ଅନୁଗୁଳ: ଖଣି ପାଇଁ ବଳି ପଡ଼ୁଛି ଜଙ୍ଗଲ। ଲକ୍ଷ ଲକ୍ଷ ଗଛ କାଟି ପଦା କରି ଦିଆଯାଉଛି। ରାସ୍ତାଘାଟରୁ ଆରମ୍ଭ କରି ରେଳ ଲାଇନ୍ ଓ ଉନ୍ନୟନମୂଳକ କାମ ପାଇଁ ଜଙ୍ଗଲ ଜମି ବ୍ୟବହାର କରାଯାଉଛି। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ଉଦ୍ବେଗଜନକ ହାରରେ ଜଙ୍ଗଲ ହ୍ରାସ ପାଉଛି। ଅଥଚ ଏହି ହାରରେ ନୂତନ ଜଙ୍ଗଲ ପାଇଁ ଉଦ୍ୟମ କରାଯାଉନି।
ଅନୁଗୁଳ ଜିଲ୍ଲା ତାଳଚେର ଓ ଛେଣ୍ଡିପଦା ତହସିଲରେ ଏକାଧିକ କୋଇଲା ଖଣି ଖୋଳା ହେଉଛି। କଣିହାଁରେ ବି କୋଇଲା ଖନନ ଚାଲିଛି। ଆଗକୁ ଏକାଧିକ କୋଇଲା ଖଣି ହେବାକୁ ଯାଉଛି। ଆଉ ଏଥିରେ ସର୍ବାଧିକ ପ୍ରଭାବିତ ହେଉଛି ଜଙ୍ଗଲ। ସୂଚନା ଅନୁସାରେ, ନୟନି ଖୋଲାମୁହଁ କୋଇଲା ଖଣି ପାଇଁ ୭୮୩.୨୭୫ ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର କରାଯାଇଛି। ଏହି ଜମିରୁ ଗଛକଟା ଚାଲିଛି। ଆଗକୁ ଆହୁରି ଗଛ କଟିବ। ସେହିପରି ହିଙ୍ଗୁଳା-୨ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପାଇଁ ୪୪୦.୫୩ ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର କରାଯାଇଛି। ଅନନ୍ତ ଖୋଲାମୁହଁ କୋଇଲା ଖଣି ପାଇଁ ୨୪୦.୬୭୨ ହେକ୍ଟର ଜଙ୍ଗଲ ଜମି ଦିଆଯାଇଛି। ଉତ୍କଳ-ଇ କୋଲ୍ ବ୍ଲକ୍ ପାଇଁ ୧୫୬.୧୭୭୯ ହେକ୍ଟର ଜଙ୍ଗଲ ସଫା ହୋଇଛି। ସେହିପରି ଉତ୍କଳ-ଡି କୋଲ ବ୍ଲକ୍ ପାଇଁ ୧୩୭.୦୨ ହେକ୍ଟର ଜଙ୍ଗଲ ଜମି ଟେକି ଦିଆଯାଇଛି। ଏପଟେ ଉତ୍କଳ-ଡି ଏବଂ ଉତ୍କଳ-ଇ କୋଲ ବ୍ଲକ୍ ପାଇଁ ରାସ୍ତା ନିର୍ମାଣ କରିବାକୁ ୦.୩୭୭ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରିଛନ୍ତି ସରକାର। ପୁଣି ଖଣି ପାଇଁ ରେଳପଥ ନିର୍ମାଣ କରିବାକୁ ୧୨୫ ହେକ୍ଟର ଜଙ୍ଗଲ ଜମି ବ୍ୟବହାର କରାଯାଇଛି। ଏମିତି ପ୍ରାୟ ପ୍ରାୟ ୨ ହଜାର ହେକ୍ଟର ଜଙ୍ଗଲ ଜମିକୁ ଗତ ୧୦ ବର୍ଷରେ ଖଣି କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଛି।
ଅନୁଗୁଳ ଜିଲ୍ଲାରେ ଜଙ୍ଗଲ ହ୍ରାସ ଚିନ୍ତାଜନକ
ପ୍ରଦୂଷିତ ହୋଇଗଲାଣି ମାଟି, ପାଣି, ପବନ
କେବଳ ଖଣି ପାଇଁ ଜଙ୍ଗଲ ପଦା ହେଉଛି, ତାହା ନୁହେଁ। ଗତ ୧୦ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ରେଳପଥ, ଶିଳ୍ପ ଓ ରାଜପଥ ନିର୍ମାଣ କରିବାକୁ ମଧ୍ୟ ଏକାଧିକ ଜଙ୍ଗଲ ସଫା ହୋଇଯାଇଛି। ନାଲ୍କୋର ସିପିପିରୁ ଭରତପୁର କୋଇଲା ଖଣିକୁ ପାଇପ୍ ଲାଇନ୍ ବିଛାଇବା ପାଇଁ ୧୨.୬୩ ହେକ୍ଟର ଜଙ୍ଗଲ ଜମି ବ୍ୟବହାର କରାଯାଇଛି। ସେହିପରି ଜେଏସ୍ପିଏଲ୍ର ପାଇପ୍ ଲାଇନ୍ ଓ ରେଳ ଲାଇନ୍ ପାଇଁ ୬.୬୮୨ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରାଯାଇଛି। କୋଇଲା ଖଣିକୁ ରେଳଲାଇନ୍ ନିର୍ମାଣ ପାଇଁ ଦିଅଝରଣ ଗାଁରେ ୧.୨୩ ହେକ୍ଟର ଜଙ୍ଗଲ ଜମି, ତାଳଚେର-ବିମଳାଗଡ଼ ରେଲ ଲାଇନ୍ ନିର୍ମାଣ ପାଇଁ ଦୁଇଟି ପର୍ଯ୍ୟାୟରେ ୨୪.୦୧୪ ହେକ୍ଟର ଓ ୪୨.୦୧୯ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରାଯାଇଛି। ଏପଟେ ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ପାଇଁ ୩ଟି ପର୍ଯ୍ୟାୟରେ ପ୍ରାୟ ୨୩ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ହୋଇଛି। ଖଣି, ଶିଳ୍ପ ଓ ଅନ୍ୟ ଉନ୍ନୟନମୂଳକ କାମ ପାଇଁ ଏମିତି ଗଛ କଟା ଚାଲିଥିଲେ ମଧ୍ୟ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଠୋସ୍ ପଦକ୍ଷେପ ନିଆଯାଉନି। ବରଂ, ଏହାର ଭରଣା ବାବଦକୁ ଜାଗା ଅଭାବ ଦର୍ଶାଇ ଅନୁଗୁଳ ବାହାରେ ବୃକ୍ଷରୋପଣ କରାଯାଉଛି। ଫଳରେ ଏହାର କୁପ୍ରଭାବ ଅନୁଗୁଳ ଉପରେ ପଡ଼ୁଛି। ଏଠାକାର ମାଟି, ପାଣି, ପବନ ସବୁ କିଛି ପ୍ରଦୂଷିତ ହେବାକୁ ବସିଲାଣି।