ରସୁଲପୁର: ମୁରୁଜ ଓ କଇଁଫୁଲର ମିଶ୍ରଣରେ ପ୍ରସ୍ତୁତ ଚିତ୍ରକଳାରେ ଝଟକୁଛି ରସୁଲପୁର ବ୍ଲକ୍ ରାହାମ୍ବା ପଞ୍ଚାୟତ ସଦାନନ୍ଦପୁର ଗ୍ରାମ। ଏହି ଚହଟୁଥିବା କୋଠି ଚିତ୍ରର ପରମ୍ପରା ଗାଁ କୁମାରୀମାନଙ୍କ ହସ୍ତକଳା ପ୍ରଦର୍ଶନର ଏକ ସୁନ୍ଦର ନମୁନା। ପ୍ରତିବର୍ଷ କୁମାରପୂର୍ଣ୍ଣିମା ପୂର୍ବ ସନ୍ଧ୍ୟାରେ ଗାଁ ଦାଣ୍ଡରେ କୋଠି ଚିତ୍ର ସବୁ ଆଙ୍କି ହୋଇଯାଏ। ଏହି ନିଆରା ପରମ୍ପରା ଶତାଧିକ ବର୍ଷର ବୋଲି କହନ୍ତି ଗାଁ ଲୋକେ। ପ୍ରତି ସାହିର କୁମାରୀ ଝିଅମାନେ କଇଁଫୁଲ ଓ ରଙ୍ଗୋଲି ବ୍ୟବହାର କରି ସୁନ୍ଦର କୋଠି ପ୍ରସ୍ତୁତ କରିଥାନ୍ତି।
କୋଠି ପରମ୍ପରା ଏହି ଗ୍ରାମରେ ଖୁବ୍ ପୁରାତନ। ଶତାଧିକ ବର୍ଷ ତଳୁ ଏହା ଅୟୋଜିତ ହୋଇ ଆସୁଛି ଏବଂ ଏହି ଗ୍ରାମର ସ୍ବର୍ଗତ ସପନି ମହାନ୍ତି ଆରମ୍ଭ କରିଥିଲେ କୋଠି ଚିତ୍ରର ପରମ୍ପରା। ‘ନଟଖଟିଆ କୃଷ୍ଣଙ୍କ ବାଟ ଓଗାଳିବାକୁ ଶ୍ରୀରାଧା କୋଠି ଚିତ୍ର ମାଧ୍ୟମରେ ବନ୍ଧ ପକାଇଥିଲେ’ ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଆଗେଇ ନେଉଛନ୍ତି କୁମାରୀମାନେ। ପୂର୍ବରୁ କୋଠି ପାଇଁ କେବଳ ଧଳା ରଙ୍ଗର କଇଁ ଫୁଲ ବ୍ୟବହାର କରାଯାଉଥିଲା। କଇଁପୁଲର ଅଭାବ ହେତୁ ରଙ୍ଗୋଲି ବ୍ୟବହାର ବଢ଼ିଛି।
ଦିନ ୨ଟାରୁ କୋଠି ପ୍ରସ୍ତୁତ ଆରମ୍ଭ ହୋଇଥାଏ। ଗୋଟିଏ ବଡ଼ କୋଠି (୧୦ ଫୁଟ ବ୍ୟାସ ) ପ୍ରସ୍ତୁତ କରିବାକୁ ୩ରୁ ୪ ଘଣ୍ଟା ଲାଗିଥାଏ। ଏଥିପାଇଁ ଶହେରୁ ଅଧିକ କଇଁ ଫୁଲ ସହିତ ପାଖାପାଖି ୫କେଜି ରଙ୍ଗୋଲି ଆବଶ୍ୟକ ହୋଇଥାଏ। ଗ୍ରାମର ଠାକୁର ସାହି, କୁବେର ସାହି, ମହାନ୍ତି ସାହି, ହରିଜନ ସାହି, ବଣିଆ ସାହି, ହଂସୀ ସାହିରେ ବଡ଼ବଡ଼ କୋଠି ହେଉଥିବାବେଳେ ଗାଁ ସାରା ୨୦ରୁ ଅଧିକ କୋଠି ହୋଇଥାଏ। ଲକ୍ଷ୍ମୀ ନାରାୟଣ, ଜଗନ୍ନାଥ ବଳଭଦ୍ର ସୁଭଦ୍ରା, ହଂସ, ରାଧାକୃଷ୍ଣ, ମୟୂର, ଶୁଆ, ବିଭିନ୍ନ ପ୍ରକାର ଫୁଲଫଳ ତଥା ଅନ୍ୟ ଦେବଦେବୀଙ୍କ ଚିତ୍ର କୋଠିରେ ଫୁଲ ଦ୍ବାରା ପ୍ରସ୍ତୁତ ହୋଇଥାଏ। ଏହି ଅବସରରେ ପାଳଭୂତ ପରମ୍ପରା ମଧ୍ୟ ଆୟୋଜିତ ହୁଏ। ବିଳମ୍ବିତ ରାତ୍ରିରେ ପାଳରେ ଆବୃତ୍ତ ହୋଇଥିବା ଜଣେ ଦୁଇଜଣ ଯୁବକ ଭୂତ ହୋଇ ଡରାଇ ଥାନ୍ତି। ପରେ ପାଳଭୂତ ସହିତ ସମସ୍ତ ଗ୍ରାମବାସୀ କୋଠି ବୁଲି ଦେଖିଥାନ୍ତି।