ଆରଡବ୍ଲୁଏସ୍‌ଏସ୍‌ କେଳେଙ୍କାରୀ: ତଦନ୍ତ କରିବେ ଲୋକାୟୁକ୍ତଙ୍କ ଟିମ୍‌

୪୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସମୟ ଧାର୍ଯ୍ୟ
ଶୁଣାଣି ବେଳେ ‘ସମ୍ବାଦ’ ଖବରକୁ ନେଇ ଚର୍ଚ୍ଚା

ଯାଜପୁର : ବସୁଧା ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନାମରେ ହୋଇଥିବା ଦୁର୍ନୀତି ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି। ଆଜି ଲୋକାୟୁକ୍ତର ୨ଜଣିଆ ଖଣ୍ଡପୀଠ ଶୁଣାଣି କରି ‘ଡାରେକ୍ଟର ଅଫ୍ ଇନକ୍ବାରି’ ଦ୍ବାରା ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିବା କୋରେଇ ରଣପୁର ପ୍ରକଳ୍ପରେ ପୁରୁଣା ପାଇପ୍‌ ବ୍ୟବହାର ଘଟଣାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ କହିଛନ୍ତି।‌ ଲୋକାୟୁକ୍ତଙ୍କ ଆଜିର ଶୁଣାଣି ପରେ ଆରଡବ୍ଲୁଏସ୍‌ଏସ୍‌ କେଳେଙ୍କାରୀରେ ସାମିଲ ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ହରଡ଼ଘଣାରେ ପଡିଛନ୍ତି। ଶୁଣାଣି ବେଳେ ଅଧିକ ସମୟ ମହଲତ ନେଇ ବିଭାଗୀୟ ଅଧିକାରୀ ପ୍ରସଙ୍ଗକୁ ଟାଳିବାକୁ କରିଥିବା ଯୋଜନା ଫସର ଫାଟିଛି।

ଉଲ୍ଲେଖଯୋଗ୍ୟ ଯେ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍(ଚଣ୍ଡିଖୋଲ) ଅଧୀନ ଧର୍ମଶାଳା ବ୍ଲକ୍ କମାଗଡ଼ ପଞ୍ଚାୟତର ଭରତପୁର ଓ ଗେଙ୍ଗୁଟିଆ ପ୍ରକଳ୍ପକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାରେ ଜବାବ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଜି ପାଇଁ ସମୟ ଦିଆଯାଇଥିଲା। ଲୋକାୟୁକ୍ତରେ ଜବାବ ଦେବାବଦଳରେ ବିଭାଗୀୟ ଅଧିକାରୀ ଅଧିକ ସମୟ ମହଲତ ନେବାକୁ ଯୋଜନା କରିଥିଲେ। ଏହି ପ୍ରକଳ୍ପ ଦୁଇଟିରୁ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଥିବା ନେଇ ମିଥ୍ୟା ରିପୋର୍ଟ ଦିଆଯାଇଥିଲା। ଜବାବ ଦେବାପୂର୍ବରୁ କିଛି ଲୋକଙ୍କ ନିକଟରେ ଯେପରି ପାଣି ପହଞ୍ଚିବ, ସେଥିପାଇଁ ଅଧିକାରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଲାଗି ପଡିଥିଲେ। ଏଭଳି ଜିଲ୍ଲାରେ ଶତାଧିକ ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଭାବେ ଛାଡ଼ି ଅସାଧୁମେଣ୍ଟ ଅନୁଦାନ ଚଳୁ କରି ନେଇଛନ୍ତି। ଯାହାର ଆଉ ଏକ ନମୁନା କୋରେଇ ବ୍ଲକ୍‌ ରଣପୁରରେ ମଧ୍ୟ ଦେଖିବାକୁ ମିଳିଛି। ରଣପୁରରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨କୋଟି ୫୮ଲକ୍ଷ ୧୮ହଜାର ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରି ଠିକାଦାର ଓ ଯନ୍ତ୍ରୀ ଛୁ ମାରିଥିଲେ। ଏବେ ଧରପଗଡ଼ ଆରମ୍ଭ ହୋଇଥିବାରୁ ପୁରୁଣା ପାଇପ ଆଣି କାମ ଆରମ୍ଭ କରିବାକୁ ଯୋଜନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଲୋକାୟୁକ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ‘ଡାରେକ୍ଟର ଅଫ୍ ଇନକ୍ବାରି’ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂହ ଓ ଦେବବ୍ରତ୍ତ ସ୍ବାଇଁ ଆଜି ଶୁଣାଣି କରିଥିଲେ। ଅଭିଯୋଗକାରୀ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ମାମଲା ହେବା ପରେ ଅଚଳ ପ୍ରକଳ୍ପକୁ କିପରି ମରାମତି କରାଯାଉଛି, ତାହାର ଜିଓ ଟ୍ୟାଗିଂ ଫଟୋ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର