ଜୟପୁର ସଦର ଥାନାରେ ଅଭିଯୁକ୍ତଙ୍କ ହାଜତରେ ମୃତ୍ୟୁ ମାମଲାରେ ସେଣ୍ଟ୍ରି ଓ ଏଏସ୍ ଆଇଙ୍କୁ ନିଲମ୍ବିତ କଲେ  ଆରକ୍ଷୀ ଅଧୀକ୍ଷକ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସଦର ଥାନାରେ ଗ‌ଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କ ହାଜତରେ ମୃତ୍ୟୁ ମାମଲାରେ ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ଏହି ମାମଲାରେ କାର୍ଯ୍ୟରତ ସେଣ୍ଟ୍ରି ଡି କେ ମାଝି ଓ ଏଏସ୍ ଆଇ ସପନ ସରକାରଙ୍କୁ ନିଲମ୍ବିତ କରାଯାଇଛି।।

ସୂଚନାଯୋଗ୍ୟ, ବେକରେ ଚିରା ବେଡସିଟ ଗୁଡ଼ାଇ ପାଇଖାନାରେ ଆତ୍ମହତ୍ୟା କରିଥିବା ପୁଲିସ ଗତକାଲି ସୂଚନା ଦେଇଥିଲା । ମୃତକ ଜଣଙ୍କ ହେଲେ ରାଜସ୍ଥାନ ନାଗୁର ଜିଲ୍ଲା ୱାର୍ଡ ନମ୍ବର ୧୧ର କାଥୋଡି  ନଗର ଅଞ୍ଚଳର ଶିବ କରନଙ୍କ ପୁଅ ଗୋପାଳ ରାମ(୪୪)। ଗତକାଲି ସକାଳ ପ୍ରାୟ ୫ଟା ୩୦ ବେଳେ ପାଇଖାନାକୁ ଯିବାକୁ କହି ଏଭଳି କାର୍ଯ୍ୟ କରିଥିଲେ ଅଭିଯୁକ୍ତ। ଏହାକୁ ଗୁରୁତ୍ବର ସହ ନେଇ ଜୟପୁର ଏସଡିପିଓ ବରୁଣ ଗୁଣ୍ଠୁପାଲି, ଲକ୍ଷ୍ମୀପୁର ଏସଡିପିଓ ଏ. କେ. ନାୟକ ଓ ବୋରିଗୁମ୍ମା ଏସଡିପିଓ ଏଚ.କେ. ମାଝି ତନାଘନା କରିଥିଲେ। ଏହା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ସଦର ପୁଲିସ ପକ୍ଷରୁ ୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ଜାରି ରହିଥିବା ବେଳେ ଏହାର ତଦନ୍ତଭାର ଲକ୍ଷ୍ମୀପୁର ଏସଡିପିଓ ଏ.କେ. ନାୟକଙ୍କୁ ଦିଆଯାଇଛି। ଏସଡିପିଓ ଶ୍ରୀ ଗୁଣ୍ଠୁପାଲି ସୂଚନା ଦେଇ କହିଥିଲେ ଯେ ରାତିରେ ସଦର ପୁଲିସ ଉମୁରି ନିକଟରେ ପାଡୁଆରୁ ଜୟପୁର ଦେଇ ରାଜସ୍ଥାନ ଯାଉଥିବା ଏକ ଟ୍ରକ (ଆରଜେ-୨୧-ଜିଏ-୩୯୫୯) ଅଟକାଇଥିଲା। ତେବେ ଗାଡ଼ି ଡ୍ରାଇଭର ଖସି ପଳାଇଥିଲେ। ପୁଲିସ ଜବତ ଟ୍ରକ ଥାନାକୁ ଆଣି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେପଟଙ୍କ ଉପସ୍ଥିତିରେ ତନଖି କରିଥିଲା।

ଗାଡ଼ିରୁ ୮୦୫. ୮କେଜି ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ତାକୁ ଜବତ କରାଯାଇଥିଲା। ଏହା ସହ ଗାଡ଼ିରୁ ଗୋପାଳ ରାମ ନାମକ ବ୍ୟକ୍ତିଙ୍କ ଆଧାର କାର୍ଡ ମିଳିଥିଲା। ଏନେଇ ଥାନାରେ ରବିବାର ରାତି ୧୨ଟା ୩୦ରେ ୧୬୦/୩୦ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପରେ ଏକ ଟିମ ସେଠାକୁ ଯାଇ ଖୋଜାଖୋଜି କରିବା ପରେ ଗୋପାଳ ରାମଙ୍କୁ ପାଖାପାଖି ରାତି ୨ ଟାରେ ଧରିବାରେ ସକ୍ଷମ ହୋଇଥିଲା। ଥାନାକୁ ଆଣି ତାଙ୍କୁ ହାଜତରେ ରଖାଯାଇଥିଲା। ପରେ ୫ଟା ୩୦ରେ ସେଣ୍ଟ୍ରି ଡି.କେ. ମାଝିଙ୍କୁ କହି ପାଇଖାନା ଯାଇଥିଲେ ଅଭିଯୁକ୍ତ। ଡେରି ହେବାରୁ ସେଣ୍ଟ୍ରି ଜଣକ ଯାଇ ପାଇଖାନାରେ ଦେଖିବା ବେଳକୁ ସେ ବେକରେ ବେଡସିଟ ବାନ୍ଧି ଝୁଲି ପଡ଼ିଥିଲେ। ଗୋପାଳ ରାମଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଚିକିତ୍ସାଳୟକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର