ସଚିବାଳୟ ଏଣିକି ଲୋକସେବା ଭବନ

ପୁଲିସ ଆଇନ ଅନୁମୋଦନ ପାଇଁ ପୁଣି ଗୃହକୁ ଆସିବ

ଭୁବ‌େନଶ୍ବର : ରାଜ୍ୟ ସଚିବାଳୟ ବା ସେକ୍ରେଟେରିଏଟ୍ ଏଣିକି ଲୋକସେବା ଭବନ ଭାବେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ଘୋଷଣା କରିଛନ୍ତି।

ଗୃହ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବଜେଟ୍‌ ଅଭିଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟବାସୀଙ୍କ ନିକଟରେ ମୁଁ ଅତ୍ୟନ୍ତ ଋଣୀ ଏବଂ ସେମାନଙ୍କର ଆଶା, ଆକାଂକ୍ଷାକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିବି। ଗଣତନ୍ତ୍ରରେ ଜନତା େହଉଛନ୍ତି ଜନାର୍ଦ୍ଦନ। ଆମେ ସେମାନଙ୍କର ସେବା କରିବାକୁ ଅଛୁ। ଏହି ସୁଯୋଗର ସଦୁପଯୋଗ କରିବାକୁ ଯାଇ ଘୋଷଣା କରୁଛି ଯେ, ସଚିବାଳୟ ଏଣିକି ଲୋକସେବା ଭବନ ଭାବେ ପରିଚିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧିକ ସ୍ଥିତି ଏବେ ପୂରା ନିୟନ୍ତ୍ରଣାଧୀନ ‌ଅଛି। ନିକଟରେ ରାଜ୍ୟରେ ଏକସ‌େଙ୍ଗ ହୋଇଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କୌଣସି ଗୋଷ୍ଠୀ ଏବଂ ଛାତ୍ରଜନିତ ଗଣ୍ଡଗୋଳ ହୋଇନାହିଁ। ଶିଳ୍ପାନୁଷ୍ଠାନରେ ଘଟିଥିବା କିଛି ଅଘଟଣ, ଚାଷୀ ଏବଂ ଶ୍ରମିକ ‌ସଂଘ ଦ୍ବାରା ସୃଷ୍ଟି ହୋଇଥିବା ବିଭିନ୍ନ ପରିସ୍ଥିତିକୁ ଅତ୍ୟନ୍ତ ଚତୁରତା ଏବଂ ସହନଶୀଳତାର ସହ ନିୟନ୍ତ୍ରଣ କରାଯାଇଛି।

ଗତ କିଛି ବର୍ଷ ମଧ୍ୟରେ ମାଓବାଦୀ ଜନିତ ସମସ୍ୟାରେ ବହୁତ ସୁଧାର ଆସିଛି। କେବଳ କିଛି ପାହାଡ଼ିଆ ଅଞ୍ଚଳ, ଅପହଞ୍ଚ ଅଞ୍ଚଳ, ଅନ୍ତଃରାଜ୍ୟ ସୀମା ଯେପରି ଓଡ଼ିଶା-ଆନ୍ଧ୍ର ସୀମା, ଓଡ଼ିଶା-ଛତିଶଗଡ଼ ସୀମା ଏବେ ବି ଚିନ୍ତାଜନକ ଅଛି। ୨୦୧୮ରେ ୧୯ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଏବଂ ଚଳିତବର୍ଷ ୭ଜଣ ମାଓବାଦୀଙ୍କୁ ମରାଯାଇଛି। ଗୁରୁପ୍ରିୟା ସେତୁୁ ଉଦ୍‌ଘାଟନ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସ୍ବାଭିମାନ ଅଞ୍ଚଳକୁ ସମନ୍ବିତ କରିବା ପାଇଁ ଆମର ଉଦ୍ୟମକୁ ଫଳପ୍ରଦ କରିଛି।

ସରକାର ମହିଳାଙ୍କ ସୁରକ୍ଷା, ସମାଜର ପିଲା ଏବଂ ଦୁର୍ବଳବର୍ଗଙ୍କୁ ସବୁଠୁ ଅଧିକ ପ୍ରାଥମିକତା ଦେଇଛି। ମହିଳାମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧକୁ ପରିଚାଳନା କରିବା ପାଇଁ ୨୯ଟି ଜିଲ୍ଲାରେ ସ୍ବତନ୍ତ୍ର ତଦନ୍ତ ୟୁନିଟ ଗଠନ କରିବା ସହ ମହିଳା ଏବଂ ଶିଶୁ ଡେସ୍କ ଏବଂ ସମନ୍ବିତ ମାନବ ଚାଲାଣ ବିରୋଧୀ ୟୁନିଟ ଖୋଲାଯାଇଛି। ନାବାଳିକା ବଳାତ୍କାର ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକୁ ରେଡ୍‌ ଫ୍ଲାଗ୍ ମାମଲା ଭାବେ ବିଚାର କରାଯାଇ ଏହାର ଠିକ୍ ପରିଚାଳନା ଏବଂ ତଦନ୍ତ କରି ଦଣ୍ଡାଦେଶ ହାରକୁ ବଢ଼ାଯାଇପାରିଛି।

ରାଜ୍ୟ ପୁଲିସ ଏବେ ସଂଗଠିତ ଅପରାଧ ଏବଂ ଅର୍ଥ‌ୈନତିକ ମାମଲାଗୁଡ଼ିକ ଉପରେ ଜୋର୍ ଦେଉଛି। କୁଖ୍ୟାତ ଅପରାଧୀ ଏବଂ ମାଫିଆମାନଙ୍କୁ ଗିରଫ କରାଯାଉଛି। ଡ୍ରଗ୍ସ ବେପାର, ଖଣି ଚୋରାଚାଲାଣ ଏବଂ ପରିବହନ ମାଫିଆଙ୍କ ସହ ସଂପୃକ୍ତ ଅପରାଧୀଙ୍କୁ ପୁଲିସ ଏବେ ତନାଘନା କରୁଛି। ରାଜ୍ୟରେ ଦଣ୍ଡବିଧାନ ହାର ବଢ଼ାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହାସହ ୧୪୮ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର୍ସ ଏବଂ ୧୧ଜଣ ପବ୍ଲିକ ପର୍ସିକ୍ୟୁଟର୍ସଙ୍କୁ ନିଯୁକ୍ତି ଦିଆଯାଇଛି।

ରାଜ୍ୟ ସରକାର ପୁଲିସ ବଳକୁ ଅତ୍ୟାଧୁନିକ କରିବା ଏବଂ ପ୍ରଯୁକ୍ତି ବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ପୁଲିସ ଏବେ ସିଟିଜେନ୍ ପୋର୍ଟାଲର ଅଂଶ ଭାବେ ୧୮ଟି ‌େସବା ସିସିଟିଏନ୍‌ଏସ୍‌ରେ ଦେଉଛନ୍ତି। ସରକାର ଲୋକଙ୍କ କଲ୍ୟାଣକୁ ସର୍ବଦା ଗୁରୁତ୍ବ ଦେଇଆସିଛି େବାଲି ସୂଚନା େଦଇ ସେ କହିଥିଲେ, ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ବାତ୍ୟା ଫନି ପରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ସଂଗଠନ ୪୬୨କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ସରକାରୀ ସେବାଙ୍କୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାକୁ ଉଚ୍ଚସ୍ତରକୁ ନେବା ପାଇଁ ୫-ଟି ମନ୍ତ୍ର ପ୍ରତିପାଦିତ କରିଛି। ଯଥା ଟେକ୍ନୋଲୋଜି, ଟିମ୍ ୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟାଇମ୍ ଲିଡିଂ ଟୁ ଟ୍ରାନ୍ସଫରମେସନ୍। ରାଜ୍ୟ ଭିତରେ ଆକାଶ ପଥରେ ସଂଯୋଗୀକରଣକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ରଙ୍ଗେଇଲୁଣ୍ଡା, ଜୟପୁର, ସତିଭଟା, ଉତକେଲା, ତୁସ୍‌ରା, ବିରସାଲରେ ଏୟାରଷ୍ଟ୍ରିପର ଉନ୍ନତୀକରଣ କରୁଛନ୍ତି। ଏଥିପାଇଁ ୧୦୦କୋଟିର ବ୍ୟବସ୍ଥା କରାଯାଇଛି। ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ମୋ ସରକାର ପ୍ରତିବଦ୍ଧ ଅଛି। ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ମାର୍ଚ୍ଚ ୨୦, ୨୦୧୯ରୁ କାର୍ଯ୍ୟ କରୁଛି।

ସେହିଭଳି ରାଜ୍ୟ ଭିଜିଲାନ୍ସକୁ ଆଧୁନିକୀକରଣ କରିବା ଏବଂ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଗତବର୍ଷ ଭିଜିଲାନ୍ସ ଏକାଡେମି ପ୍ରତିଷ୍ଠା ହୋଇଛି। ପାଇଁ ଏକ ନୂତନ ଭିଜିଲାନ୍ସ ଡିଭିଜନ ଅନୁମୋଦିତ ହୋଇଛି। ୨୦୧୯ରେ ରାଜ୍ୟ ଭିଜିଲାନ୍ସ ୧୩୭ଟି ଅପରାଧିକ ମାମଲା ରୁଜୁ କରିଥିବା ବେଳେ ଏଥିରେ ୨୬ଟି ମାମଲା ଆୟବର୍ହିଭୂତ ସମ୍ପତି ଜନିତ ମାମଲା ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଧାନସଭାରେ ମାନ୍ୟବର ସଦସ୍ୟମାନେ ଦେଇଥିବା ମୂଲ୍ୟବାନ ମତାମତକୁ ସେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ େନବେ। ପୁଲିସ ଆଇନକୁ ଅନୁମୋଦନ ପାଇଁ ମୋ ସରକାର ପଦକ୍ଷେପ ନେବ। ଯଦି ଆମ ରାଜ୍ୟ ଜାତୀୟ ଅଭିବୃଦ୍ଧି ହାର ଠାରୁ ଅଧିକ ହାରରେ ଉନ୍ନତି କରୁଛି, ଯଦି ରାଜ୍ୟକୁ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ଆସୁଛି ତାହା କେବଳ ରାଜ୍ୟର ଶାନ୍ତିପୂର୍ଣ୍ଣ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସମ୍ଭବ ହୋଇଛି। ସାଢ଼େ ଚାରି କୋଟି ଓଡ଼ିଶାବାସୀ ଆମ ସରକାରକୁ ପଞ୍ଚମ ଥର ପାଇଁ ଆଶୀର୍ବାଦ ଦେଇଛନ୍ତି, ତାହାର କାରଣ ହେଉଛି ଆମ ଶାସନର ମଡେଲ ପ୍ରତି ସେମାନେ ବିଶ୍ବାସ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର