ବଳି ସନ୍ଦେହ: ରେଳ ବ୍ରିଜ ତଳୁ ଶିଶୁ କନ୍ୟାର ମୁଣ୍ଡ ଗଣ୍ଡି ଅଲଗା ଶବ ଉଦ୍ଧାର 

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଇଲାକାରେ ଘଟିଛି ଏକ ଚାଞ୍ଚଲ୍ୟକରି ଘଟଣା। ଗଞ୍ଜାମ ଥାନା ଅର୍ନ୍ତଗତ ବଡ଼ଶଙ୍ଖ ଖାରିନାଳ ନିକଟ ରେଳ ବ୍ରିଜ୍‌ ତଳୁ ପ୍ରାୟ ଦଢ଼ ବର୍ଷ ଶିଶୁ କନ୍ୟାର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଥିବା ଶବ ପୁଲିସ ଉଦ୍ଧାର କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ଶିଶୁ କନ୍ୟାଟି ଟ୍ରେନ୍‌ ଧାରଣାରେ କଟି ନଥିବା ସ୍ପଷ୍ଟ ବାରି ହେଉଛି। ଶିଶୁର ଶବ ପଡ଼ିଥିବା ସ୍ଥାନରେ ରକ୍ତ ଛିଟା ମଧ୍ୟ ପଡ଼ିନାହିଁ। ଶିଶୁକୁ ଅନ୍ୟ କେଉଁଠି ହତ୍ୟା କରି ଏଠାରେ ଆଣି ଫୋପାଡ଼ି ଦିଆ ଯାଇଥିବା ଅନୁମାନ କରାଯାଉଛି। ଶିଶୁ କନ୍ୟାର ମୁଣ୍ତକୁ ଧାରୁଆ ଅସ୍ତ୍ରରେ ଶରୀରରୁ ଅଲଗା କଲାଭଳି ଜଣା ପଡ଼ୁଥିବାରୁ ବଳି ଦିଆ ଯାଇ ଯାଇପାରେ ବୋଲି ମଧ୍ୟ ଅଧିକାଂଶ ସନ୍ଦେହ ପ୍ରକାଶ କରୁଛନ୍ତି। ତେବେ ଶିଶୁ କନ୍ୟାର ପରିଚୟ ମିଳିନାହିଁ।ଅନ୍ୟପକ୍ଷରେ ବ୍ରହ୍ମପୁର ଜିଆର୍‌ପି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲ(କେସ୍‌ ନଂ-୧୪/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଥାନା ଅର୍ନ୍ତଗତ ବଡ଼ଶଙ୍ଖ ଖାରିନାଳ ନିକଟ ରେଳ ବ୍ରିଜ୍‌ ତଳେ ଶିଶୁ କନ୍ୟାର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଥିବା ଶବ ପଡ଼ିଥିବା ଗୁରୁବାରର ଅପରାହ୍‌ଣ ୨ଟା ବେଳେ ଖବର ପ୍ରଚାରିତ ହୋଇଥିଲା। ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଏସ୍‌ଡିପିଓ ଗୌତମ କିଷାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜାନ ଛୋଟରାୟ ଓ ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପହ‌ଞ୍ଚି ଅନୁଧ୍ୟାନ କରିଥିଲେ। ପରେ ପରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ପାରିପାର୍ଶ୍ବିକ ସ୍ଥିତି ଓ ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି। ଦୁର୍ଘଟଣାର ରୂପ ଦେବା ଲାଗି ଶିଶୁ କନ୍ୟାକୁ ହତ୍ୟା ପରେ ରେଳ ବ୍ରିଜ୍ ତଳେ ଫୋପାଡ଼ି ଦିଆ ଯାଇଥିବା ଅନୁମାନ କରାଯାଉଛି। କିମ୍ବା ହତ୍ୟା ପରେ କୌଣସି ଟ୍ରେନ୍‌ରେ କେହି ବ୍ୟକ୍ତି ଆଣି ଚଳନ୍ତା ଟେନ୍‌ରୁ ଫୋପାଡ଼ି ଥାଇପାରେ ବୋଲି ମଧ୍ୟ କୁହାଯାଉଛି। ତନ୍ତ୍ର ସାଧାନା ଲାଗି ଶିଶୁ କନ୍ୟାକୁ ବଳି ପରେ କେହି ଆଣି ଏଠାରେ ଫୋଫାଡ଼ି ଥାଇପାରନ୍ତି ବୋଲି ଜୋର୍‌ ଚର୍ଚ୍ଚା ଧରିଛି।
ରେଳ ଧାରଣା ଦେଖିଲେ ଶିଶୁଟି ଟ୍ରେନ୍‌ରେ କଟିବା ଭଳି କିଛି ସୁରାକ୍‌ ମିଳୁନାହିଁ। ରକ୍ତଛିଟା କେଉଁଠି ପଡ଼ିନାହିଁ। ରେଳ ବ୍ରିଜ୍ ତଳେ ମୃତ ଶିଶୁ କନ୍ୟାର ମୁଣ୍ତ ଓ ଗଣ୍ତି ପ୍ରାୟ ୩୦ ଫୁଟ ବ୍ୟବଧାନରେ ପଡ଼ିଥିଲା। ମୁଣ୍ତ ଓ ଗଣ୍ତି ଯେଉଁ ସ୍ଥାନରେ ପଡ଼ିଥିଲା ସେଠାରେ ବି ରକ୍ତଛିଟା ଦେଖିବାକୁ ମିଳିନାହିଁ। ଶିଶୁ କନ୍ୟାର କେବଳ ମୁଣ୍ତ ଶରୀର ଠାରୁ ଅଲଗା ହେବା ଛଡ଼ା ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ। ଘଟଣାସ୍ଥଳରେ ଗୋଟିଏ ସ୍କାର୍ଫ ପଡ଼ିଥିଲା। ସେହି ସ୍କାର୍ଫରେ ବି ରକ୍ତଛିଟା ଲାଗିନାହିଁ। ଛତ୍ରପୁର ପୁଲିସ ପକ୍ଷରୁ ଜିଆରପିକୁ ସୂଚନା ଦିଆ ଯାଇଥିଲା। ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧିତ ଖବର