ଭୁବନେଶ୍ବର : ରେକର୍ଡମ୍ୟାନ୍‌, ରନ୍‌ ମେସିନ୍‌, ସେଞ୍ଚୁରି ଷ୍ଟାର୍‌, ଭଦ୍ରଲୋକଙ୍କ ଖେଳର ସବୁଠୁ ଭଦ୍ର ଚରିତ୍ରର ନିଷ୍କଳଙ୍କ ଖେଳାଳି ସଚିନ ର‌ମେଶ ତେନ୍ଦୁଲକରଙ୍କ ଖେଳ ଜୀବନ ୧୦ ବର୍ଷ ତଳୁ ସରିସାରିଛି। ବିଶ୍ବ କ୍ରିକେଟର୍ ଏହି ମାଷ୍ଟର ବ୍ଲାଷ୍ଟରଙ୍କ ଚର୍ଚ୍ଚା ଓ ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ କେବେ ତଳ ମୁହାଁ ହୋଇନାହିଁ। ଭାରତୀୟ କ୍ରିକେଟକୁ ଦୀର୍ଘ ‌ଅଢ଼େଇ ଦଶନ୍ଧି ଧରି ସେବା କରି ଆସିଥିବା ସଚିନ ନିଜ ‌ଖେଳ ଜୀବନ ମଧ୍ୟରେ ଅନେକ ସ୍ମରଣୀୟ ମୁହୂର୍ତ ଛା‌ଡ଼ିଛନ୍ତି ଏବଂ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରି ଯାଇଛନ୍ତି ଯାହା ଏବେ ବି ଅତୁଟ ଓ ଚିର ଅତୁଟ ରହିବାର ଆହ୍ବାନ ଦେଉଛି। ଏହି ଶାନ୍ତ, ସରଳ, ନିରୀହ ଚେହେରାର କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ପାଇଁ ଚଳିତ ସପ୍ତାହ ମଧ୍ୟ ସ୍ମରଣୀୟ ହୋଇଉଠିଛି। ରବିବାର ସଚିନ ତେନ୍ଦୁଲକର ନିଜ ଜୀବନର ଅର୍ଦ୍ଧଶତାବ୍ଦୀ ପୂର୍ଣ୍ଣ କରିବେ ଏବଂ ସୋମବାର ସ୍ବନକ୍ଷତ୍ରର ୫୦ତମ ବର୍ଷରେ ପାଦ ଥାପିବେ।

Advertisment

publive-image

୫୦ ବର୍ଷ ତଳେ ଏହି ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍‌ ୧୯୭୩ ମସିହା ଏପ୍ରିଲ୍‌ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଏବେ ଠାରୁ ସଚିନଙ୍କ ଜନ୍ମଦିନକୁ ଧୂମଧାମରେ ପାଳନ କରିବା ଆରମ୍ଭ ହୋଇଯାଇଛି। ଶନିବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ପଞ୍ଜାବ କିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ମ୍ୟାଚ୍‌ ଅବସରରେ ସଚିନ ମଧ୍ୟ ଆଗୁଆ ଜନ୍ମଦିନ ପାଳିଛନ୍ତି। ପୁରୁଣା ଦିନ ଭଳି ସଚିନ...ସଚିନ.. ସ୍ଲୋଗାନ ଓ ତାଳିମାଡ଼ରେ ଶନିବାର ମଧ୍ୟ ୱାଙ୍ଖ୍‌ଡେ କମ୍ପିଛି। ୧୦ ନମ୍ବର ଜର୍ସିକୁ ସମ୍ମାନିତ କରି କେକ୍ କାଟିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି। ୩୩,୦୦୦ ଦର୍ଶକଙ୍କ ମୁହଁରେ ତେନ୍ଦୁଲକର ମୁଖା ପରିଧାନ ମଧ୍ୟ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ ଏବଂ ସଚିନ ତେନ୍ଦୁଲକର ଷ୍ଟାଣ୍ଡକୁ ସ୍ବତନ୍ତ୍ର କରି ଦେଇଥିଲେ।

୫୦ତମ ଜନ୍ମଦିନ ପୂର୍ବରୁ ସଚିନଙ୍କ ପାଇଁ ସବୁଠାରୁ ବଡ଼ ଉପହାର କିନ୍ତୁ ମିଳିସାରିଛି। ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ ଆଇପିଏଲ୍ ପଦାର୍ପଣ ସବୁ ପିତାଙ୍କ ସ୍ବପ୍ନ ଭଳି ସଚିନଙ୍କ ଅନ୍ୟତମ ସ୍ବପ୍ନକୁ ନିଶ୍ଚିତ ସାକାର କରାଇଛି। ଦୁଇଦିନ ତଳେ ସନରାଇଜର୍ସ ବିପକ୍ଷ ମୁକାବିଲାରେ ଏହି ଲମ୍ବା ଚେହେରାର ବାମହାତୀ ଦ୍ରୁତ ବୋଲର ଅନ୍ତିମ ଓଭର ବୋଲିଂ କରି ଦଳକୁ ଜିତାଇବା ପରେ ଅଧିକ ପ୍ରଶଂସିତ ହୋଇଛନ୍ତି। ସେହି ରାତିରେ ସେ ଭୁବନେଶ୍ବର କୁମାରଙ୍କୁ ନିଜ ପ୍ରଥମ ଆଇପିଏଲ୍ ଶିକାର କରି ଶୁଭାରମ୍ଭ କରିଥିଲେ। ଶନିବାର ମଧ୍ୟ ଅର୍ଜୁନ ପଞ୍ଜାବ କିଙ୍ଗ୍ସର ପ୍ରାରମ୍ଭିକ ବ୍ୟାଟର୍‌ ପ୍ରଭସିମ୍ରନ ସିଂହଙ୍କୁ ଆଉଟ୍ କରି ଆଗକୁ ବଢ଼ିଛନ୍ତି। ଯଶପ୍ରୀତ ବୁମରା ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତିରେ ଅର୍ଜୁନଙ୍କ ଆଗମନ ମୁମ୍ବାଇ ଶିବିରକୁ ମଧ୍ୟ ନୂଆ ଦିଶା ଦେଖାଇଛି।

ସନ୍ନିଙ୍କ ପ୍ରଶଂସା
ଅର୍ଜୁନଙ୍କ ଆଗମନ ଓ ସଚିନଙ୍କ ସ୍ବର୍ଣ୍ଣିମ ସ୍ବନକ୍ଷତ୍ର ଅବସରରେ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ କେଇ ପଦ କଥା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଇନ୍‌ଷ୍ଟାଗ୍ରାମରେ ସନ୍ନି ଲେଖିଛନ୍ତି ‘ପ୍ରିୟ ସଚିନ-ଜୀବନର ସ୍ବର୍ଣ୍ଣ ଜୟନ୍ତୀ ପୂର୍ଣ୍ଣ ପୂର୍ବରୁ ଏକ ଚମତ୍କାର ଉପହାର ପାଇଛ। ୱାସିମ-ୱାକର, ଆମ୍ବ୍ରୋସ-ୱାଲ୍ସ-ବିଶପ, ୱର୍ଣ୍ଣ-ମ୍ୟାକଗ୍ରା, ଆଣ୍ଡରସନ୍‌-ବ୍ରଡ, ମୁରଲୀଧରନ-ଭାସଙ୍କୁ ଖେଳିବାଠାରୁ ଅର୍ଜୁନ କିଭଳି ଖେଳିବେର ଉତ୍କଣ୍ଠା ଆଦୌ ତୁଳନୀୟ ନୁହେଁ। ସଫଳତା ଓ ବିଫଳତା ତୁମ ହାତର କଥା ନୁହେଁ, କଠିନ ପରିଶ୍ରମ ସବୁକିଛି-ଅର୍ଜୁନ ଏହା କରି ଦେଖାଇଛନ୍ତି। ତୁମେ ଯେଭଳି ଖେଳକୁ ଜୀବନସାରା ଚମତ୍କାର ଭାବେ ଉପଭୋଗ କରିଛ, ଅର୍ଜୁନକୁ କୁହ ନିଜ ଖେଳକୁ ସେଭଳି ଉପଭୋଗ କରୁ’।