ଇଂରାଜି ତ୍ରୁଟି ପାଇଁ ସଅର ଜାତି ସଂରକ୍ଷଣରୁ ବଞ୍ଚିତ

ଲୋକଙ୍କ ପାଇଁ ବ୍ୟୟ ବରାଦ କମୁଛି: ସୌମ୍ୟରଞ୍ଜନ, ହୋ’ହଲ୍ଲା ଓ ନାରାବାଜି ଭିତରେ ଖର୍ଚ୍ଚ ଦାବି ଗୃହୀତ

ଭୁବନେଶ୍ବର : ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା (ପାଖାପାଖି ୯୧%) ଅନୁପାତରେ ବଜେଟରେ ବ୍ୟୟ ବରାଦ କମିଯାଉଛି। ବଜେଟରେ ସେମାନଙ୍କ ପାଇଁ ଅଧିକ ଅର୍ଥ ବରାଦ ହେବା ଆବଶ୍ୟକ।

ଆଦିବାସୀଙ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ନଦନଦୀର ଜଳକୁ ସେମାନଙ୍କ ବ୍ୟବହାର ପାଇଁ ପ୍ରଥମେ ବ୍ୟବସ୍ଥା କରାଯାଉ। ପରେ ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଅନୁମତି ଦେବା ସମୀଚିନ ହେବ। ଆଜି ବିଧାନସଭାରେ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ଏପରି ପ୍ରସ୍ତାବ ଦେଇଥିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କେବଳ ସେତିକି ନୁହେଁ, ବ୍ରିଟିସମାନେ ନିଜ ସୁବିଧା ପାଇଁ ଇଂରାଜିରେ କରିଥିବା ତ୍ରୁଟି ଯୋଗୁଁ କାହିଁକି ସଅର ଜାତି ସଂରକ୍ଷଣରୁ ବଞ୍ଚିତ ହେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଇଂରାଜି ଭାଷାରେ ଥିବା ତ୍ରୁଟି ଯୋଗୁଁ ରାଜ୍ୟରେ ଥିବା ଅନେକ ବର୍ଗର ଜନଜାତି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ପରାଧୀନ ଭାରତରେ ବ୍ରିଟିସ ସରକାରକୁ ଯେଭଳି ସୁବିଧା ହେଉଥଲା ଓଡ଼ିଆ ଶବ୍ଦକୁ ସେହିପରି ତ୍ରୁଟିପୂର୍ଣ୍ଣ ଭାବେ ବ୍ୟବହାର କରିଆସୁଥିଲା। ସେ ଧାରା ଏବେ ବି ଜାରି ରହିଛି। ଇଂରାଜି ଶବ୍ଦ ‘ଓ’ କୁ ଓଡ଼ିଆ ଭାଷାରେ ‘ଅ’ରେ ରୂପାନ୍ତରିତ କରିବା ନ୍ୟାୟରେ ଶ୍ରୀ ପଟ୍ଟନାୟକ କହିଥିଲେ ସଅର ଶବ୍ଦଟି ଇଂରାଜିରେ ସଓରା ହୋଇଥିବାରୁ ସେ ଜାତିର ୧୫ ଲକ୍ଷ ଲୋକ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ପଡ଼ିଛନ୍ତି। ଏପରି ଶବ୍ଦଗତ ତ୍ରୁଟିକୁ ସରକାର ସଂଶୋଧନ କରିବା ଦରକାର। ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଳିକୁ ‘ଅଉଲ’ ଓ କେନ୍ଦୁଝରକୁ ଇଂରାଜିରେ ‘କେଉଁଝର’ କୁହାଯାଉଛି। ଏହାସତ୍ତ୍ବେ ଓଡ଼ିଆ ଭାଷ‌ାରେ ଏହାକୁ ଯଦି ଆଳି ଏବଂ କେନ୍ଦୁଝର କୁହାଯାଇପାରୁଛି ତାହାହେଲେ ସଓରାକୁ କାହିଁକି ଓଡ଼ିଆରେ ସଅର କରାଯାଇ ପାରିବ ନାହିଁ। ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀଙ୍କ ହୋହଲ୍ଲା ଭିତରେ ବିଭାଗୀୟ ଖର୍ଚ୍ଚ ଦାବି ଆେଲାଚନା ଆରମ୍ଭ େହାଇଥିଲା। ଆଲୋଚନା ଆରମ୍ଭ କରି ବିଜେଡି ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟରେ ଏସସି.ଏସଟି ଓ ସଂଖ୍ୟାଲଘୁ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ବାବଦରେ ୨୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅଥଚ ଖୋଦ ଏହି ବିଭାଗ ପାଇଁ ମାତ୍ର ୩ ହଜାର ୬୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ମୋଟ ଜନ ସଂଖ୍ୟାର ଏକ ବ଼ଡ଼ ଭାଗ ଲୋକ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗର। ଯେଉଁ ବିଭାଗ ଏତେଗୁଡ଼ିଏ ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି ସେହି ବିଭାଗ ପାଇଁ ବ୍ୟୟ ବରାଦ ଗତି କିଛି ବର୍ଷ ଧରି କମି କମି ଯାଉଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଚଳିତ ବର୍ଷ ବଜେଟରେ ଏହି ବିଭାଗ ପାଇଁ ବ୍ୟୟ ବରାଦ କରାଯାଇଥିବା ଅର୍ଥ ପୂର୍ବ ଦୁଇବର୍ଷ ଅପେକ୍ଷା ଅଧିକ ହୋଇଛି ସତ କିନ୍ତୁ ପୂର୍ବ ବର୍ଷମାନଙ୍କରେ ଏହି ବିଭାଗ ପାଇଁ ୩% ହାରରେ ବ୍ୟୟ ବରାଦ କରାଯାଉଥିବାବେଳେ ଏହି ବର୍ଷ କମି ମାତ୍ର ୨.୬% ହୋଇଛି। ଏହାକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ଏ ରାଜ୍ୟରେ ସବୁଠୁ ଅଧିକ ଦରିଦ୍ର, ଅନାହାର ଓ ସେଥିଯୋଗୁଁ ପିଲାବିକ୍ରି କରିବାକୁ ପଛାନ୍ତି ନାହିଁ ବୋଲି ପୂର୍ବରୁ ଓଡ଼ିଶା ସମ୍ପର୍କରେ ଲୋକଙ୍କ ଧାରଣା ଥିଲା। କିନ୍ତୁ ଆଜି ସେ ଅବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ କ୍ଷୁଧା ମୁକ୍ତ କରିବାରେ ସଫଳ ହୋଇଛନ୍ତି। ସେଥିପାଇଁ ସେ ଅଭିନନ୍ଦନର ପାତ୍ର। ଜନଜାତିଙ୍କୁ ସେମାନଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ସଫଳତା ପାଇଛନ୍ତି। ଯେଉଁଥିପାଇଁ ସେ ୫ମ ଥର ପାଇଁ ପୁଣି ଥରେ ଶାସନକୁ ଫେରିଛନ୍ତି। କ୍ଷୁଧାମୁକ୍ତି ଅଭିଯାନ ପରେ ବିକାଶକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ରାଜ୍ୟର ଦାରିଦ୍ର୍ୟ ହାର କମି କମି ଯାଉଛି। ଜନଜାତିମାନଙ୍କର ଶିକ୍ଷାର ବିକାଶ ହୋଇଛି। ବିଶେଷକରି ମହିଳାଙ୍କ ଶିକ୍ଷା ଓ ସାକ୍ଷରତା ହାର ବଢ଼ିଛି। ସବୁ ପ୍ରକାର ସାମାଜିକ ପ୍ରସଙ୍ଗରେ ମହିଳାମାନେ ଆଜି ସଚେତନ ହୋଇପାରିଛନ୍ତି। ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ କେବଳ ରାଜନୈତିକ ସ୍ତରରେ କ୍ଷମତା ଦେଇନାହାନ୍ତି ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମିଲ କରି ସୁନାମ ଅର୍ଜନ କରିଛନ୍ତି।

ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଆଉ ଗୋଟିଏ ପ୍ରସ୍ତାବ ଦେଇ କହିଥିଲେ, ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାରକୁ ସୁରକ୍ଷା ଦେବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଶିଳ୍ପଠାରୁ ଅର୍ଥ ଆଣି ସେମାନଙ୍କ ପାଇଁ ବ୍ୟାରେଜ ନିର୍ମାଣ କରିଛନ୍ତି। ସେହିପରି ଆମ ରାଜ୍ୟରେ ବି ଆଦିବାସୀ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ନଦ ନଦୀମାନଙ୍କର ଜଳ ସେହି ଜନଜାତିମାନଙ୍କ ବ୍ୟବହାରରେ ଆସିପାରୁନି। ଶିଳ୍ପ ପାଇଁ ଜଳ ବ୍ୟବହାର ହେଉ କିନ୍ତୁ ଯେଉଁ ଜନଜାତିମାନଙ୍କ ଅଞ୍ଚଳ ଦେଇ ନଦୀ ଜଳ ପ୍ରବାହିତ ହେଉଛି ଆଗ ସେମାନଙ୍କ ବ୍ୟବହାର ପାଇଁ ସେ ଜଳକୁ ବିନିଯୋଗ କରାଯାଉ। ପରେ ଶିଳ୍ପ ପାଇଁ ଜଳ ଯୋଗାଇ ଦିଆଯାଉ। ଏହାଫଳରେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିପାରିବ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଖଣି ଖାଦାନ ଅଞ୍ଚଳରେ ଥିବା ଆଦିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ଅର୍ଥରେ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଯେପରି ଖର୍ଚ୍ଚ ହେବା କଥା ହୋଇପାରିନି। ଏପରିକି ଖଣିଜ ଆଇନ ଉଲଂଘନରେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ପାଇଥିବା ୧୪ ହଜାର କୋଟି ଟଙ୍କାରୁ ୧୦% ଅର୍ଥ ଖର୍ଚ୍ଚ ହୋଇପାରିନଥିବା ନେଇ ଶ୍ରୀ ପଟ୍ଟନାୟକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଲୋଚନାରେ ଭାଗ ନେଇ ବିଜେଡି ସଦସ୍ୟ ରମେଶ ଚନ୍ଦ୍ର ବେହେରା କହିଥିଲେ, ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ସରକାର ସାରା ଭାରତରେ ରେକର୍ଡ଼ ସୃଷ୍ଟି କରିଛନ୍ତି। ୪ ଲକ୍ଷ ୩୦ ହଜାର ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ବ୍ୟକ୍ତିଗତ ଜମି ପଟ୍ଟା ବଣ୍ଟନ କରାଯିବା ସହ ୬ ହଜାର ୫୬୪ଟି ଗୋଷ୍ଠୀଗତ ପଟ୍ଟା ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରି ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ବେଷା କାର୍ଯ୍ୟକ୍ରମ ଜରିଆରେ ୧୭ଟି ଜିଲ୍ଲାରେ ଆବାସିକ ବିଦ୍ୟାଳୟ ଖୋଲାଯିବା ସହ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଇଂରାଜି ଭାଷାରେ ପାଠ ପଢ଼ାଇବାକୁ ବ୍ୟବସ୍ଥା କରାଯାଇଛି।

ଆଲୋଚନା ଶେଷରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତର ରଖି କହିଥିଲେ, ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବର୍ଗର ସାମାଜିକ, ଅର୍ଥନୈତିକ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମମାନ କାର୍ଯ୍ୟକାରି କରୁଛନ୍ତି। ଏହି ଧାରା ଆଗକୁ ବି ଜାରି ରହିବ। ଏଥିସହ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୩ ହଜାର ୬୨୪ କୋଟି ୮୩ ଲକ୍ଷ ୭୧ ହଜାର ଟଙ୍କାର ଖର୍ଚ୍ଚଦାବି ଗୃହର ଅନୁମୋଦନ ଲାଭ କରିଥିଲା।

ସମ୍ବନ୍ଧିତ ଖବର