ଅନୁଗୁଳ: ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। ଏହି ଅଭୟାରଣ୍ୟ ମହାବଳ ବାଘ ବଂଶ ବିସ୍ତାର ପାଇଁ ଏକ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଥିଲା। ୨୦୦୪ ମସିହାବେଳକୁ ସାତକୋଶିଆରେ ୧୮ଟି ମହାବଳ ବୁଲୁଥିଲେ। ମାତ୍ର ଆବଶ୍ୟକ ସୁରକ୍ଷା ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ତା’ର ଗୁରୁତ୍ୱ ହରାଇ ବସିଛି। ପୁନଃ ବାଘବଂଶ ବିସ୍ତାର ଯୋଜନା ଫଳପ୍ରଦ ହୋଇନାହିଁ। ନିକଟରେ ରାଜ୍ୟର ଅନ୍ୟ ଅଭୟାରଣ୍ୟକୁ ମହାବଳ ଅଣାଯିବ ବୋଲି ଯୋଜନା ହୋଇଛି। ସାତକୋଶିଆ କିନ୍ତୁ ଏ କ୍ଷେତ୍ରରେ ଭରସା ହରାଇଛି।

Advertisment

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ୨୦୦୭ ମସିହା ଡିସେମ୍ବର ୩୧ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା‌ ପାଇଥିଲା। ପୂର୍ବରୁ ଏଠାରେ ୧୮ଟି ମହାବଳ ରହିଥିବା ତଥ୍ୟ କହୁଛି। କିନ୍ତୁ ଶିକାରୀଙ୍କ ଦ୍ବାରା ଶିକାର ହେବା ସହ ବିଭିନ୍ନ କାରଣରୁ ସାତକୋଶିଆ ମହାବଳଶୂନ୍ୟ ହୋଇପଡ଼ିଥିଲା। ଏହି ବ୍ୟାଘ୍ର ପ୍ରକଳ୍ପର ଗୌରବ ଫେରାଇ ଆଣିବାକୁ ଏଠାକୁ ୬ଟି ମହାବଳ ଆଣିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୧୮ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ଓ କାହ୍ନା ଜାତୀୟ ଉଦ୍ୟାନରୁ ମହାବଳ ବାଘକୁ ସାତକୋଶିଆକୁ ଅଣାଯାଇଥିଲା। କିନ୍ତୁ କର୍ତ୍ତୃପକ୍ଷ ଅଣ୍ଡିରା ମହାବଳକୁ ଆବଶ୍ୟକ ସୁରକ୍ଷା ଯୋଗାଇ ପାରିନଥିଲେ। ଶିକାରୀଙ୍କ ଫାଶରେ ପଡ଼ି ଅଣ୍ଡିରା ମହାବଳ ପ୍ରାଣ ହରାଇଥିଲା। ଅନ୍ୟପାଖରେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାଘୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶକୁ ଫେରାଇ ନିଆଗଲା। ଫଳରେ ସେହିଦିନଠାରୁ ସାତକୋଶିଆ ନିଜର ଗୁରୁତ୍ବ ହରାଇ ବସିଥିଲା। ତେବେ ପୁଣିଥରେ ଏଠାକୁ ମହାବଳ ଆଣିବା ପାଇଁ ଅଭୟାରଣ୍ୟ ମଧ୍ୟରେ ଥିବା କେତେକ ଗାଁକୁ ସ୍ଥାନାନ୍ତର କରାଯାଇଛି।

ଆଶା କରାଯାଉଥିଲା ଖୁବ୍ ଶୀଘ୍ର ସାତକୋଶିଆରେ ପୁଣି ମହାବଳଙ୍କ ହେଣ୍ଟାଳ ଶୁଣାଯିବ। ଏନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ନିକଟରେ ଏଠାକୁ ମହାବଳ ଆସିବେ ନାହିଁ ବୋଲି ଜଣାପଡ଼ିଛି। ଅଗଷ୍ଟମାସ ସୁଦ୍ଧା ଦେବ୍ରିଗଡ଼କୁ ଦୁଇଟି ବାଘୁଣୀ ସହ ଗୋଟିଏ ଅଣ୍ଡିରା ମହାବଳ ଓ ଶିମିଳିପାଳକୁ ଅକ୍ଟୋବର ସୁଦ୍ଧା ଦୁଇଟି ବାଘୁଣୀ ଆସିବେ ବୋଲି ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି। କିନ୍ତୁ ସାତକୋଶିଆ ବ୍ୟ‌ାଘ୍ର ପ୍ରକଳ୍ପକୁ ଗୋଟିଏ ହେଲେ ମହାବଳ ମିଳିଲା ନାହିଁ। ତେ‌ଣୁ ଏଠାକୁ ପୁନର୍ବାର ମହାବଳ ଆଣି ସେମାନଙ୍କୁ ବିପଦରେ ପକାଇବାକୁ ଆଉ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଚାହିଲେନି ବୋଲି କୁହାଯାଉଛି। ତେଣୁ ସାତକୋଶିଆ ମହାବଳଶୂନ୍ୟ ହୋଇ ରହିଗଲା ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି। ତେବେ ଏ ସଂପର୍କରେ ଅନୁଗୁଳ ଆର୍‌ସିସିଏଫ୍‌ ସୁଧାଂଶୁ ଶେଖର ଖରାଙ୍କୁ ପଚାରିବାରୁ ‘ ଏ ନେଇ ଆଲୋଚନା ଚାଲିଛି, ଯଦି କିଛି ଖବର ଆସିବ ଆମେ ଜଣାଇବୁ’ ବୋଲି ସେ କହିଛନ୍ତି।