ଭୁବନେଶ୍ୱର : ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ଆପାତତଃ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଛି। ଗୋଟିଏ ଗୋଷ୍ଠୀ ଏହାର ସଭାପତିଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଅନ୍ୟ ଗୋଷ୍ଠୀ ସାଧାରଣ ସଂପାଦକଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି। ସଭାପତିଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସମାବେଶ ଚଳାଇଛନ୍ତି। ପ୍ରତିପକ୍ଷ ଗୋଷ୍ଠୀ ସଭାପତିଙ୍କ ବିରୁଦ୍ଧରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉଭୟ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ନେଇ ସଚିବାଳୟ କର୍ମଚାରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ସଚିବାଳୟରେ ସେବା ସଂଘ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା। ସଚିବାଳୟ ସେବା ଅଧିକାରୀଙ୍କୁ ସଠିକ୍ ଦରମା ହାର ପ୍ରଦାନ ଓ ସଚିବାଳୟ ସେବା କ୍ୟାଡରର ପୁନର୍ଗଠନ ଦାବି ନେଇ ଶ୍ରୀ ମହାପାତ୍ର ଓ ତାଙ୍କ ସମର୍ଥକମାନେ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସୂଚନାଯୋଗ୍ୟ, ଏହି ଦାବି ନେଇ ଆସନ୍ତା ୪ ତାରିଖରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଲୋଚନାର କାର୍ଯ୍ୟକ୍ରମ ରହିଥିବା ଦର୍ଶାଇ ଗୃହ ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଶ୍ରୀ ମହାପାତ୍ରଙ୍କୁ ପତ୍ର ଦିଆଯାଇଛି।
ସେ ପଟେ ସେବା ସଂଘ ସାଧାରଣ ସଂପାଦକ ବିବେକାନନ୍ଦ ସାମଲ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସଂଘ ସଭାପତିଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ କରି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ୨୫ ତାରିଖରେ ସେ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେବା ସଂଘର ଘର ଭଡ଼ା ବାବଦରେ ଆଦାୟ ହେଉଥିବା ମାସିକ ୭ ହଜାର ଟଙ୍କା ଦୀର୍ଘ ଦିନରୁ ସଭାପତି ସଂଘର ହିସାବଖାତାରେ ଦାଖଲ କରୁନାହାନ୍ତି। ସଭାପତି ଏହା ପୂର୍ବରୁ ସଂଘର ସାଧାରଣ ସଂପାଦକ ଥିବା ବେଳେ ତାଙ୍କ ହାତରେ ଥିବା ୧୮ ହଜାର ଟଙ୍କା ଫେରାଇ ନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଆରମ୍ଭରୁ ସଂଘର ଆୟ, ବ୍ୟୟ, ବିଲ୍, ଭାଉଚର୍ ଆଦି ପ୍ରାକ୍ତନ ସାଧାରଣ ସଂପାଦକ ତଥା ବର୍ତମାନର ସଭାପତି ଦାଖଲ କରିନଥିବା ସେ ଦର୍ଶାଇଛନ୍ତି।