କେନ୍ଦୁଝର: ରାଜ୍ୟର ସବୁଠୁ ଧନୀ ଜିଲ୍ଲା କେନ୍ଦୁଝରର ବିକଳ ଚିତ୍ର ଏବେ ସାମନାକୁ ଆସିଛି। ଜିଲ୍ଲାର ୭୮୧ଟି ଗାଁ (ଜନବସତିକୁ) ରାସ୍ତା ନାହିଁ। କେଉଁଠି ଲୋକେ ପାଦଚଲା ଜଙ୍ଗଲିଆ ରାସ୍ତାରେ ଯାତାୟାତ କରୁଛନ୍ତି ତ ଆଉ କେଉଁଠି ପାହାଡ଼ ଚଢ଼ି ଗାଁକୁ ଯାଉଛନ୍ତି। ଗମନାଗମନ ବ୍ୟବସ୍ଥା ନଥିବାରୁ ଏସବୁ ଅଞ୍ଚଳରେ ଯେଭଳି ବିକାଶ ହେବା କଥା ହୋଇପାରିନି। ଲୋକେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେବା ସହ ସରକାରଙ୍କ ଜନକଲ୍ୟାଣ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଜିଲ୍ଲାର ସମସ୍ତ ଅପହଞ୍ଚ ଜନବସତିକୁ ରାସ୍ତା ନିର୍ମାଣ ଲାଗି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
କେଉଁଠି ପାଦଚଲା ରାସ୍ତା ତ କେଉଁଠି ପାହାଡ଼ ଚଢ଼ୁଛନ୍ତି
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନର ତନାଘନା
କିଛିବର୍ଷ ତଳେ ରାଜ୍ୟ ସରକାର ‘ଉପାନ୍ତ’ ନାମକ ଏକ ଯୋଜନା କରିଥିଲେ। ଏହାର ଲକ୍ଷ୍ୟ ଥିଲା ଯୋଗାଯୋଗ ନ ଥିବା ଗାଁକୁ ରାସ୍ତା ନିର୍ମାଣ। ଯୋଜନା ଆରମ୍ଭ ବେଳେ କେନ୍ଦୁଝର ଜିଲ୍ଲାର ଅନେକ ଗାଁ ଏଥିରେ ସାମିଲ ହେବ ବୋଲି ଆଶା କରାଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଯୋଜନାଟି ବନ୍ଦ ହୋଇଯିବାରୁ ଲକ୍ଷ୍ୟ ସାଧନ ହୋଇପାରିଲା ନାହିଁ। ସରକାରୀ ତଥ୍ୟ ଅନୁସାରେ, ୧୦୦ରୁ ଅଧିକ ଲୋକ ରହୁଥିବା ଜନବସତିକୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା-୪ରେ ସାମିଲ ପାଇଁ ନିଷ୍ପତ୍ତି ହୋଇଥିଲା। ସର୍ଭେ ସମୟରେ କେନ୍ଦୁଝର ଜିଲ୍ଲାର ୪୦୭ଟି ଜନବସତିକୁ ସବୁଦିନିଆ ରାସ୍ତା ନଥିବା ଜଣାପଡ଼ିଥିଲା। ତେବେ ୨୦୧୧ ଜନଗଣନାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପୁଣି ବିଡିଓଙ୍କ ଦ୍ବାରା ଆଉ ଏକ ସର୍ଭେ କରାଇଥିଲା। ଏହି ସର୍ଭେ ଅନୁସାରେ, ଜିଲ୍ଲାର ୭୮୧ଟି ଜନବସତିକୁ ସବୁଦିନିଆ ରାସ୍ତା ନାହିଁ। ବାଂଶପାଳ ବ୍ଲକ୍ର ସର୍ବାଧିକ ୧୦୧ଟି ଜନବସତିକୁ ସବୁଦିନିଆ ରାସ୍ତା ନଥିବା ବେଳେ ଘସିପୁରା ବ୍ଲକ୍ରେ ସର୍ବନିମ୍ନ ୧୫ଟି ଜନବସତିକୁ ରାସ୍ତା ନାହିଁ।
୭୮୧ଟି ଜନବସତି ମଧ୍ୟରୁ ୪୦୭ଟିକୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଏବଂ ଅବଶିଷ୍ଟ ୩୭୪ଟି ଜନବସତିକୁ ଓମ୍ବାଡ୍ସି, ଡିଏମ୍ଏଫ୍ ଅନୁଦାନରେ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ପ୍ରକାଶ କରିଛନ୍ତି। ନିକଟରେ ବାଂଶପାଳ ବ୍ଲକ୍ ଶାଗତୁଳା ଗାଁକୁ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ଯାଇଥିଲେ। ଗାଁକୁ ରାସ୍ତା ନଥିବାରୁ ବିଧାୟକ ପ୍ରାୟ ୪ କିମି ଚାଲିଚାଲି ଗାଁରେ ପହଞ୍ଚିବା ସହ ଗ୍ରାମବାସୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଜଣାଇଥିଲେ। ସେହିପରି ବାଂଶପାଳ ବ୍ଲକ୍ର ବଣପାହାଡ଼ ଘେରା ଉପରପଣସନସା ଗ୍ରାମରେ ୫୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଛନ୍ତି। ଲୋକସଂଖ୍ୟା ପ୍ରାୟ ୩୦୦। ସମସ୍ତେ ଆଦିବାସୀ ଜୁଆଙ୍ଗ ଜନଜାତି। ଏହି ଗାଁକୁ ମଧ୍ୟ ସବୁଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀ ହଟହଟା ହେବା ସହ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି।