ଜଳେଶ୍ୱର: ଘରେ ହଠାତ୍‌ ନିଆଁ ଲାଗିଗଲା। ପଡ଼ୋଶୀ ଓ ଘର ପାଖ କଲେଜ ଛାତ୍ରଛାତ୍ରୀ ନିଆଁ ଲିଭାଇବାକୁ ଆସି ପହଞ୍ଚିଗଲେ। ନିଆଁ ଲିଭାଇବା ସମୟରେ ୫ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଜଣେ ଛାତ୍ରୀ ସାହସ ଦେଖାଇ ନିଆଁ ଭିତରୁ ଜଣେ ଶିଶୁକୁ ଉଦ୍ଧାର କରିଛନ୍ତି।
ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଖୁଲୁଡ଼ା ଗାଁରେ ରହୁଛନ୍ତି କେଦାରନାଥ ସାହୁ, ସଞ୍ଜୟ ସାହୁ ଓ ଅଜୟ ସାହୁଙ୍କ ପରିବାର। ଘର ସଦସ୍ୟମାନେ ଆଜି ବାହାରକୁ କାମ କରିବା ପାଇଁ ଯାଇଥିବା ବେଳେ ‌ଜଣେ ମହିଳା ଓ ତାଙ୍କ ଭାଇ ସଞ୍ଜୟ ସାହୁଙ୍କ ୫ ବର୍ଷର ପୁଅ ମହେଶ୍ୱର ଘରେ ଥିଲେ। ମଧ୍ୟାହ୍ନ ପାଖାପାଖି ସାଢେ ୧୨ଟା ବେଳକୁ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଦୌଡ଼ିଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।

Advertisment

publive-image

ପାଖରେ ଥିବା ଶୀତଳା ଠାକୁରାଣୀ ଯୁକ୍ତ ଦୁଇ କଲେଜର ୫୦ ଜଣ ଛାତ୍ରଛାତ୍ରୀ ମଧ୍ୟ ନିଆଁ ଲିଭାଇବା କାମରେ ଲାଗି ପଡ଼ିଥିଲେ। ହେଲେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ନଥିଲା। ନିଆଁ ଲିଭାଇବା ବେଳେ ଛାତ୍ରୀ ଅନିତା ବେହେରା, ପଙ୍କଜିନୀ ବେହେରା, ଦୀପ୍ତିଶିଖା ଜେନା, ସୁଶ୍ରୀ ସଙ୍ଗୀତା ଦାସ ଓ ସୋନାଲିକା କେନ୍ଥୁଡ଼ି ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ କଲେଜ ଛାତ୍ରୀ ଅନିତା ବେହେରା ଜଳୁଥିବା ଘର ଭିତରେ ପଶି ୫ ବର୍ଷର ଶିଶୁ ମହେଶ୍ୱରଙ୍କୁ ଉଦ୍ଧାର କରି ବାହାରକୁ ନେଇ ଆସିଥିଲେ। ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନିତାଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସାବାସି ଦିଆଯାଇଛି। ପ୍ରାକ୍ତନ ବ୍ଲକ୍‌ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସରପଞ୍ଚ ଜ୍ୟୋର୍ତିମୟ ଆଚାର୍ଯ୍ୟ, ନାଏବ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ସାମଲ, ପୂର୍ବତନ ସରପଞ୍ଚ ପଦ୍ମଲୋଚନ ବେହେରା, ଯୁବନେତା କାଳୀଚରଣ ଦାସ, କଂଗ୍ରେସ ନେତା ରବୀନ୍ଦ୍ର ନାରାୟଣ ଦାସ ପ୍ରମୁଖ ପହଞ୍ଚି ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଅଗ୍ନିବିପନ୍ନଙ୍କୁ ସମବେଦନା ଜଣାଇଛନ୍ତି।

ଉଲ୍ଲେଖଥାଉକି, ଅଗ୍ନିକାଣ୍ଡରେ ୩ଟି ପରିବାରର ୩ ବଖରା ଘର ପୋଡ଼ିଯାଇଛି। ନଗଦ ଅଢ଼େଇ ଲକ୍ଷ ଟଙ୍କା, ସୁନାଗହଣା ସହ ମୋଟ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ବେଳେ ଚୁଲି, ନଚେତ ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ରୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।