ସବ୍ୟସାଚୀ ହାଜର, ପୁଲିସକୁ ଦସ୍ତଖତ ଦେବାକୁ ମନା କଲେ

ବ୍ରହ୍ମପୁର : ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ଏଡିଜେ-୧ କୋର୍ଟରେ ହାଜର କରାଯାଇଥିଲା। ଏସ୍‌ଟି-୩୩/୧୫ ଓ ଏସ୍‌ଟି-୩୪/୧୫ରେ କୋର୍ଟରେ ହାଜର ପାଇଁ ଆଜି ତାରିଖ ଥିଲା। ଏସ୍‌ଟି-୩୪/୧୫ରେ ପୁଲିସ ସବ୍ୟସାଚୀଙ୍କ ଦସ୍ତଖତ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ଏହି ଆବେଦନକୁ କୋର୍ଟ ମଧ୍ୟ ଗ୍ରହଣ କରିଥିଲେ। ସବ୍ୟସାଚୀ ଆଜି କୋର୍ଟରେ ହାଜର ହୋଇ ପୁଲିସକୁ ଦସ୍ତଖତ ଦେବେ ନାହିଁ ବୋଲି କହିଥିଲେ। ଦଣ୍ଡପାଣି ମହାନ୍ତିଙ୍କ ଘରକୁ ମାଓ ପ୍ରଚାର ପତ୍ର ଓ ଚିଠି ନେଇ ଯାଉଥିବା ବେଳେ ପୁଲିସ ଗତ ୨୦୧୦ରେ କିଛି ମାଓ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଚିଠିରୁ ମିଳିଥିବା ଦସ୍ତଖତ ସହିତ ସବ୍ୟସାଚୀଙ୍କ ଦସ୍ତଖତ ମେଳ କରିବା ପାଇଁ ପୁଲିସ ଏହି ଆବେଦନ କରିଥିବା ଜଣାପଡ଼ିଛି। କିନ୍ତୁ ପୁଲିସ ପୂର୍ବରୁ ସବ୍ୟସାଚୀଙ୍କ ଦସ୍ତଖତ ନେଇ ସାରିଛି। ଏବେ ମାମଲାର ବିଚାରଣା ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ ପୁଣିଥରେ ପୁଲିସ ଦସ୍ତଖତ କାହିଁକି ମାଗୁଛି ବୋଲି ସବ୍ୟସାଚୀ କୋର୍ଟରେ କହିଥିବା ନେଇ ତାଙ୍କର ଓକିଲ କହିଛନ୍ତି। ବିଚାରଣା ପ୍ରକ୍ରିୟା ବିଳମ୍ବ କରିବା ପାଇଁ ଏହା ଏକ ଚକ୍ରାନ୍ତ। ଚାର୍ଜସିଟ୍‌ ଦାଖଲ ପୂର୍ବରୁ ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ସମାପ୍ତ ହେବା କଥା ବୋଲି ସବ୍ୟସାଚୀ କୋର୍ଟରେ କହିଥିଲେ। କୋର୍ଟ ସବ୍ୟସାଚୀଙ୍କ ଯୁକ୍ତି ଶୁଣିବା ପରେ ପରବର୍ତ୍ତୀ ତାରିଖରେ ରାୟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍‌ ୨୩ତାରିଖକୁ ଧାର୍ଯ୍ୟ କରାଯାଇଛି। ସେହିପରି ସବ୍ୟସାଚୀଙ୍କୁ ଗିରଫ ମାମଲା ଏସ୍‌ଟି-୩୩/୧୫ ଆଜି ମଧ୍ୟ ତତ୍କାଳୀନ ତଦନ୍ତ ଅଧିକାରୀ ଠାକୁର ପ୍ରସାଦ ପାତ୍ର କୋର୍ଟରେ ଅନୁପସ୍ଥିତ ଥିଲେ। ସବ୍ୟସାଚୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର