‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ ପ୍ରତି ବିଦ୍ରୁପ

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୋହରା ପ୍ରତିଶ୍ରୁତିର ଅଢ଼େଇ ବର୍ଷ ପରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ଗତ ଜୁଲାଇ ୨୧ରେ ବୀରମିତ୍ରପୁର-ବାରକୋଟ୍‌ ଜାତୀୟ ରାଜପଥ ଓ ଏହା ଅନ୍ତର୍ଗତ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିଥିଲେ। ବିରାଟ ସମାବେଶରେ ସେ ଘୋଷଣା କରିଥିଲେ ଯେ ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ। ଇତିମଧ୍ୟରେ ୪ ମାସ ଅତିକ୍ରାନ୍ତ ହୋଇଥିଲେ ହେଁ ପ୍ରକଳ୍ପର ସାମାନ୍ୟ ଅଗ୍ରଗତି ପରିଲକ୍ଷିତ ହୋିନାହିଁ।

ନିର୍ମାଣର କଚ୍ଛପ ଗତି ସୁନ୍ଦରଗଡ଼ ଜିଲ୍ଲା ତଥା ବିଶେଷକରି ରାଉରକେଲାବାସୀଙ୍କ ମନରେ କେବଳ ଯେ ଗଭୀର ଉଦ୍‌ବେଗ ସୃଷ୍ଟି କରିଛି ତାହା ନୁହେଁ, ବରଂ ପ୍ରଧାନମନ୍ତ୍ରୀଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ଲକ୍ଷ୍ୟକୁ ଏହା ଅବସାଦ ଓ ବିଦ୍ରୁପ ଆଡ଼କୁ ଠେଲିଦେଇଛି। ଏଭଳି ସ୍ଥିତିରେ ସେ ଅତ୍ୟନ୍ତ ମର୍ମାହତ ବୋଲି ଉଲ୍ଲେଖ କରି ରାଉରକେଲାର ବିଧାୟକ ଦିଲୀପ ରାୟ କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ରାୟ ଦର୍ଶାଇଛନ୍ତି ଯେ ଶିଳ୍ପାୟନ ଓ ଖଣି କାର୍ଯ୍ୟକଳାପ ଦୃଷ୍ଟିରୁ ୧୨୬ କିଲୋମିଟର ଦୈର୍ଘ୍ୟର ବୀରମିତ୍ରପୁର-ବାରକୋଟ୍‌ ଜାତୀୟ ରାଜପଥ (ନଂ ୧୪୩) ଏହି ଅଞ୍ଚଳ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଶ୍ରୀ ମୋଦି ୨୦୧୪ ଏପ୍ରିଲରେ ରାଉରକେଲାରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ବେଳେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ଏପ୍ରିଲ ପହିଲାରେ ସେ ରାଉରକେଲା ସମାବେଶରେ ଏହି ପ୍ରତିଶ୍ରୁତି ଦୋହରାଇଥିଲେ। ମୋଟାମୋଟି ଭାବେ ରାଜପଥ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ରାଉରକେଲାବାସୀଙ୍କ ଆବେଗିକ ପ୍ରସଙ୍ଗ ପାଲଟିଛି।

ଏହା ସତ୍ତ୍ୱେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ସ୍ଥିତିରେ ଥିବାରୁ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ବିଧାୟକ ଭାବେ ସେ ନିଜେ (ଶ୍ରୀ ରାୟ) ସାଧାରଣ ଅସନ୍ତୋଷକୁ ବାରମ୍ବାର ସମ୍ମୁଖୀନ କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ ପରିସ୍ଥିତିର ଫାଇଦା ଉଠାଇ ସମାଲୋଚନା କରିବାରେ ବ୍ୟସ୍ତ। ପ୍ରକଳ୍ପର କଚ୍ଛପ ଗତି ଜନସାଧାରଣଙ୍କ ମନରେ କ୍ରମଶଃ ଅବିଶ୍ୱାସର ବାତାବରଣ ସୃଷ୍ଟି କରୁଥିବାରୁ ଏ ଦିଗରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ରାୟ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର