ସମ୍ବଲପୁର: ‘୨୩ ଜାନୁଆରି ହେଉଛି ପରାକ୍ରମ ଦିବସ। ଦୁଇଜଣ ଅନନ୍ୟ ପରାକ୍ରମୀ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି। ସେମାନଙ୍କ ବିଚାରଧାରାରେ ଦେଶ ଓ ଜାତିର କଲ୍ୟାଣ ପାଇଁ ସମର୍ପଣ ଏବଂ ସଂକଳ୍ପ କରିବାର ଏକ ଦିନ। ସୁରେନ୍ଦ୍ର ସାଏଙ୍କ ସଂଘର୍ଷ ଓ ବଳିଦାନ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇଛି। ୨୦୦ ବର୍ଷ ପୂର୍ବରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଯେଉଁ ଲଢ଼େଇ ହୋଇଥିଲା, ତାହା ସମଗ୍ର ବିଶ୍ବରେ ବଳିଦାନର ଏକ ବିରଳ ଉଦାହରଣ। ସୁରେନ୍ଦ୍ର ୩୭ ବର୍ଷ ଏବଂ ତାଙ୍କ ଭାଇ ଉଦନ୍ତ ସାଏ ୪୭ ବର୍ଷ ଜେଲ୍‌ରେ ରହିଥିଲେ। ଏହି ଲଢ଼େଇରେ ସୁରେନ୍ଦ୍ର ସାଏଙ୍କ ସହିତ ତାଙ୍କ ୬ ଭାଇ ଧ୍ରୁବ ସାଏ, ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏଙ୍କ ସମେତ ଘେଁସ ଜମିଦାର ପରିବାରର ସଦସ୍ୟମାନେ ସାମିଲ ଥିଲେ। ତାଙ୍କ ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡ଼ିଆ ଜାତିର ବୀରତ୍ୱର ପ୍ରତିଫଳନ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶକୁ ସ୍ୱାଧୀନତା ଦେବା ପାଇଁ ସଶସ୍ତ୍ର ଯୁଦ୍ଧ ବଳରେ ସୁନିୟୋଜିତ ସଂଗ୍ରାମ କରିଥିଲେ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ଏବଂ ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ଏହି ସମୟରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ଏକବିଂଶ ଶତାବ୍ଦୀରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କ ତ୍ୟାଗ, ନିଷ୍ଠା ଓ ସମର୍ପଣ ଭାବନାକୁ ପୁଣି ଥରେ ଉଜାଗର କରିବା’ ବୋଲି ଗୁରୁବାର ସମ୍ୱଲପୁର ଗାନ୍ଧୀ ମଇଦାନରେ ‘ସମ୍ବାଦ-ଆମଓଡ଼ିଶା’ ତରଫରୁ ଆୟୋଜିତ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇ ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି। 

‘ସମ୍ବାଦ-ଆମଓଡ଼ିଶା’ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ସମାରୋହ 

ପ୍ରତି ପରିବାରରୁ ପରିବେଶ ଯୋଦ୍ଧା ତିଆରି ପାଇଁ ଆହ୍ବାନ

Advertisment

ସମ୍ମାନିତ ଅତିଥି ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ କହିଲେ, ଆଜି ଏକ ପ୍ରେରଣାର ଦିନ। ଏହି ମାଟିର ସୁଯୋଗ୍ୟ ସନ୍ତାନ ସୁରେନ୍ଦ୍ର ସାଏ ସମ୍ବଲପୁରଠାରୁ ଛତିଶଗଡ଼ ପର୍ଯ୍ୟନ୍ତ ଆଦିବାସୀ ଜମିଦାର ପରିବାରମାନଙ୍କ ସହଯୋଗରେ ଇଂରେଜ ବିରୋଧରେ ସଶସ୍ତ୍ର ସଂଗ୍ରାମ କରି ୩୭ ବର୍ଷ ଜେଲ୍‌ ଯାଇଥିଲେ। ଅନ୍ୟଦିଗରେ ‘ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ର ବାର୍ତ୍ତା ଦେଇ ସୁଭାଷ ବୋଷ ଆଜାଦ ହିନ୍ଦ୍‌ ଫୌଜ ଗଠନ କରିଥିଲେ। ଅସମୟରେ ତାଙ୍କ ମୃତ୍ୟୁ ହୋଇନଥିଲେ ଇତିହାସର ଗତିରେ ପରିବର୍ତ୍ତନ ହୋଇଥାଆନ୍ତା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଲେ, ୧୮୫୭ ମସିହାର ୩୦ ବର୍ଷ ପୂର୍ବରୁ ଯାହାଙ୍କ ରଣକୌଶଳକୁ ଇଂରେଜ ସରକାର ଭୟ କରୁଥିଲେ ସେ ଥିଲେ ସୁରେନ୍ଦ୍ର ସାଏ। ଏପରିକି ସନ୍ଧି ଆଳରେ ଷଡ୍‌ଯନ୍ତ୍ର କରି ତାଙ୍କୁ ବନ୍ଦୀ କରାଯାଇଥିଲା। ସେହିପରି ସୁଭାଷ ବୋଷ ଇଂରେଜ ସେନା ଭିତରେ ବିଦ୍ରୋହ କରାଇ ସ୍ବାଧୀନତା ପାଇଁ ଅଭିନବ ଲଢ଼େଇ ଲଢ଼ିଥିଲେ। 
ଜୟନ୍ତୀ ସଭାରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ, ଜଣେ ବ୍ୟକ୍ତି ଏବଂ ସମାଜ ପାଇଁ ସ୍ବାଧୀନତାଠାରୁ ମୂଲ୍ୟବାନ କିଛି ନାହିଁ। ବୀର ସୁରେନ୍ଦ୍ର ସାଏ ଏବଂ ସୁଭାଷ ବୋଷ ନିଜ ଲକ୍ଷ୍ୟ ହାସଲ ପାଇଁ ଯେଉଁଭଳି ଭାବରେ ସଂଗ୍ରାମ କରିଥିଲେ ତାହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଅସ୍ମିତା ସର୍ବାଧିକ ଟ୍ରେଣ୍ଡ୍‌ କରିଥିବା ଶବ୍ଦ। ଅସ୍ମିତା ହେଉଛି ମିଠା ଅହଙ୍କାର। ତାର ନିର୍ଦ୍ଦିଷ୍ଟ ପରିଭାଷା ନାହିଁ। ମାଟି ଏବଂ ପ୍ରକୃତିର ସୁରକ୍ଷା ହିଁ ସମସ୍ତଙ୍କର ଦାୟିତ୍ବ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରରୁ ପରିବେଶ ଯୋଦ୍ଧା ତିଆରି ପାଇଁ ଆହ୍ବାନ ଦେଇଥିଲେ। ବାର୍ତ୍ତା ସମ୍ପାଦକ ଭବାନୀଶଙ୍କର ତ୍ରିପାଠୀ କହିଥିଲେ, ସ୍ବାଧୀନତା ସଂଗ୍ରାମର ମନ୍ତ୍ରଦାତା ପଶ୍ଚିମ ଓଡ଼ିଶାରେ ଜନ୍ମ ନେଇଥିବା ସୁରେନ୍ଦ୍ର ସାଏ ଏବଂ ଉପକୂଳ ଓଡ଼ିଶାରେ ଜନ୍ମିତ ସୁଭାଷ ବୋଷଙ୍କ ଜୟନ୍ତୀ ଗୋଟିଏ ଦିନରେ ପଡ଼ିବା ସ୍ବାଧୀନତା ସଂଗ୍ରାମର ବିରଳ ସଂଯୋଗ। ଶିବାଜୀଙ୍କ ସ୍ଥାନ ଯେଉଁଠି ବୀର ସୁରେନ୍ଦ୍ର ସାଏଙ୍କ ସ୍ଥାନ ତାଙ୍କଠାରୁ ଉଚ୍ଚରେ ବୋଲି ପ୍ରକାଶ କରି ସେ ଉଭୟ ବରପୁତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ସୁବ୍ରତ ନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହିତ ଅତିଥି ପରିଚୟ ଦେଇଥିଲେ। ଅଭିନେତା ରାମାଶିଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ସହସମ୍ପାଦକ ଲକ୍ଷ୍ମୀନାରାୟଣ ହୋତା ବୀର ବେଶ ଓ ସ୍ଲୋଗାନ୍‌ ପ୍ରତିଯୋଗିତା ପୁରସ୍କାର ବିତରଣ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ଧନ୍ୟବାଦ ଦେଇଥିଲେ। 

ପ୍ରତ୍ୟୁଷରେ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାରୁ‌ ଏକ ମଶାଲ ଶୋଭାଯାତ୍ରା ବାହାରି ଉତ୍ସବସ୍ଥଳରେ ପହଞ୍ଚିଥିଲା। ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କରି ସ୍ବାମୀ ନିତ୍ୟଚୈତନ୍ୟ କହିଲେ, ସୁରେନ୍ଦ୍ର ସାଏ ଏବଂ ସୁଭାଷ ବୋଷଙ୍କ ଭଳି ମହାନ ବ୍ୟକ୍ତିଙ୍କ ଆଦର୍ଶକୁ ଜୀବନରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ଦିନେ ସେ ଦୁନିଆ ପରିବର୍ତ୍ତନର ଆଶା ନେଇ ରଂଗିନ ଚଳଚ୍ଚିତ୍ର ଜଗତ ଛାଡ଼ି ସନ୍ନ୍ୟାସୀ ହୋଇଥିଲେ। ସମସ୍ତ ବିଦ୍ୟାର୍ଥୀଙ୍କୁ ନିଜ ଆଶ୍ରମରେ ଯୋଗ ପ୍ରଶିକ୍ଷଣ ପାଇଁ ସେ ଆହ୍ବାନ ଦେଇଥିଲେ। ଏହାପରେ ସ୍ବାମୀ ନିତ୍ୟଚୈତନ୍ୟ ପତକା ଦେଖାଇ ବିଶାଳ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଗାନ୍ଧୀପାର୍କରୁ ବାହାରିଥିବା ‌ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରିବା ଅବସରରେ ଜେଲ୍‌ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଭିନ୍ନ ସ୍କୁଲ ଏବଂ କଲେଜ ବିଦ୍ୟାର୍ଥୀଙ୍କ ସହର ପରିକ୍ରମା ଆକର୍ଷଣର କେନ୍ଦ୍ର ହୋଇଥିଲା। ବିକାଶ ସ୍କୁଲ ବିଦ୍ୟାର୍ଥୀମାନେ ଆବାହନୀ ନୃତ୍ୟ, ଉଡାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ହୋପ୍‌ ସ୍କୋପ୍‌ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍‌ ପକ୍ଷରୁ ସଚେତନତାଧର୍ମୀ ନାଟକ ପରିବେଷିତ ହୋଇଥିଲା। କଣ୍ଠଶିଳ୍ପୀ ଉମାକାନ୍ତ ବାରିକଙ୍କ ସଙ୍ଗୀତ ସମସ୍ତଙ୍କୁ ବିମୋହିତ କରିଥିଲା। ଏହି ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‘ସମ୍ବାଦ-ଆମଓଡ଼ିଶା’ ଏବଂ ଏନ୍‌ଏସ୍‌ଏସ୍‌ର ପିଜି ୟୁନିଟ୍‌ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୫୪ ଜଣ ଏବଂ ଆଦିତ୍ୟ ଆଲୁମିନା ଲପଙ୍ଗାରେ ୧୪୩ ଜଣ ରକ୍ତଦାନ କରିଥିଲେ। ‘ସମ୍ବାଦ’ର ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।