୯ ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସଂଘଟିତ ୯ଟି ମାଓ ହିଂସା ମାମଲାରେ ଆଜି ମାଓନେତା ସଚ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡ଼ିଛି। ପାରଳାଖେମୁଣ୍ଡି ସିଜେଏମ ଏମ.ଇଶ୍ବର ରାଓ ୯ ଟି ମକଦ୍ଦମାର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବାରମ୍ବାର ନୋଟିସ ସତ୍ବେ କେହି ହେଲେ ସରକାରୀ ସାକ୍ଷୀ ହାଜର ହୋଇ ନଥିବାରୁ ଶେଷରେ କୋର୍ଟ ମାଓନେତା ସଚ୍ୟସାଚୀଙ୍କ ବିରୋଧରେ ଚାଲିଥିବା ୯ଟି ମକଦ୍ଦମାରେ ତାଙ୍କୁ ଦୋଷମୁକ୍ତ କରିଥିବା ନେଇ ସବ୍ୟସାଚୀଙ୍କ ଓକିଲ ସ୍ବରୂପ କୁମାର ପାଳ ସୂଚନା ଦେଇଛନ୍ତି। ଏ ସ˚ପର୍କରେ ଶ୍ରୀ ପାଳ କହିଛନ୍ତି ଯେ, ଗଜପତି ଜିଲ୍ଲାରେ ମାଓନେତା ସବ୍ୟସାଚୀଙ୍କ ନାମରେ ମୋଟ ୪୪ଟି ମାମଲା ଦାୟର ହୋଇଥିଲା। ପୂର୍ବରୁ ଦୁଇଟିରେ ସେ ଦୋଷମୁକ୍ତ ହୋଇଥିବା ବେଳେ ଆଜି ୧୯୯୭ ମସିହାରୁ ୨୦୦୩ ପର୍ଯ୍ୟନ୍ତ ଅଡ଼ବା ଓ ମୋହନା ପୁଲିସ ଥାନାରେ ଦାୟର ହୋଇଥିବା ୯ ଟି ମାମଲାର ବିଚାରଣା ଚାଲିଥିଲା। କୌଣସି ସାକ୍ଷୀ ମାଓନେତା ସବ୍ୟସାଚୀଙ୍କ ବିରୋଧରେ କିଛି କହି ନଥିବା ବେଳେ ତାଙ୍କୁ ଚିହ୍ନଟ ମଧୢ କରିପାରି ନଥିଲେ। ମାନ୍ୟବର ସିଜେଏମ୍‌ ମାଝିଗୁଡ଼ା, ମାନ୍ଦ୍ରାବାଜୁ, ମାଣିବେରା ଘଟଣା ସମେତ ୯ ଟି ଯାକ ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କ ବିରୋଧରେ ଏବେ ବି ୩୩ଟି ମାମଲାର ବିଚାରଣା ଚାଲୁ ରହିଛି ବୋଲି ଓକିଲ ଶ୍ରୀ ପାଳ ପ୍ରକାଶ କରିଛନ୍ତି। ଆଜି କଡ଼ା ସୁରକ୍ଷାରେ ବ୍ରହ୍ମପୁର ଜେଲରୁ ସବ୍ୟସାଚୀଙ୍କୁ ପାରଳାଖେମୁଣ୍ଡି କୋର୍ଟକୁ ଅଣା ଯାଇଥିଲା।

ସମ୍ବନ୍ଧିତ ଖବର