କୋରାପୁଟ: ହଜାରହଜାର ଭକ୍ତଙ୍କ ଭାବ ଓ ଭକ୍ତିର ରଜ୍ଜୁରେ ଟାଣି ହୋଇ ଆଜି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭାଇଭଉଣୀକୁ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବା ଶ୍ରୀଜଗନ୍ନାଥ ଗହଳି ଲଗାଇ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ମୁହାଁ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତି ଓ ପ୍ରବଳ ବର୍ଷା ସତ୍ତ୍ବେ ଆଜି ଚତୁର୍ଦ୍ଧାମୂର୍ତ୍ତି ସଅଳ ଆସି ରଥ ଚକଡ଼ାରେ ପହଞ୍ଚି ଯାଇଛନ୍ତି। ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବା ପରେ ଅଧରପଣା ନୀତି ହେବ ବୋଲି ଜଣାପଡ଼ିଛି।

Advertisment

ଗୁଣ୍ଡିଚା ମନ୍ଦିରରେ ଆଜି ସକାଳୁ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ଶେଷ ହେବାପରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଆରମ୍ଭ ହୋଇଥିଲା ପହଣ୍ଡି। ଛେରାପହଁରା ପରେ ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା ରଥଟଣା। ସେତେବେଳକୁ ଗୁଣ୍ଡିଚା ବାଡ଼ି ଭକ୍ତଙ୍କ ଗହଳିରେ ପୂରି ଉଠିଥିଲା। ଶ୍ରଦ୍ଧାଳୁ ପ୍ରବଳ ବର୍ଷା ସତ୍ତ୍ବେ ରଥ ଟାଣିବା ପାଇଁ ପହଞ୍ଚିଥିଲେ। ହରିବୋଲ, ହୁଳହୁଳି, ଘଣ୍ଟ, କାହାଳୀ ଧ୍ବନି ଭିତରେ ପ୍ରଥମେ ଗଡ଼ିଥିଲା ବଡ଼ଠାକୁରଙ୍କ ରଥ। ପରେ ପରେ ଦେବୀ ସୁଭଦ୍ରା ଓ ପରେ କାଳିଆଠାକୁରଙ୍କ ରଥ ଆଗକୁ ଆଗକୁ ଯାଇଥିଲା। ବାଟରେ ମାଉସୀ ମା’ଙ୍କ ପାଖରୁ ପୋଡ଼ପିଠା ଖାଇବାକୁ ଭୁଲି ନ ଥିଲେ ହଟିଆ ଠାକୁର। ଅପରାହ୍ନ ପ୍ରାୟ ୩ଟା ବେଳେ ବଳଭଦ୍ରଙ୍କ ରଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଯାଇଥିଲା। ଦେବୀ ସୁଭଦ୍ରାଙ୍କ ରଥ ୪ଟାରେ ଓ ପ୍ରଭୁ ଜଗନ୍ନାଥଙ୍କ ରଥ ୫ଟା ୫ମିନିଟ୍‌ରେ ପହଞ୍ଚିଥିଲା। ରଥ ଲାଗିବା ପରେ ରଥାରୂଢ଼ ଠାକୁରଙ୍କ ବିଭିନ୍ନ ନୀତି ହୋଇଥିଲା। ଠାକୁରଙ୍କ ସନ୍ଧ୍ୟା ଆଳତି ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ବଡ଼ଦାଣ୍ଡରେ ରହିଥିଲେ। ଆଜି ସକାଳୁ ବର୍ଷା ଲାଗି ରହିଥିଲା ବେଳେ ରଥଟଣା ବେଳକୁ ତୀବ୍ର ହୋଇଥିଲା। ଏପଟେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରଥଟଣା ପୂର୍ବରୁ ଜାତୀୟ ରାଜପଥରୁ ଟ୍ରାଫିକ ହଟାଯିବା ସହ ସିଲ କରି ଦିଆଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କଟକଣା ରହିଥିଲା। ଏହା ବ୍ୟତୀତ କିଛି ରାସ୍ତାରେ ଟ୍ରାଫିକ କଟକଣା ଲାଗୁ ହୋଇଥିଲା।

ରଥ ଆଜି ଚକଡ଼ାରେ ପହଞ୍ଚିଥିଲା ବେଳେ ଆସନ୍ତାକାଲି ତିନିଠାକୁର ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପରେ ସନ୍ଧ୍ୟା ଆଳତି କରାଯାଇ ଅଧରପଣା ନୀତି ସ˚ପାଦିତ ହେବ। ପରଦିନ ଠାକୁର ରଥରୁ ଓହ୍ଲାଇ ଶ୍ରୀମନ୍ଦିରକୁ ପହଣ୍ଡି ହୋଇ ଯିବେ। ରାତି ସୁଦ୍ଧା ଠାକୁରଙ୍କୁ ରତ୍ନ ସି˚ହାସନରେ ବିଜେ କରାଇବାକୁ ନିର୍ଘଣ୍ଟ ତିଆରି
କରିଛି ମନ୍ଦିର ପ୍ରଶାସନ।