ଫିଲ୍ମ ପ୍ରୋତ୍ସାହନ ପାଇଁ ହାତ ମିଳାଇଲେ ସବ୍ୟସାଚୀ ଓ ଜିତେନ୍ଦ୍ର

ବିଦେଶୀ ଦର୍ଶକଙ୍କ ମନ ମୋହିବ ଆଦିମ ବିଚାର, ଶଲାବୁଢ଼ା ଓ ପାହାଡ଼ର ଲୁହ

ସମ୍ବଲପୁର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ବିଶ୍ବସ୍ତରରେ ନିଜ ସିନେମାଗୁଡ଼ିକର ପ୍ରୋତ୍ସାହନ ଓ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଅନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସିନେ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ସହ ହାତ ମିଳାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ସବ୍ୟସାଚୀଙ୍କ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ପାହାଡ଼ର ଲୁହ, ଆଦିମ ବିଚାର ଓ ଶଲାବୁଢ଼ାର ପ୍ରମୋସନ୍‌ ପାଇଁ ଜିତେନ୍ଦ୍ର କାର୍ଯ୍ୟ କରିବେ। ଅଗଷ୍ଟ ପହିଲାରେ ସମ୍ବଲପୁରୀ ଦିନ ଅବସରରେ ଉଭୟ ନିଜ ସହଭାଗିତା ସଂପର୍କରେ ଘୋଷଣା କରିବେ ବୋଲି ଜଣା ପଡ଼ିଛି। ଜିତେନ୍ଦ୍ର ଏବଂ ତାଙ୍କ ଟିମ୍‌ ଏହି ଚଳଚ୍ଚିତ୍ରଗୁଡ଼ିକର ଅନ୍ତର୍ଜାତୀୟ ବିତରଣ ଓ ଫିଲ୍ମ ଫେଷ୍ଟିଭାଲଗୁଡ଼ିକରେ ଏହାର ଅଧିକରୁ ଅଧିକ ଭାଗୀଦାରି ଦିଗରେ କାର୍ଯ୍ୟ କରିବେ। ୪୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଶ୍ରୀ ମହାପାତ୍ର ଓଡ଼ିଆ ତଥା ସମ୍ବଲପୁରୀ/କୋଶଲୀ ସିନେମାର ସବୁଠୁ ପ୍ରଭାବଶାଳୀ ଫିଲ୍ମ ନିର୍ମାତା ଭାବେ ଜଣାଶୁଣା। ସେ ‘ଆଦିମ ବିଚାର’ ଓ ‘ପାହାଡ଼ର ଲୁହ’ ଫିଲ୍ମ ପାଇଁ ଲଗାତାର ୨ ବର୍ଷ ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି। ତାଙ୍କ ସିନେମାଗୁଡ଼ିକରେ ପଶ୍ଚିମ ଓଡ଼ିଶାର ଆଦିବାସୀ ଜନଜୀବନ ଓ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତିଫଳିତ ହୋଇଛି। ତାଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି।

ଅପରପକ୍ଷରେ ଜିତେନ୍ଦ୍ର ମିଶ୍ର ପଶ୍ଚିମ ଓଡ଼ିଶାର ଜଣେ ବିରଳ ପ୍ରତିଭା ହୋଇଥିଲାବେଳେ ଅନ୍ତର୍ଜାତୀୟ ସିନେମା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଛି। ଅନ୍ତର୍ଜାତୀୟ ‌ସ୍ତରରେ ବିଭିନ୍ନ ସିନେମାର ବ୍ୟବସାୟିକ ଦିଗ ଉନ୍ମୋଚନରେ ତାଙ୍କର ଦକ୍ଷତା ରହିଛି। ଉଭୟ ସବ୍ୟସାଚୀ ଓ ଜିତେନ୍ଦ୍ରଙ୍କ ହାତ ମିଳାଇବା ଦ୍ବାରା ଏ ଅଞ୍ଚଳରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ଅଧିକ ସଫଳତା ପାଇ ପାରିବ ବୋଲି ସିନେପ୍ରେମୀମାନେ ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର