ଭୁବନେଶ୍ବର : ରବିବାର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍-୨୦୧୮ର ଉଦ୍ଯାପନୀ ଉତ୍ସବରେ ପୂର୍ବତନ କ୍ରିକେଟ ଖେଳାଳି ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଅତିଥି ଭାବେ ଯୋଗଦେବେ। ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଦେଖା ହେବ ବୋଲି ସଚିନ୍ ଆଜି ଟୁଇଟ୍ କରିବା ପରେ ଓଡ଼ିଶାରେ ଥିବା ତେନ୍ଦୁଲକର ପ୍ରଶଂସକଙ୍କ ହୃଦ୍ସ୍ପନ୍ଦନ ବଢ଼ି ଯାଇଛି। ରବିବାର ବେଲଜିୟମ୍ ଏବଂ ନେଦରଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଭାରତ କ୍ବାର୍ଟର ଫାଇନାଲରୁ ବିଦା ହେବା ପରେ ଓଡ଼ିଶାର ହକି ପ୍ରେମୀଙ୍କ ହୃଦ୍ସ୍ପନ୍ଦନ ଏକପ୍ରକାର କମି ଯାଇଥିଲା। କିନ୍ତୁ ସଚିନ୍ ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ବୋଲି ଟୁଇଟ୍ କରିବା ପରେ ହକି ପ୍ରଶଂସକଙ୍କ ସମେତ ସଚିନ୍ ପ୍ରଶଂସକଙ୍କ ହୃଦ୍ସ୍ପନ୍ଦନ ବଢ଼ିଯାଇଛି।
ସଚିନ୍ ଟୁଇଟ୍ କରିଛନ୍ତି, ସମଗ୍ର ଦେଶ ହକି ବିଶ୍ୱକପ୍କୁ ସମର୍ଥନ ଜଣାଉଥିବାର ଦେଖି ମୋତେ ଖୁସି ଲାଗୁଛି। ଏପରି ବିଶ୍ୱସ୍ତରୀୟ ଆୟୋଜନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ ଧନ୍ୟବାଦ। ଏହି ହକି ମହାକୁମ୍ଭକୁ ନିଜର ସମର୍ଥନ ଜଣାଇବା ପାଇଁ ସେ ଓଡ଼ିଶା ଆସୁଥିବା କହିଛନ୍ତି। ସେ କହିଛନ୍ତି, ‘ମୁଁ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍କୁ ଆସିବି, ସେଇଠି ଦେଖାହେବ।’
ଏହି ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର୍, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ପ୍ରମୁଖ ଅତିଥି ଭାବେ ଯୋଗଦେବେ।