ଚର୍ଚ୍ଚାରେ ଜମିର୍‌ଙ୍କ ପାଞ୍ଚବର୍ଷ

୨୦ରେ ସରିବ କାର୍ଯ୍ୟକାଳ, ନୂଆ ରାଜ୍ୟପାଳ ଆସିବା ଯାଏଁ ରହିବେ

ଭୁବନେଶ୍ୱର :ଆସନ୍ତା ୨୦ ତାରିଖ ଦିନ ରାଜ୍ୟପାଳ ଡ. ଏସ୍‌ ସି ଜମିର୍‌ଙ୍କ କାର୍ଯ୍ୟକାଳ ଶେଷ ହେବ। ନିୟମ ଅନୁସାରେ, ନୂଆ ରାଜ୍ୟପାଳ ଯୋଗଦେବା ପର୍ଯ୍ୟନ୍ତ ସେ ଏହି ପଦବିରେ ରହିପାରିବେ। ତେବେ ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ, ତାହାକୁ ନେଇ ସବୁ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି।

ଓଡ଼ିଶା ଉପରେ ବିଜେପି ଆଖି ରଖିଥିବା ଦୃଷ୍ଟିରୁ ଜଣେ ପୋଖତ ରାଜନୈତିକ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଏଠାରେ ଅବସ୍ଥାପିତ କରିପାରନ୍ତି ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛନ୍ତି। ୨୦୧୩ ମାର୍ଚ୍ଚ ୨୧ ତାରିଖ ଦିନ ଡ. ଏସ୍‌ ସି ଜମିର୍‌ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ।

ଏଥିସହିତ ଓଡ଼ିଶାରେ ରାଜ୍ୟପାଳ ଡ. ଜମିର୍‌ଙ୍କ ପାଞ୍ଚବର୍ଷ କାର୍ଯ୍ୟକାଳର ଭଲ ମନ୍ଦ ଦିଗକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ସମୟରେ ରାଜଭବନ ବେଶ୍‌ ଚର୍ଚ୍ଚାକୁ ଆସିଛି। କେତେବେଳେ ବାଚସ୍ପତି, ସଚିବଙ୍କୁ ଡାକି ରାଜ୍ୟପାଳ ବିଧାନସଭାର କାର୍ଯ୍ୟକଳାପ ସଂପର୍କରେ ବିରୋଧୀଙ୍କ ଅଭିଯୋଗ ସଂପର୍କରେ କୈଫିୟତ ମାଗିଛନ୍ତି, ଆଉ କେତେବେଳେ ବିଧାନସଭାରେ ପାରିତ ବିଲ୍‌ ଫେରାଇ ଦେଇଛନ୍ତି ରାଜ୍ୟପାଳ। ବିଶ୍ୱବିଦ୍ୟାଳୟରେ ସଂସ୍କାର ନେଇ ରାଜ୍ୟପାଳ ଖୋଲାଖୋଲି ମତମନ୍ତବ୍ୟ ଦେବା ଲାଗି ପଛଘୁଞ୍ଚା ଦେଇନାହାନ୍ତି।

ଅଭିଜ୍ଞ ରାଜନୀତିଜ୍ଞ ଡ. ଜମିର୍‌ କେବଳ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ ତା ନୁହେଁ, ଓଡ଼ିଶା ପୂର୍ବରୁ ମହାରାଷ୍ଟ୍ର, ଗୁଜରାଟ ଓ ଗୋଆ ଭଳି ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ସ୍ୱାଭାବିକ ଭାବେ ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ଓଡ଼ିଶାରେ ପ୍ରତିଫଳିତ ହୋଇଛି। ବିିଭିନ୍ନ ବୈଠକ ଆଦିରେ ମଧ୍ୟ ରାଜ୍ୟପାଳ ତାଙ୍କର ଓଡ଼ିଶା ସଂପର୍କରେ ମତ ରଖିଆସିଛନ୍ତି।

ରାଜଭବନର ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ରାଜ୍ୟପାଳଙ୍କ ଦୃଷ୍ଟିଭଙ୍ଗୀ ହେଉଛି, ଓଡ଼ିଶାରେ ଗୋଟିଏ ସ୍ଥିର ଓ ଦୃଢ ସରକାର ଅଛି। ଲୋକମାନେ ମୁଖ୍ୟତଃ ଶାନ୍ତିପ୍ରିୟ ଓ ସାମାଜିକ ବିଭେଦ ପ୍ରାୟ ପରିଦୃଷ୍ଟ ହୁଏ ନାହିଁ। ଏଣୁ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇନାହିଁ କିମ୍ବା ଏଠାରେ ସେ କୌଣସି ଆହ୍ଵାନର ସାମ୍ନା କରିନାହାନ୍ତି। ଫଳତଃ କୁଳାଧିପତି ଭାବେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ନେବା ଲାଗି ରାଜ୍ୟପାଳ ଧ୍ୟାନ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟପାଳ ଡ. ଜମିର୍‌ କୁଳପତି ସମ୍ମିଳନୀ ଠାରୁ ଆରମ୍ଭ କରି ବିଭିନ୍ନ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖିବା ବେଳେ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତ୍ତାବରଣ ସୃଷ୍ଟି କରିବା ଓ ପ୍ରଶାସନିକ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଅଧିକ ଗବେଷଣା ହେବା ଉଚିତ୍‌ ବୋଲି ମତ ରଖିଛନ୍ତି। କେବଳ ସେତିକି ନୁହେଁ, କୁଳପତି ଚୟନରେ ସ୍ୱଚ୍ଛତା ଲାଗି ସର୍ଚ୍ଚ କମିଟି ଗଠନ ଓ ନିଜେ ବ୍ୟକ୍ତିଗତ ଭାବେ ଏହି କମିଟି ସୁପାରିସ କରିଥିବା ପ୍ରାର୍ଥୀଙ୍କ ସହିତ ଆଲୋଚନା କରିବା ଘଟଣାକୁ ଅନ୍ୟ ରାଜ୍ୟର ରାଜ୍ୟପାଳମାନେ ମଧ୍ୟ ଅନୁକରଣ କରିଥିବା ରାଜଭବନ ସୂତ୍ରରୁ ପ୍ରକାଶ।

ନିକଟରେ ରାଜ୍ୟପାଳ ଡ. ଜମିର୍‌ କୁଳପତିଙ୍କ ବୈଠକରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରାଜନୀତି ନେଇ ନିଜ ଆଭିମୁଖ୍ୟ ପ୍ରକଟ କରିଥିଲେ। ରାଜ୍ୟର ଦୁଇ ବରିଷ୍ଠ ମନ୍ତ୍ରୀ ଶଶିଭୂଷଣ ବେହେରା, ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ସେ କହିଥିଲେ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କେବଳ ଶିକ୍ଷା ଓ ଗବେଷଣାକୁ ନେଇ ଚର୍ଚ୍ଚାରେ ରହିବା ଉଚିତ୍‌। ରାଜନୀତିର ଛାଇ ପଡ଼ିବା କଥା ନୁହେଁ। ଏହାକୁ କୁଳପତି ଓ ସରକାର ଗୁରୁତ୍ୱ ଦେବା ଉଚିତ୍‌।

ଯଦିଓ ରାଜ୍ୟ ସରକାର-ରାଜ୍ୟପାଳ କେବେ ବି ମୁହାଁମୁହିଁ ହୋଇନାହାନ୍ତି କିମ୍ବା ସେହିଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ, ତଥାପି ଡ. ଜମିର୍‌ ଅନେକ କଠୋର ନିଷ୍ପତ୍ତି ନେବା କ୍ଷେତ୍ରରେ ପଛଘୁଞ୍ଚା ଦେଇନାହାନ୍ତି। ବିଧାନସଭାରେ ସରକାର ଏକତରଫା ଭାବେ ପାରିତ କରିଥିବା ଓଡ଼ିଶା ପୁଲିସ ବିଲ୍‌ ଉପରେ ଆପତ୍ତି ଉଠାଇ ସେ ଏହାକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିଲେ। ଏହି ଘଟଣାରେ ବିରୋଧୀ ଦଳ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସେହିଭଳି ବିପିୟୁଟି ସଂଶୋଧନ ବିଲ୍‌ ଉପରେ ଆପତ୍ତି ଉଠାଇଥିଲେ ରାଜ୍ୟପାଳ। ଏହି ବିଲ୍‌ ରାଜଭବନରୁ ଫେରିଆସିଥିଲା।

ବିଧାନସଭା ବୈଠକ ବାତିଲ୍‌ କରି ଅଧିବେଶନକୁ ନିର୍ଧାରିତ ସମୟ ପୂର୍ବରୁ ବନ୍ଦ କରିଦେବା ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଅବହେଳା, କୁନ୍ଦୁଲି ପର୍ଯ୍ୟନ୍ତ ଯେତେବେଳେ ରାଜନୈତିକ ଦଳର ନେତାମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି, ପ୍ରାୟ ସମସ୍ତଙ୍କ ସହିତ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିବା ମତ ରଖିଛନ୍ତି।

ଏହି ଅଧିବେଶନରେ ସମ୍ଭବତଃ ରାଜ୍ୟପାଳ ଡ. ଜମିର୍‌ ନିଜର ଶେଷ ଅଭିଭାଷଣ ଦେବେ। ଏହା ପରେ ଯେ କୌଣସି ମୁହୂର୍ତରେ ନୂଆ ରାଜ୍ୟପାଳ ନିଯୁକ୍ତି ହେଲେ ତାଙ୍କୁ ଓଡ଼ିଶା ଛାଡିବାକୁ ପଡିପାରେ।

ସମ୍ବନ୍ଧିତ ଖବର