ବ୍ରହ୍ମପୁର : ୨୦୧୪ ଜୁଲାଇ ୧୭ । ଦୀର୍ଘଦିନ ଧରି ଫେରାର୍‌ ଥିବା ଟପ୍‌ ମାଓନେତା ତଥା ଓଡ଼ିଶା ମାଓବାଦୀ ପାର୍ଟିର ମୁଖିଆ କୁହାଯାଉଥିବା ସବ୍ୟସାଚୀ ପଣ୍ତାଙ୍କୁ ପୁଲିସ କାବୁ କରିଥିଲା। ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ୍‌ପେଟା ସାହିର ଏକ ଭଡ଼ାଘରୁ ପୁଲିସ ସବ୍ୟସାଚୀଙ୍କୁ ଗିରଫ କରିଥିଲା। ଏହା ପରଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଭାବେ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସବ୍ୟସାଚୀଙ୍କ ନାଁରେ ମୋଟ ୧୩୦ଟି ମାମଲା ରହିଛି। ତନ୍ମଧ୍ୟରୁ ୬୦ଟି ମାମଲାରେ ସେ ନିର୍ଦ୍ଦୋଷ ହୋଇ ସାରିଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ସୂଚନା ଦେଇଛନ୍ତି।

Advertisment

ସବ୍ୟସାଚୀଙ୍କୁ କେବଳ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ତଳ କୋର୍ଟର ରାୟକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ଅପିଲ୍‌ କରାଯାଇଥିବା ବରିଷ୍ଠ ଆଇନଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ସବ୍ୟସାଚୀଙ୍କୁ ଗିରଫ ପରେ ଲାଲ୍‌ ଦୁର୍ଗ ଏକ ପ୍ରକାର ଭୁଶୁଡ଼ି ପଡ଼ିଥିଲା। ଧୀରେ ଧୀରେ ଓଡ଼ିଶା ମାଓବାଦୀ ପାର୍ଟି ଦୁର୍ବଳ ହୋଇ ପଡ଼ିଥିଲା। ସବ୍ୟସାଚୀଙ୍କ ପରେ ଅନ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ଧରା ପଡ଼ିଥିଲେ। ଆଉ କେତେଜଣ ଆତ୍ମସମର୍ପଣ କରିଥିଲେ।

ସବ୍ୟସାଚୀଙ୍କ ଗିରଫ ଘଟଣାକୁ ଏବେ ୭ବର୍ଷ ପୂରିଛି। ସେ ୭ ବର୍ଷ ହେଲା ବ୍ରହ୍ମପୁର ଜେଲ୍‌ରେ ରହିଛନ୍ତି। ସବ୍ୟସାଚୀଙ୍କ ନାମରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ରାୟଗଡ଼ା ଜିଲ୍ଲାରେ ମାମଲା ରହିଛି। ଅଧିକାଂଶ ମାମଲାରେ ସାକ୍ଷୀ ବିଚାରଣା ସମାପ୍ତ ହୋଇ ସରିଥିବା ସବ୍ୟସାଚୀଙ୍କ ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏବେ ପାରଳାଖେମୁଣ୍ଡି, ବାଲିଗୁଡ଼ା, ଗୁଣପୁର କୋର୍ଟରେ ଅଧିକାଂଶ ମାମଲା ରହିଛି। ପାରଳାଖେମୁଣ୍ଡି, ବାଲିଗୁଡ଼ା, ନୟାଗଡ଼ରେ ରୁଜୁ ହୋଇଥିବା ମାମଲାରେ ଅନ୍ୟ ଅଭିଯୁକ୍ତମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ସାରିଛନ୍ତି। ଏଣୁ ସବ୍ୟସାଚୀ ମଧ୍ୟ ନିର୍ଦ୍ଦୋଷ ହେବେ ବୋଲି ତାଙ୍କର ଓକିଲ ଆଶା ପୋଷଣ କରିଛନ୍ତି।

ସବ୍ୟସାଚୀଙ୍କୁ ମାତ୍ର ଗୋଟିଏ ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି। ବଡ଼ବଜାର ଥାନା ମଙ୍ଗଳବାରମ୍‌ପେଟା ସାହିରୁ ଗିରଫ ମାମଲାରେ ଆଇପିସିର ଦଫା ୧୨୧(କ)/୧୨୪ରେ ଦେଶଦ୍ରୋହ କାର୍ଯ୍ୟକଳାପ ପାଇଁ ତାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ପୁଲିସ ମଧ୍ୟ ସବ୍ୟସାଚୀଙ୍କ ବିରୋଧରେ ଦେଶଦ୍ରୋହ କାର୍ଯ୍ୟକଳାପର ସେଭଳି କିଛି ଠୋସ୍‌ ପ୍ରମାଣ କୋର୍ଟରେ ଦାଖଲ କରି ନଥିଲା ବୋଲି ଆଇନଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଣୁ ଏହି ମାମଲାର ରାୟକୁ ଚାଲେଞ୍ଜ୍‌ କରି ମାନ୍ୟବର ହାଇକୋର୍ଟରେ ଅପିଲ୍‌ କରାଯାଇଛି ବୋଲି ସେ କହିଛନ୍ତି।