ବାସୁଦେବପୁର/ଇରମ: ଇଂରେଜ ଶାସନରୁ ଭାରତ ମାଟିକୁ ମୁକ୍ତି କାମନା ପାଇଁ ସହିଦ୍ ହୋଇଥିବା ସଂଗ୍ରାମୀଙ୍କ ବଳିଦାନରେ ଆଜି ଦେଶ ସମୃଦ୍ଧ। ସେମାନଙ୍କ ବଳିଦାନରେ ଦେଶ ସ୍ବତନ୍ତ୍ର ପରିଚୟ ପାଇଛି। ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ଝାସ ଦେବା ବେଳେ ହିଁ ରାଷ୍ଟ୍ର ଗଠନରେ ନିଅଁ ପଡ଼ିଥିଲା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ରକ୍ତତୀର୍ଥ ଇରମ ସହିଦ୍ ପୀଠରେ ୮୧ତମ ସହିଦ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ସହିଦ୍ ସ୍ମୃତି କମିଟି ସଭାପତି ଭାଗୀରଥି ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ କହିଲେ, ଯେଉଁ ସଂଗ୍ରାମୀଙ୍କ ପାଇଁ ଦେଶ ସ୍ବାଧୀନତା ପାଇଛି ସେମାନେ ଚିର ନମସ୍ୟ। ସେମାନଙ୍କୁ ଏ ମାଟି କେବେ ଭୁଲିବା ଉଚିତ ନୁହେଁ।
ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସ୍ଥାନୀୟ ସରପଞ୍ଚ ସାବିତ୍ରୀ ବଳ, ସମିତିସଭ୍ୟା ଲଗ୍ନିକା ମଲ୍ଲିକ ସହିଦ୍ମାନଙ୍କ ବଳିଦାନ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ନାୟକ ଅତିଥି ପରିଚୟ ଦେଇଥିଲେ। ଗବେଷକ ଅଜୟ କୁମାର ପଣ୍ଡାଙ୍କ ପୁସ୍ତକ ‘ପଥେ ପଥେ ଇରମ’ ଉନ୍ମୋଚିତ ହୋଇଥିଲା। ଇରମର ପ୍ରବେଶପଥ ମନ୍ଦାରୀ ନିକଟରେ ସହିଦ୍ ପୀଠ ଗେଟ୍କୁ ଉଦ୍ଘାଟନ କରାଯିବା ସହିତ ଇରମର ଏକମାତ୍ର ମହିଳା ସଂଗ୍ରାମୀ ପରି ବେୱାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ସହିଦ୍ ଦିବସ ଉପଲକ୍ଷେ ସକାଳେ ପ୍ରଭାତ ଫେରି ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବିଡିଓ ସତ୍ୟଜିତ ରାଉତ, ତହସିଲଦାର ସୌଭାଗ୍ୟରଞ୍ଜନ ପଣ୍ଡାଙ୍କ ସମେତ ବାସୁଦେବପୁର ସହିଦ୍ ତୀର୍ଥଯାତ୍ରୀ ସଂଗଠନ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ସହିଦ୍ ପୀଠରେ ଉପସ୍ଥିତ ରହି ବୀର ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।