ମୋହନା/ଅଡ଼ବା: ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ଏବଂ ୫ ବର୍ଷ ପୂର୍ବେ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓ କ୍ୟାଡର୍ ସାଗରକୁ ଆଜି ଗଜପତି ପୁଲିସ ଏକ ହତ୍ୟା ମାମଲାରେ ଗିରଫ କରିଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଜାରିଙ୍ଗ ଗ୍ରାମରେ ସାଗର ଓରଫ୍ ପ୍ରମୋଦ ମାଝୀ ଘରେ ଆଜି ପୁଲିସ ଅତର୍କିତ ଚଢ଼ଉ କରି ଗୋଟିଏ ଏକେ- ୪୭ ରାଇଫଲ୍ ଓ ୨୮ ରାଉଣ୍ଡ ଗୁଳି ସହ ୨ଟି ମାଗାଜିନ୍ ଜବତ କରିଛି। ଚଳିତ ବର୍ଷ ଫେବ୍ରୁଆରି ମାସରେ ଗୁଣି ସନ୍ଦେହରେ ଗ୍ରାମରେ ଜଣେ ପାଷ୍ଟର୍ଙ୍କ ଜଙ୍ଗଲ ରାସ୍ତାରେ ଗୁଳି କରି ହତ୍ୟା ଅପରାଧରେ ପ୍ରମୋଦ ଅଭିଯୁକ୍ତ ଥିଲା। ଏହା ପରଠାରୁ ସେ ଫେରାର୍ ଥିଲା।
ସୂଚନାଯୋଗ୍ୟ ଯେ ପ୍ରମୋଦ ମାଝୀ ଓରଫ ସାଗର ମାଓନେତା ସବ୍ୟସାଚୀଙ୍କ ଘନିଷ୍ଠ ସହଯୋଗୀ ତଥା ମାଓ କ୍ୟାଡର୍ ଆରତୀ ମାଝୀଙ୍କ ଜଣେ ସଂପର୍କୀୟ। ଏକାଧିକ ମାଓହିଂସା କାର୍ଯ୍ୟକଳାପରେ ସଂପୃକ୍ତ ଥିବା ପ୍ରମୋଦ ଗତ ୨୦୧୫ରେ ଦକ୍ଷିଣାଞ୍ଚଳ ପୁଲିସ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲା। ଥଇଥାନ ନୀତି ଅନୁସରଣ କରି ମୁଖ୍ୟସ୍ରୋତକୁ ଫେରିଥିବାରୁ ସରକାର ପ୍ରମୋଦଙ୍କ ପତ୍ନୀଙ୍କୁ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଦେଇଥିଲେ। ତେବେ କୌଣସି କାରଣରୁ ପ୍ରମୋଦର ଏକ ଶିଶୁର ମୃତ୍ୟୁ ହୋଇଥିଲା। ଗୁଣି କରି ଶିଶୁକୁ ମାରିଥିବା ନେଇ ସେ ପାଷ୍ଟର ଡମ୍ବରୁଧର ମାଝୀଙ୍କ ଉପରେ ସନ୍ଦେହ କରିଥିଲା।