ଗୁଣପୁର: ହତ୍ୟା ଏବଂ ବିସ୍ଫୋରଣ ମାମଲାରେ ଟପ୍‌ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଣପୁର ଏଡିଜେ କୋର୍ଟ। ଚନ୍ଦ୍ରପୁର ବ୍ଲକ୍‌ ଅଧ୍ୟକ୍ଷ ଡାକୁ ମାଝୀଙ୍କୁ ହତ୍ୟା ଏବଂ ପୁଲିସ ଇନ୍‌ଫର୍ମର୍‌ ସନ୍ଦେହରେ ମରିଚଗୁଡ଼ାରେ ଗୋଟିଏ ଘର ବିସ୍ଫୋରଣ ମାମଲାରେ ଆଜି ସବ୍ୟସାଚୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତଥ୍ୟ ଓ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ଏଡିଜେ ମହମ୍ମଦ କ୍ବାଇସ୍‌ ନିର୍ଦ୍ଦୋଷ ବୋଲି ରାୟ ଦେଇଛନ୍ତି। ୨୦୦୪ ମସିହା ଅଗଷ୍ଟ ୧୩ ତାରିଖରେ ତତ୍କାଳୀନ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଡାକୁ ମାଝୀ କାମ ସାରି ବାଇକ୍‌ ଯୋଗେ ଦୁଇ ସହଯୋଗୀଙ୍କ ସହ ଘରକୁ ଫେରୁଥିଲେ। ରାସ୍ତାରେ ମୁଖାପିନ୍ଧା ନକ୍ସଲ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଏହାପରେ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟିଥିଲେ। ଡାକୁ ମାଝୀଙ୍କ ସହ ବାଇକ୍‌ରେ ବସିଥିବା ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗୁଳି ବାଜିଥିଲା।

Advertisment

ଏହି ଘଟଣାରେ ପୁଲିସ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା। ୨୦ବର୍ଷ ଧରି ଗୁଣପୁର ଏଡିଜେ କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିଲା। ୧୮ଜଣ ସାକ୍ଷୀଙ୍କ ବୟାନ ସହ ପ୍ରମାଣ ଅଭାବରୁ ଆଜି କୋର୍ଟ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ଜଡ଼ିତ ଅନ୍ୟ ୫ଜଣ ନକ୍ସଲଙ୍କୁ ପୂର୍ବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ସେହିଭଳି ମରିଚଗୁଡ଼ା ଗ୍ରାମର ପ୍ରାସ୍କା ସିମନ ମାଝୀ ପୁଲିସକୁ ସୂଚନା ଦେଉଥିବା ଅଭିଯୋଗ କରି ତାଙ୍କ ଘରକୁ ୨୦୦୩ ମସିହା ଅଗଷ୍ଟ ୨୯ତାରିଖରେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ନକ୍ସଲ। ଏନେଇ ଚନ୍ଦ୍ରପୁର ଥାନାରେ ସବ୍ୟସାଚୀ ଏବଂ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଗୁଣପୁର ଏଡିଜେ କୋର୍ଟରେ ବିଚାରାଧୀନ ରହିଥିଲା। କୋର୍ଟ ଉଭୟପକ୍ଷଙ୍କ ଯୁକ୍ତି ଶୁଣିବା ପରେ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବୋଲି ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଣପୁର ଏଡିଜେ କୋର୍ଟରେ ଦୁଇଟି ଏବଂ ସବ୍‌ଜଜ୍‌ କୋର୍ଟରେ ଆଉ ୩ଟି ମାମଲା ବିଚାରାଧୀନ ରହିଛି। ଏହି ମାମଲାର ଶୁଣାଣି ନିମନ୍ତେ ଆସନ୍ତା ୨୫ତାରିଖରେ ସବ୍ୟସାଚୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।