ଭୁବନେଶ୍ବର : ଡ. ସଦାଶିବ ତ୍ରିପାଠୀଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ, ନିଷ୍କଳଙ୍କ ରାଜନେତା, ସଫଳ ପ୍ରଶାସକ ଓ ଆଦର୍ଶ ରାଜନୀତିଜ୍ଞ ବିରଳ। ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ଯୁଗ୍ମ ଆନୁକୂଲ୍ୟରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଏହା କହିଛନ୍ତି।
ସେ ଆହୁରି କହିଲେ, ସ୍ବର୍ଗତ ତ୍ରିପାଠୀ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଦିବାସୀମାନଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ପ୍ରଜ୍ଜ୍ବଳନ କରିଥିଲେ। ଶିକ୍ଷା, ଭିତ୍ତିଭୂମି, ଶିଳ୍ପ ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଅମର ହୋଇ ରହିବେ।
ମୁଖ୍ୟବକ୍ତା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି କହିଲେ ଯେ ସ୍ବର୍ଗତ ତ୍ରିପାଠୀ ଓଡ଼ିଶାର ଜାତୀୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିବା ସହ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ। ସମ୍ମାନିତ ଅତିଥି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ ଯେ ନିଜ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ରାଜନୀତି କରିବାକୁ ଗୋଡ଼ କାଢ଼ିଥିବା ଡ. ତ୍ରିପାଠୀ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଗୌରବୋଜ୍ଜ୍ୱଳ ପରମ୍ପରା ସୃଷ୍ଟି କରିଥିଲେ।
ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ କହିଲେ, ତାଙ୍କ ଉଦ୍ୟମରେ ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଥିଲା। ଅନ୍ୟତମ ସମ୍ମାନିତ ଅତିଥି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର କହିଲେ, ଗାଁଗଣ୍ଡାରେ ବାସ କରୁଥିବା ସାଧାରଣ ଆଦିବାସୀ ଓ ଦରିଦ୍ରତମ ଲୋକମାନଙ୍କ ନିକଟରେ ସ୍ୱାଧୀନତା ସୁଫଳ ଉପଲବ୍ଧ ହେବା ତାଙ୍କର ଲକ୍ଷ୍ୟ ଥିଲା।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ ସାମଲ ସ୍ୱାଗତ ଭାଷଣ ଦେଇଥିଲେ। ଶବରୀ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଭୁବନେଶ୍ୱର କଳା ନିକେତନର କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/m17.jpg)