‘ସବୁଜ ବନାନୀ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ବିଜୁ ଯୁବ ବାହିନୀ ପକ୍ଷରୁ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ସବୁଜ ବନାନୀ’ର ଆଜି ଶୁଭାରମ୍ଭ ହୋଇଛି। ଗାନ୍ଧୀ ପାର୍କଠାରେ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ‌ କେଶରୀ ଆରୁଖ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଲ ଦେବ ଓ ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ ଗୋଟିଏ‌ ଲେଖାଏ ଗଛ ଲଗାଇଥିଲେ। ଏହି ଅବସରରେ ବିଏମ୍‌ସି ଅଞ୍ଚଳରେ ୨୦୦ରୁ ଅଧିକ ବିଜୁ ଯୁବ ବାହିନୀ ସ୍ବେଚ୍ଛାସେବୀ ଉପସ୍ଥିତ ରହି ରାଜ୍ୟରେ ସବୁଜିମା ସୃଷ୍ଟି ପାଇଁ ବୃକ୍ଷରୋପଣ କରିବା ନିମନ୍ତେ ଶପଥ ନେଇଥିଲେ।

ଫନି ମହାବାତ୍ୟାରେ ରାଜ୍ୟରେ ଅନେକ ଗଛ ନଷ୍ଟ ହୋଇଛି। ତେଣୁ ବିଜୁ ଯୁବ ବାହିନୀ ୨୦୧୯-୨୦ ବର୍ଷରେ ‘ସବୁଜ ବନାନୀ’ ନାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ ସରକାରୀ, ବେସରକାରୀ, ପତିତ ଜମିରେ ଆବଶ୍ୟକ ଅନୁମତି ନେଇ ପାଞ୍ଚ ଲକ୍ଷରୁ ଅଧିକ ଗଛ ଲଗାଇବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର