ଭୁବନେଶ୍ୱର: ମୁଣ୍ଡଫଟା ଖରା, ଗମଗମ ହୋଇ ଝାଳ ବୋହିପଡୁଛି ସତ କିନ୍ତୁ ଲୋକଙ୍କ ସୁରକ୍ଷା ପାଇଁ ରାସ୍ତାରେ ସେମିତି ଛିଡା ହୋଇରହିଛନ୍ତି ଅନେକ ପୁଲିସ କର୍ମଚାରୀ | ଲୋକ କିଭଳି ଲକଡାଉନକୁ ମାନିବେ ଓ ଘରୁ ନ ବାହାରି ସୁରକ୍ଷିତ ରହିପାରିବେ ସେଥିପାଇଁ ପୁଲିସ ବେଳେବେଳେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛି | କିଛି ଅମାନିଆଙ୍କ ରୋଷର ଶିକାର ହେବାକୁ ମଧ୍ୟ ପଡୁଛି | ଏସବୁ ପରେ ବି କେବେ ଭାବିଛନ୍ତି କି ପୁଲିସ ଭାଇ ଓ ଭଉଣୀମାନଙ୍କ ନାଲି ଆଖି ପଛରେ ଥିବା ଅକୁହା କୋହକୁ, ସେମାନଙ୍କର ବି ପରିବାର ଅଛି | ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଏକଦମ ସତ | ହଜାର ହଜାର ପୁଲିସ କର୍ମଚାରୀ କିଭଳି ନିଜ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି |
”ମୋର ଗୋଟିଏ ୨ ବର୍ଷର ଝିଅ ଅଛି, ସିଏ ମତେ ବହୁତ ଖୋଜେ, ମୋର ବହୁତ ଇଚ୍ଛା ତା ପାଖକୁ ଯିବା ପାଇଁ ତାକୁ ଟିକେ ଗେଲ କରିବା ପାଇଁ, ଯଦି ଆପଣ ଟିକେ ଘରେ ରହିପାରନ୍ତେ, ମୁଁ ଝିଅକୁ ଟିକେ ଦେଖିପାରନ୍ତି ”ଦିନ ୨ଟାବେଳେ ମୁଣ୍ଡଫଟା ଖରାରେ ରାସ୍ତାରେ ଛିଡାହୋଇରହିଛନ୍ତି ଏହି ମହିଳା ପୁଲିସ କର୍ମୀ | ଦେହରେ ଖାକି ବର୍ଦ୍ଦି ସାଙ୍ଗକୁ ଲୋକଙ୍କୁ ସଚେତନ କରିବାର ଦାୟିତ୍ୱ, ଏସବୁ ଭିତରେ ବି ତାଙ୍କ ଘରେ କୁନି ଝିଅଟିଏ ଅଛି | ମା କୋଳକୁ ବେଶ ଝୁରୁଥିବା ଝିଅ କଥା ବି ମନେପଡୁଛି | ତେବେ କର୍ତ୍ତବ୍ୟ ପାଇଁ ଘରକୁ ଯାଇହେଉନି | ସେମିତି ଆଉ ଜଣେ ପୁଲିସ ଭାଇଙ୍କର ବାପାଙ୍କ ଅପରେସନ ହୋଇଛି | ତାଙ୍କ ଛଡା ଘରେ ଆଉ କେହି ନାହାନ୍ତି | ବାପାଙ୍କୁ ଦେଖିବାକୁ ମନ ବ୍ୟାକୁଳ ହେଉଥିଲେ ବି ଲୋକଙ୍କ ପାଇଁ ସେ ସେମିତି କାମ କରିଚାଲିଛନ୍ତି |
କରୋନା ପାଇଁ ସାମାଜିକ ଦୂରତ୍ୱ କିଭଳି ରହିବ ଓ ଲୋକ ଅଯଥାରେ ଘରୁ ନ ବାହାରିବେ ସେଥିପାଇଁ ଜାରି ହୋଇଛି ଲକଡାଉନ | ଆଉ ହଜାର ହଜାର ପୁଲିସ କର୍ମୀ ଦିନ ରାତି ଏକ କରି ଜନତା କିଭଳି ଘରୁ ଅଯଥାରେ ନ ବାହାରିବେ ସେଥିପାଇଁ ଦୃଷ୍ଟି ଦେଉଛନ୍ତି | ସେମାନଙ୍କର ପରିବାର ଓ ବ୍ୟକ୍ତିଗତ ଜୀବନକୁ ପଛ କରି ଲୋକଙ୍କ ସେବା ପାଇଁ ଆଗେଇଆସିଛନ୍ତି | ଓଡିଶା ପୁଲିସର ଏହି ଭିଡିଓକୁ ମୁଖ୍ୟମନ୍ତ୍ରୀ ଫେସବୁକରେ ପୋଷ୍ଟ କରିବା ପରେ କରୋନା ଲଢେଇରେ ଖାକି ମଣିଷର ଏକ ବଳିଦାନର କାହାଣୀ ସାମ୍ନାକୁ ଆସିଛି |