ବୈପାରିଗୁଡ଼ା/କୋରାପୁଟ: ମୌସୁମୀ କୋରାପୁଟ ଜିଲ୍ଲା ଛୁଇଁବା ପରେ ବି ବର୍ଷା ନଥିଲା। କାଁଭାଁ ବର୍ଷା ହୋଇ ଅଧିକାଂଶ ଅଞ୍ଚଳ ଶୁଖିଲା ରହିଥିଲା। ତେବେ ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଛି। ସମୟକ୍ରମେ ଏହା ବଢ଼ିବାରେ ଲାଗିଛି। ହଠାତ୍ ବର୍ଷା ବଢ଼ିବା ଯୋଗୁ ଜୀବନଯାତ୍ରା ସାମାନ୍ୟ ପ୍ରଭାବିତ ହୋଇଛି। କିଛି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗତକାଲି ଅପରାହ୍ନ ଠାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ଆଜି ମଧ୍ୟ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୫୩.୧ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ସାବେରୀ ଏକ ପାହାଡ଼ି ନଦୀ ହୋଇଥିବା ବେଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
କୋଟପାଡ଼ ବ୍ଲକ୍ରେ ସର୍ବାଧିକ ୧୫୨ ମିମି ବର୍ଷା ହୋଇଥିଲା ବେଳେ ନନ୍ଦପୁର ଓ ଦଶମନ୍ତପୁର ବ୍ଲକରେ ସର୍ବନିମ୍ନ ୧୬ ମିମି ଲେଖାଏଁ ବର୍ଷା ହୋଇଛି। କୋରାପୁଟରେ ୬୫.୪, ଲମତାପୁଟରେ ୬୦.୨, ପଟାଙ୍ଗିରେ ୩୮, ବନ୍ଧୁଗାଁରେ ୨୨, ନାରାୟଣପାଟଣାରେ ୪୭.୨, ଲକ୍ଷ୍ମୀପୁରରେ ୧୮, ସେମିଳିଗୁଡ଼ାରେ ୫୫, ଜୟପୁରରେ ୭୨.୪, କୁନ୍ଦୁରାରେ ୩୮.୬, ବୋରିଗୁମ୍ମାରେ ୮୦.୬ ଏବଂ ବୈପାରିଗୁଡ଼ାରେ ୬୨ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁ ଜିଲ୍ଲାରେ ଦିନର ତାପମାତ୍ରା ୧୮ ଡିଗ୍ରିକୁ ଖସି ଆସିଛି। ବୈପାରିଗୁଡ଼ା ବ୍ଲକ୍ର ବିଭିନ୍ନ ନଦୀ ଏବଂ ନାଳରେ ଜଳସ୍ତର ବଢ଼ିବା ସଙ୍ଗକୁ କୂଳ ଛୁଇଁବା ଆରମ୍ଭ ହୋଇଯାଇଛି।
ଦୁଇ ଦିନର ଲଗାଣ ବର୍ଷାର ପ୍ରଭାବ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ଦେଖିବାକୁ ମିଳିଛି। ଗୁପ୍ତେଶ୍ୱର ପୀଠ ପ୍ରବେଶ ପଥରେ ପାଣିର ସୁଅ ଚାଲିଥିବା ଦେଖିବାକୁ ମିଳିଥିଲା। ଲୋକେ ପାଣି ଭିତରେ ଚାଲି ଚାଲି ଯାତାୟାତ କରୁଥିବା ବେଳେ ଦୋକାନ ବଜାର ପାଣି ଘେରରେ ରହିଛି। ଅନ୍ୟଦିଗରେ ଗୁପ୍ତେଶ୍ୱରକୁ ଲାଗି ପ୍ରବାହିତ ସାବେରୀ ନଦୀ ମଧ୍ୟ କୂଳ ଛୁଇଁଛି। ଗାଧୁଆ ତୁଠର ପାହାଚ ସବୁ ପାଣିରେ ବୁଡ଼ି ରହିଛି। ଆଗକୁ ବର୍ଷା ନ କମିଲେ ଗୁପ୍ତେଶ୍ୱର ସ୍ଥିତି ବେହାଲ ହେବ ବୋଲି ଆଶଙ୍କା କରାଯାଉଛି। ଗୁପ୍ତେଶ୍ୱରରେ ରହିଥିବା ବ୍ୟବସାୟୀଙ୍କ ପାଇଁ ମଧ୍ୟ ବିପଦର କାରଣ ହୋଇପାରେ ବୋଲି କୁହାଯାଉଛି। ତେଣୁ ପ୍ରଶାସନ ଆଗୁଆ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସନ୍ତୋଷ କୁମାର ସାହୁ କହିଛନ୍ତି, ବର୍ଷା ଯୋଗୁ ତାତି ସାମାନ୍ୟ କମିଛି। କାଁଭାଁ ସ୍ଥାନରେ ଘର ସାମାନ୍ୟ ଭାଙ୍ଗିଥିବା ଖବର ମିଳିଛି। ବ୍ଲକ ପ୍ରଶାସନକୁ କ୍ଷୟକ୍ଷତିର ରିପୋର୍ଟ ମଗାଯାଇଛି। ଭୂସ୍ଖଳନ ସମ୍ଭାବନା ସ୍ଥାନ ଉପରେ ନଜର ରହିଛି। ପରିସ୍ଥିତିର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନିଆଯାଉଛି।