ଭୁବନେଶ୍ବର: ସାବାଡ୍ ହେବେ ଉତ୍ପାତିଆ ହାତୀ। ଜନବସତିରେ ପଶି ଲୋକଙ୍କ ଘରଦ୍ବାର ଭାଙ୍ଗୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ପ୍ରଥମେ ସେମାନଙ୍କଠାରେ ରେଡିଓକଲାର୍ ଯନ୍ତ୍ର ଖଞ୍ଜାଯାଇ ଗତିବିଧି ଉପରେ ନଜର ରଖାଯିବ। ସେମାନେ କେଉଁ ଆଡ଼େ ଯାଉଛନ୍ତି? କେତେ ଲୋକଙ୍କ ଘରଦ୍ବାର ଭାଙ୍ଗୁଛନ୍ତି? କ୍ଷୟକ୍ଷତି ପରିମାଣ କେତେ? ଏଭଳି ବିଭିନ୍ନ ବିଷୟର ଅନୁଧ୍ୟାନ କରାଯିବ। ରେଡିଓକଲାର୍ ଲାଗିବା ପରେ ଯଦି ହାତୀ ବୋଲ ନ ମାନି ଉତ୍ପାତ କରେ ତେବେ ତାକୁ ଅଭୟାରଣ୍ୟ ଭିତରେ ଆବନ୍ଧ କରି ରଖାଯିବ। ହାତୀଟି ଯେପରି ଜଙ୍ଗଲ ବାହାରକୁ ନ ଯାଏ ବନ ବିଭାଗ କର୍ମଚାରୀ ୨୪ ଘଣ୍ଟିଆ ନଜର ରଖିବେ। ସେଥିରେ ଯଦି ସୁଫଳ ନ ମିଳିଲା ତେବେ ହାତୀକୁ କରାୟତ କରାଯାଇ ସ୍ବତନ୍ତ୍ର ତାଲିମ ଦିଆଯିବ। ଓଡ଼ିଶାର ଜଙ୍ଗଲରେ ଥିବା ଉତ୍ପାତିଆ ହାତୀଙ୍କୁ ସାବାଡ୍ କରିବାକୁ ବନ ବିଭାଗ ଏଭଳି ଯୋଜନା ପ୍ରସ୍ତୁତ କରିଛି।
ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ହାତୀଙ୍କ ପ୍ରୋଫାଇଲିଂ ପ୍ରସ୍ତୁତ ଆରମ୍ଭ ହେଉଛି। କେଉଁ ଅଭୟାରଣ୍ୟରେ କେତୋଟି ହାତୀ ଧନଜୀବନ ନଷ୍ଟ କରୁଛନ୍ତି ତାହାର ତାଲିକା ପ୍ରସ୍ତୁତି ଚାଲିଛି। କେନ୍ଦୁଝର ଜିଲ୍ଲାରେ ଦୁଇଟି ଉତ୍ପାତିଆ ହାତୀଙ୍କୁ ଚିହ୍ନଟ କରାଯାଇଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ମଧ୍ୟ ଦୁଇଟି ହାତୀ ରହିଛନ୍ତି, ଯେଉଁମାନଙ୍କ ପ୍ରୋଫାଇଲିଂ ଆରମ୍ଭ ହୋଇଛି। ସେମାନେ କେଉଁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି ଏବଂ କେତେ କ୍ଷୟକ୍ଷତି କରୁଛନ୍ତି ତାହାର ତାଲିକା ପ୍ରସ୍ତୁତ ହୋଇଛି। ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ଅଭୟାରଣ୍ୟରେ ଉତ୍ପାତିଆ ହାତୀଙ୍କ ପ୍ରୋଫାଇଲିଂ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ହାତୀଙ୍କ ବେକରେ ରେଡିଓକଲାର ଲଗାଇବା ପ୍ରକ୍ରିୟାକୁ ଫଳପ୍ରଦ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୱାଇଡ୍ଲାଇଫ୍ ଅଫ୍ ଇଣ୍ଡିଆ(ଡବ୍ଲୁଆଇଆଇ) ସହାୟତାରେ ବନ ବିଭାଗ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଡବ୍ଲୁଆଇଆଇର ବିଶେଷଜ୍ଞଙ୍କ ସହ ଦକ୍ଷିଣ ଆଫ୍ରିକାର ହାତୀ ବିଶେଷଜ୍ଞ ସାମିଲ ହେବେ। ଗୋଟିଏ ସପ୍ତାହ ଧରି ଚାଲିବାକୁ ଥିବା ତାଲିମରେ ପ୍ରାଣୀ ଚିକିତ୍ସକ, ବନଖଣ୍ତ ଅଧିକାରୀ, ସହକାରୀ ବନଖଣ୍ଡ ଅଧିକାରୀମାନେ ସାମିଲ ହେବେ। ୩୦ଜଣ ସାମିଲ ହେବାକୁ ଥିବା ବେଳେ ସେଥିମଧ୍ୟରେ ୫୦% ପ୍ରାଣୀ ଚିକିତ୍ସକ ରହିବେ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ସେମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ତାଲିମ ନେଇଥିବା ଅଧିକାରୀଙ୍କୁ ସାତକୋଶିଆ କିମ୍ବା ଦେବ୍ରିଗଡ଼ ଅଭୟାରଣ୍ୟକୁ ନିଆଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଉତ୍ପାତିଆ ହାତୀଙ୍କ ଦ୍ବାରା ବହୁ ଧନଜୀବନ ନଷ୍ଟ ହେଉଛି। ସେମାନେ ଲୋକଙ୍କ ଘର ଭାଙ୍ଗୁଛନ୍ତି। ଫସଲ ନଷ୍ଟ କରୁଛନ୍ତି। କେତେକ ସ୍ଥାନରେ ହାତୀମାନେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉନ୍ତି। ଏଭଳି ସମସ୍ୟା ଏଡ଼ାଇବା ସହ ଘଞ୍ଚ ଜଙ୍ଗଲରେ ହାତୀଙ୍କ ଗତିବିଧି ଓ ସେମାନଙ୍କ ବାସସ୍ଥଳୀ ଉପରେ ନଜର ରଖିବାକୁ ଜଙ୍ଗଲରେ ଡ୍ରୋନ୍ ମୁତୟନ ହୋଇଛି। ହାତୀ ଯଦି କୌଣସି ସ୍ଥାନରେ ଜନବସତି ଆଡ଼କୁ ମାଡ଼ି ଯାଉଥିବା ନଜରକୁ ଆସୁଛି, ବନ କର୍ମଚାରୀ ସେଠାରେ ପହଞ୍ଚି ତୁରନ୍ତ ଘଉଡ଼ାଉଛନ୍ତି। ଡ୍ରୋନ୍ ପ୍ରୟୋଗରେ ସଫଳତା ମିଳିଥିଲେ ମଧ୍ୟ ଉତ୍ପାତିଆ ହାତୀଙ୍କ ଉପରେ ରୋକ ଲଗାଯାଇପାରି ନାହିଁ। ରେଡିଓକଲାର୍ ଯନ୍ତ୍ର ଖଞ୍ଜାଯାଇ ସେମାନଙ୍କ ଗତିବିଧି ଓ ଆଚରଣ ନିରୀକ୍ଷଣ କରାଯିବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ହାତୀଙ୍କ ପାଇଁ ଏକ ଉଦ୍ଧାର କେନ୍ଦ୍ର(ରେସ୍କ୍ୟୁ କେନ୍ଦ୍ର) ଏବେ କାର୍ଯ୍ୟକ୍ରମ ହେଉଥିବା ଅଧିକାରୀ ଜଣକ କହିଛନ୍ତି।