ସମ୍ବଲପୁର: ପରିଶେଷରେ ସମ୍ବଲପୁର ସଦର କାର୍ଯ୍ୟାଳୟ ଜେଲ୍ ଛକ ନିକଟ ବନ୍ଦୋବସ୍ତ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତର ହୋଇଛି। ଶୁକ୍ରବାର ରାତିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟାଳୟର ସବୁ ଜନିଷପତ୍ର ସ୍ଥାନାନ୍ତର କରାଯାଇଛି। ଆଜି ଚତୁର୍ଥ ଶନିବାର ଏବଂ ଆସନ୍ତାକାଲି ରବିବାର ଛୁଟିଦିନ ଥିବାର ସୁଯୋଗ ନେଇ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଉଛି। ବାକି ରହିଯାଇଥିବା ଅଳ୍ପକିଛି ସାମଗ୍ରୀ ଏହି ଦୁଇ ଦିନରେ ନୂଆ କୋଠାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ତେବେ, ଆସନ୍ତା ସୋମବାର ଦିନଠାରୁ ସଦର ତହସିଲ କାର୍ଯ୍ୟାଳୟ ନୂଆ କୋଠାରେ କାର୍ଯ୍ୟକ୍ଷମ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଚେରି ଅଂଚଳରେ ଥିବା ସଦର ତହସିଲ କାର୍ଯ୍ୟାଳୟ ଏହାର ନୂଆକୋଠାକୁ ସ୍ଥାନାନ୍ତର ପାଇଁ ପୂର୍ବରୁ ଅନେକ ଥର ଉଦ୍ୟମ ହୋଇଥିଲା।
ପ୍ରାୟ ୩/୪ ବର୍ଷ ହେଲା ଏଭଳି ପ୍ରୟାସ କରାଯାଉଥିବା ବେଳେ ଓକିଲମାନଙ୍କ ବିରୋଧ ଯୋଗୁ ତାହା ଫଳପ୍ରଦ ହୋଇପାରିନଥିଲା। ହାଇକୋର୍ଟ ଆନ୍ଦୋଳନ ପରିପ୍ରେକ୍ଷୀରେ ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣା ପରେ ଓକିଲମାନେ ଏବେ ପୂର୍ବଭଳି ତୀବ୍ର ବିରୋଧ କରିବାର ସମ୍ଭାବନା କମ୍ ରହିଛି। ଏହାର ସୁଯୋଗ ନେଇ ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଚତୁରତା ଓ ସର୍ତକତାର ସହିତ ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ନିମନ୍ତେ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଉକ୍ତ କୋଠାରେ ମତ୍ସ୍ୟ ବିଭାଗର ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟାଳୟ ପରିଚାଳିତ ହେଉଛି। କିଛି ମାସ ତଳେ ଏହି କୋଠାକୁ ମତ୍ସ୍ୟ ବିଭାଗର ଏହି କାର୍ଯ୍ୟାଳୟ କମଳିବଜାରରୁ ଏଠାକୁ ସ୍ଥାନାନ୍ତର ହୋଇଥିଲା। ତେବେ, ସେଠାରେ ତହସିଲ କାର୍ଯ୍ୟାଳୟ ପରିଚାଳିତ ହେବା ପରେ ମତ୍ସ୍ୟ ବିଭାଗର କାର୍ଯ୍ୟାଳୟ ପୁଣି ଅନ୍ୟତ୍ର ସ୍ଥାନାନ୍ତର କରାଯିବାର ଯୋଜନା ରହିଥିବା ଜଣାପଡ଼ିଛି।