ପୁଣି ଚର୍ଚ୍ଚାରେ ସବ୍ୟସାଚୀ: ବାତ୍ୟା ରାତିରେ କୋଭିଡ୍‌ ଆକ୍ରାନ୍ତ ଶିଶୁକନ୍ୟା ପାଇଁ ଶଯ୍ୟା ଯୋଗାଡ଼ିଲେ

କରୋନା କାରଣରୁ ବାନ୍ତି ଓ ଅମ୍ଳଜାନସ୍ତର କମି ଗୁରୁତର ହୋଇଥିଲା
ଟ୍ବିଟ୍ କରି ସବ୍ୟଙ୍କୁ ଧନ୍ୟବାଦ ଦେଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ

ଭୁବନେଶ୍ବର : କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିବା ୨ବର୍ଷର ଏକ କୁନି ଝିଅ ପାଇଁ ବାତ୍ୟା (୨୫ ତାରିଖ) ରାତିରେ ହସ୍ପିଟାଲରେ ବେଡ୍‌ ଯୋଗାଡ଼ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚ୍ଚୀ ମହାପାତ୍ର। ଶିଶୁକନ୍ୟାଟି ହେଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ପ୍ରଧାନଙ୍କ ଝିଅ। ସେ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲା। କିନ୍ତୁ ଗତ ୨୫ ତାରିଖ ରାତିରେ ତା’ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ଶରୀରରେ ଅମ୍ଳଜାନ ସ୍ତର କମିବା ସହ ଭାଇରାଲ୍ ଲୋଡ୍‌ ବଢ଼ିଯିବାରୁ ବାନ୍ତି ହୋଇଥିଲା। ଶୀଘ୍ର ଡାକ୍ତରଙ୍କ ପରାମର୍ଶ ଓ ଅମ୍ଳଜାନ ନ ଲାଗିଥିଲେ, କୁନିଝିଅଟି ସହ କିଛି ବି ଅଘଟଣ ଘଟିଯାଇଥା’ନ୍ତା। ତେବ‌େ ଏ ସଂପର୍କରେ ବିଳମ୍ବିତ ରାତିରେ ଟ୍ବିଟର୍‌ରୁ ସୂଚନା ପାଇ ସବ୍ୟସାଚୀ ଏକାଧିକ ଡାକ୍ତରଖାନାକୁ ଫୋନ୍ କରି ସହଯୋଗ ମାଗିଥିଲେ। ଦୀର୍ଘ ୩ ଘଣ୍ଟା ୪୦ ମିନିଟ୍‌ର ପ୍ରଚେଷ୍ଟା ପରେ ସବ୍ୟସାଚ୍ଚୀ କୁନି ଝିଅଟି ପାଇଁ ଆମ୍ରି ହସ୍ପିଟାଲରେ ଏକ ଶଯ୍ୟାର ବନ୍ଦୋବସ୍ତ କରିପାରିଥିଲେ।

Outlook India

ଏ ସଂପର୍କରେ ସବ୍ୟସାଚୀ କହିଛନ୍ତି, ସବୁଦିନ ଭଳି ଗତ ୨୫ ତାରିଖ ରାତିରେ ମଧ୍ୟ ଅସହାୟଙ୍କୁ ସାହାଯ୍ୟ କରିବାକୁ ପାଇଁ ସେ ଅନିଦ୍ରା ଥିଲେ। ରାତି ପ୍ରାୟ ୧୨ଟାରେ ଟ୍ବିଟର୍‌ରେ ଦିଲ୍ଲୀର ସମାଜସେବୀ ଶ୍ରୀନିବାସ୍ ଟ୍ବିଟ୍ କରି ଜଣେ ୨ବର୍ଷୀୟା ଝିଅ ପାଇଁ ଡାକ୍ତରୀ ଚିକିତ୍ସା ଲୋଡ଼ିଥିଲେ। ତେବେ ବିଳମ୍ବିତ ରାତି ସାଙ୍ଗକୁ ବାତ୍ୟାପୂର୍ବ ପବନ, ବର୍ଷା ଯୋଗୁଁ କୁନି ଝିଅ ପାଇଁ ଡାକ୍ତରଖାନାରେ ଶଯ୍ୟା ମିଳିବା ଏକପ୍ରକାର କଷ୍ଟକର ବ୍ୟାପାର ହୋଇଯାଇଥିଲା। କିନ୍ତୁ ସବ୍ୟସାଚ୍ଚୀ ଆଶା ନ ଛାଡ଼ି ଗୋଟିଏ ପରେ ଗୋଟିଏ ହସ୍ପିଟାଲର ନମ୍ବର ଘୂରାଇ ଚାଲିଥିଲେ। ପ୍ରାୟ ସାଢ଼େ ୩ଘଣ୍ଟାର କସରତ ପରେ ଖଣ୍ଡଗିରିସ୍ଥିତ ଆମ୍ରି ହସ୍ପିଟାଲ୍‌ରେ ଡା. ଅମ୍ରିତ୍ ପାଟ୍ଟଯୋଶୀଙ୍କ ସହ‌ଯୋଗରେ ଏକ ଶଯ୍ୟାର ବନ୍ଦୋବସ୍ତ ହୋଇପାରିଥିଲା। ବର୍ତ୍ତମାନ ଶିଶୁକନ୍ୟାଟିର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ସହ ସେ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ଅପରପକ୍ଷରେ ଏହି ଘଟଣାକୁ ନେଇ ସବ୍ୟସାଚୀ, ସମାଜସେବୀ ଶ୍ରୀନିବାସ ଓ ଡା. ପାଟ୍ଟଯୋଶୀଙ୍କୁ ଧନ୍ୟବାଦ ଦେଇଛନ୍ତି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ। ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ପ୍ରଧାନଙ୍କ ନିକଟରେ ସୁଶାନ୍ତଙ୍କ ପତ୍ନୀ ନୃତ୍ୟ ଶିକ୍ଷା ଲାଭ କରନ୍ତି। ତେବ‌େ ଲିଙ୍ଗରାଜଙ୍କ ଝିଅ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ସେ ଫୋନ୍ ଯୋଗେ ସୁଶାନ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏହା ପରେ ସୁଶାନ୍ତ ସମାଜସେବୀ ଶ୍ରୀନିବାସଙ୍କ ସହଯୋଗ ଲୋଡ଼ିଥିଲେ। ଟ୍ବିଟ୍ ପରେ ଝିଅ ସୁସ୍ଥ ଥିବାରୁ ଲିଙ୍ଗରାଜ ଡାକ୍ତରଙ୍କ ସମେତ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର