ଭୁବନେଶ୍ବର : ରାଜ୍ୟରେ ଏଫ୍ସିଆଇ ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗରେ ଯେଉଁ ବିବାଦ ଦେଖାଦେଇଥିଲା, ସେ ସଂକ୍ରାନ୍ତରେ ଏକ ନୂଆ କଥା ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ରାଜ୍ୟକୁ ଅବଗତ କରିଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ। କିନ୍ତୁ ଆଜି ସଂସଦରେ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ଯେତେ ବଳକା ଉଷୁନା ଚାଉଳ ଉତ୍ପାଦନ ହେବ, ସେସବୁ ଖାଦ୍ୟ ନିଗମ (ଏଫ୍ସିଆଇ) ସଂଗ୍ରହ କରିବ। ଚଳିତମାସ ୫ ତାରିଖ ସୁଦ୍ଧା ଏଫ୍ସିଆଇ ରାଜ୍ୟରୁ ୪ ଲକ୍ଷ ୯୩ ହଜାର ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିଛି।
୨୦୨୦-୨୧ ରବି ଋତୁ ପାଇଁ ଏଫ୍ସିଆଇ ରାଜ୍ୟରୁ ଉଷୁନା ଚାଉଳ ସଂଗ୍ରହ କରିବ ନାହିଁ ବୋଲି ନେଇଥିବା ନିଷ୍ପତ୍ତି ଉପରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦାନେ ରାଓସାହେବ ଦାଦାରାଓ ରାଜ୍ୟସଭାରେ କହିଛନ୍ତି, ଓଡ଼ିଶା ସମେତ ଉଷୁନା ଚାଉଳ ଉତ୍ପାଦନ କରୁଥିବା ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ତେଲାଙ୍ଗାନା ରାଜ୍ୟରୁ କେନ୍ଦ୍ର ସରକାର ଚାଉଳ ସଂଗ୍ରହ କରି ଟିଡିପିଏସ୍ ଚାଉଳ ବଣ୍ଟନ ପାଇଁ ଚାଉଳ ଉପଲବ୍ଧ କରୁଛନ୍ତି। ଏଥିପାଇଁ ସମ୍ପୃକ୍ତ ରାଜ୍ୟରେ ଥିବା ଆଞ୍ଚଳିକ ଏଫ୍ସିଆଇ ଗୋଦାମ ମଧ୍ୟ ପ୍ରସ୍ତୁତ ରହିଛି। ଓଡ଼ିଶାରେ ଥିବା ଏଫ୍ସିଆଇ ଗୋଦାମରେ ମଧ୍ୟ ପର୍ଯ୍ୟାପ୍ତ ଚାଉଳ ଗଚ୍ଛିତ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ନେଇ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଶ୍ରା ଦାଦାରାଓ ଦର୍ଶାଇଛନ୍ତି ଯେ ଓଡ଼ିଶାରୁ ଏଫ୍ସିଆଇ ଉଷୁନା ଚାଉଳ ସଂଗ୍ରହ କରିବା ନେଇ ଅତୀତରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ବୁଝାମଣା ଆଧାରରେ ଏଫ୍ସିଆଇ ଚାଉଳ ସଂଗ୍ରହ କରିଆସୁଛି। ଏହି ଚାଉଳ ଟିଡିପିଏସ୍ ବଣ୍ଟନ ଓ ଅନ୍ୟ କଲ୍ୟାଣମୂଳକ ଯୋଜନାରେ ଗରିବଙ୍କୁ ଚାଉଳ ଯୋଗାଣରେ ବିନିଯୋଗ କରାଯାଉଛି। ଏବେସୁଦ୍ଧା ଓଡ଼ିଶାରୁ ସଂଗୃହୀତ ଚାଉଳରୁ ୪.୪୫ ଲକ୍ଷ ମେଟ୍ରିକ୍ ଟନ୍ ଅନ୍ୟ ରାଜ୍ୟକୁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି।