ସଚିବାଳୟ ସେବା ସଂଘ ନିର୍ବାଚନ ପାଇଁ ବାଟ ଫିଟିଲା

ସପ୍ତାହେ ଭିତରେ ସାଧାରଣ ପରିଷଦ ବୈଠକ ଡାକିବାକୁ ସାଧାରଣ ସମ୍ପାଦକଙ୍କ ପ୍ରତିଶ୍ରୁତି
ବୈଠକରେ ଯୋଗ ଦେଲେନି ସଭାପତି, ସଂଘ କର୍ମକର୍ତ୍ତାଙ୍କ ଅସନ୍ତୋଷ

ଭୁବନେଶ୍ବର : ସର୍ବପୁରାତନ କର୍ମଚାରୀ ସଂଘ ସଚିବାଳୟ ସେବା ସଂଘର ନିର୍ବାଚନ ନେଇ ଅଚଳାବସ୍ଥା ଖୁବଶୀଘ୍ର ଦୂର ହେବ। ଆଜି ସଂଘର ବରିଷ୍ଠ ସଦସ୍ୟମାନଙ୍କ ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଆସନ୍ତା ଏକ ସପ୍ତାହ ଭିତରେ ସଂଘର ସାଧାରଣ ପରିଷଦ ବୈଠକ ଡାକି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଂଘ ସାଧାରଣ ସମ୍ପାଦକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବୈଠକକୁ ନ ଆସି କେତେକ କାର୍ଯ୍ୟକାରୀ ସଦସ୍ୟଙ୍କୁ ଧରି ସଂଘ ସଭାପତି ଭିତିରିଆ ନିର୍ବାଚନ କମିସନ ନିଯୁକ୍ତି କରିଥିବା ନେଇ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୭ ମାସ ହେଲାଣି ସଚିବାଳୟ ସେବା ସଂଘ ନେତୃତ୍ବ ବିହୀନ ହୋଇ ରହିଛି। ଗତବର୍ଷ ଜୁଲାଇ ମାସରୁ ନିର୍ବାଚିତ ସଦସ୍ୟମାନଙ୍କ କାର୍ଯ୍ୟକାଳ ସରିଥିଲେ ବି ନୂତନ କର୍ମକର୍ତ୍ତା ଚୟନ ହୋଇ ପାରିନି। ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ପରବର୍ତ୍ତୀ ନିର୍ବାଚନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ କରିବାକୁ ସଂଘର ୧୨୦୦ ସଭ୍ୟ ଗୃହ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଭ୍ୟମାନଙ୍କ ନିବେଦନ ଉପରେ ବିଚାର କରି ଗତ ଅକ୍ଟୋବର ଶେଷ ସୁଦ୍ଧା ସଂଘ ନିର୍ବାଚନ କରିବାକୁ ଗୃହ ବିଭାଗ ସଚିବ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବି କାର୍ଯ୍ୟକାରୀ ହେଲାନି। ପୂର୍ବପରି ଅଚଳାବସ୍ଥା ଜାରି ରହିଲା।
ଏବେ କେତେକ ନୂତନ ସହକାରୀ ଉପବିଭାଗ ଅଧିକାରୀ ସଂଘକୁ ପୁଣି ଥରେ ଗତିଶୀଳ କରିବା ପାଇଁ ଆଗେଇ ଆସିଛନ୍ତି। ସଂଘର ପୂର୍ବତନ ସଭାପତି ଓ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ନିର୍ବାଚନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଗୁରୁବାର ବରିଷ୍ଠ ସଦସ୍ୟ ପଦ୍ମଲୋଚନ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। କିନ୍ତୁ ବୈଠକକୁ ସଭାପତି ଓ ତାଙ୍କ ସମର୍ଥକ ଆସିନଥିଲେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅଧିକୃତ ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ, ୯ଜଣ ସଦସ୍ୟ ବିଶିଷ୍ଟ ସାଧାରଣ ପରିଷଦ ବୈଠକ ପରେ ଖୁବ୍‌ଶୀଘ୍ର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେବ। ଏବର ତଥାକଥିତ ସଭାପତି ସଂଘକୁ ଭୁଲ ବାଟରେ ପରିଚାଳିତ କରୁଥିବା ନେଇ ଅଭିଯୋଗ କରି ବରିଷ୍ଠ ସଦସ୍ୟ ଡମ୍ବରୁଧର ଘଣା କହିଥିଲେ, ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚୁପ ବସିବା ପରେ ଗତକାଲି କିଛି କାର୍ଯ୍ୟକାରୀ ସଦସ୍ୟଙ୍କୁ ଧରି ସେ ନିର୍ବାଚନ କମିସନ ନିଯୁକ୍ତ କରିଛନ୍ତି। ଯାହା ସଂଘର ବାଇ-ଲ ଅନୁଯାୟୀ ବେଆଇନ। ଏପରି କରିବା ସଭାପତିଙ୍କ କ୍ଷମତା ବାହାରେ ଓ ପରମ୍ପରା ବିରୋଧୀ। ସାଧାରଣ ସମ୍ପାଦକ ଶ୍ରୀ ସାମଲ ମଧ୍ୟ ସମାନ ଅଭିଯୋଗ ଆଣି କହିଥିଲେ, ନିର୍ବାଚନ କମିସନ ନିଯୁକ୍ତି ନେଇ ସଭାପତି କରିଥିବା ବୈଠକରେ ତାଙ୍କୁ ଡକାଯାଇ ନ ଥିଲା କି କିଛି ବି ସୂଚନା ପ୍ରଦାନ କରାଯାଇ ନ ଥିଲା।

ସମ୍ବନ୍ଧିତ ଖବର