ବିଶ୍ବସ୍ତରୀୟ ‘ସବୁଜ ସମାରୋହ’ ଡିସେମ୍ବର ୧ରେ

ଭୁବନେଶ୍ବର : ଦେଶ ବିଦେଶର ବୃକ୍ଷପ୍ରେମୀ, ପରିବେଶ ବିଜ୍ଞାନୀ ତଥା ‘ପ୍ରେରଣା ଗ୍ରିନ୍‌ ଆର୍ମି’ର ସମସ୍ୟମାନଙ୍କୁ ନେଇ ଡିସେମ୍ବର ୧ ତାରିଖରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ଦ୍ବିଦିବସୀୟ ‘ସବୁଜ ସମାରୋହ’ ଅନୁଷ୍ଠିତ ହେବ। ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅଦିନିଆ ଝଡ଼, ଅତିବୃଷ୍ଟି ଓ ଅନାବୃଷ୍ଟି ଆଦି ବିଶ୍ବର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହି ସମାରୋହର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ସମାରୋହରେ ‘ପରିବେଶ ସୁରକ୍ଷା ଓ ସାଧାରଣ ଜନତା’, ‘ସୁସ୍ଥ ପରିବେଶ ସୁସ୍ଥ ଜୀବନ’, ପରିବେଶ ପ୍ରଦୂଷଣ ଓ ବ୍ୟାପକ ବୃକ୍ଷରୋପଣ’, ‘ପରିବେଶ ଓ ସାହିତ୍ୟ’, ‘ସଂସ୍କୃତି ଓ ପରିବେଶ’ ଆଦି ସମ୍ପର୍କିତ ବିଶ୍ବସ୍ତରୀୟ ଆଲୋଚନାମାନ ଅନୁଷ୍ଠିତ ହେବ। ଏହି ସମାବେଶରେ ବିଶ୍ବର ୫୦ଟି ଦେଶର ପ୍ରତିନିଧିଙ୍କ ସମେତ ଆମ ଦେଶ ଓ ରାଜ୍ୟରୁ ବହୁ ବୁଦ୍ଧିଜୀବୀ, ସାରସ୍ବତ ସାଧକ, ଚିତ୍ରଶିଳ୍ପୀ, କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ପରିବେଶବିତ୍‌, ଶିକ୍ଷାବିତ୍‌, ସାମ୍ବାଦିକ, ଆଇନଜୀବୀ, ଛାତ୍ରଛାତ୍ରୀ ଓ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ଏନେଇ ହୋଟେଲ ଚନ୍ଦନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ଗ୍ରିନ୍‌ ଆର୍ମିର ଚିଫ୍‌ କମାଣ୍ଡର ଡ. ଦିଲ୍ଲୀପ ଶ୍ରୀଚନ୍ଦନ। ସେହିପରି ଓଡ଼ିଶାର ପ୍ରତ୍ୟେକ ବ୍ଲକ୍‌, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ, ମହାନଗର ନିଗମରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷପ୍ରେମୀମାନଙ୍କୁ ଗ୍ରିନ୍‌ ଆର୍ମିରେ ନିଯୁକ୍ତି ଦିଆଯିବା ସହ ସମ୍ବର୍ଦ୍ଧିତ କରାଯିବ ବୋଲି ଡ. ଶ୍ରୀଚନ୍ଦନ କହିଛନ୍ତି। ଏ ସମ୍ପର୍କରେ ସବିଶେଷ ବିବରଣୀ ପାଇଁ କାର୍ଯ୍ୟକ୍ରମ ସଂଯୋଜକ ନିରଦ ଖୁଣ୍ଟିଆ, ଜଲିଲ୍‌ ଖାନ୍‌ ଓ ପ୍ରଦୀପ ରାଉତରାୟଙ୍କୁ ମୋବାଇଲ୍‌ ନମ୍ବର ୮୦୯୩୧୦୯୦୯୩, ୮୯୧୭୪୬୦୧୮୧ ଓ ୯୯୩୭୧୯୯୧୧୮ରେ ଯୋଗାଯୋଗ କରିବାକୁ ଆୟୋଜକ ଅନୁରୋଧ କରିଛନ୍ତି। ସେହିପରି ଅଧ୍ୟାପିକା ଅନୁପମା ଚମ୍ପତିରାୟ, ଘର ନଂ ୨ ଆର୍‌.ବି. -୨/୮, ଗୋପବନ୍ଧୁ ଛକ, ୟୁନିଟ୍‌-୮, ଭୁବନେଶ୍ବର-୧୨ ଡାକ ଠିକଣାରେ ସବିଶେଷ ବିବରଣୀ ପଠାଇପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ଅଜୟ ସ୍ବାଇଁ ଓ ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର