ୬୦୬ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଲ୍ ହୋଇଛି। ଜିଲ୍ଲାର ମୋଟ ୧୦ଟି ବ୍ଲକରେ ଜଳ ଯୋଗାଣ ପ୍ରକଳ୍ପ ମରାମତି କାର୍ଯ୍ୟ ପାଇଁ ମୋଟ ୬କୋଟି ୫୧ ଲକ୍ଷ ୨୩ ହଜାର ୪୦୩ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି।

ସେଥିମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନ୍ ଅନୁଦାନ, ଏସ୍‌ଆରସି, ଓଏମ୍‌ ( ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ), ଆରଏମ୍‌ ( ପୁନଃଉଦ୍ଧାର ମରାମତି) ନାମରେ ସରକାରୀ ଅନୁଦାନରେ ବ୍ୟୟ ହୋଇଛି ବୋଲି ସରକାରୀ ତଥ୍ୟକୁ ଜଣାପଡ଼ିଛି। କେବଳ ତିତିଲରେ ଏସ୍‌ଆରସି ଅନୁଦାନ ୧କୋଟି ୫୩ଲକ୍ଷ ୯୭ହଜାର ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। କେବଳ କାଗଜପତ୍ରରେ ଏହି ଅନୁଦାନ ଖର୍ଚ୍ଚ କରି ଅର୍ଥ ହଡ଼ପ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଏହା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବିନାଟେଣ୍ଡରରେ ହୋଇଥିବା ହରିଲୁଟ୍ ଲୋକଲୋଚନକୁ ଆସିପାରିବ ବୋଲି ଏଭଳି କାର୍ଯ୍ୟକୁ ପସନ୍ଦ କରୁନଥିବା ବିଭାଗର କେତେକ କମର୍ଚାରୀ ଓ ଠିକାଦାର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର