ମାହାଙ୍ଗା : ମାହାଙ୍ଗାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ପଂଚାୟତସ୍ତରୀୟ ସଦ୍ଭାବନା ସଭାର ଆୟୋଜନ କରାଯାଉଛି।
ବ୍ଲକ୍ ଅନ୍ତର୍ଗତ ରାହାଣିଆ ଓ ମଧୁପୁରରେ ବିଜେପି ପକ୍ଷରୁ ପଞ୍ଚାୟତସ୍ତରୀୟ ସଦ୍ଭାବନା ସଭା ଅନୁଷ୍ଠିତ ହୋଇଥିଲା। ରାହାଣିଆ ପଞ୍ଚାୟତର ଜାତିପାରିଲୋରେ ଅନୁଷ୍ଠିତ ସଭାରେ ବିଜେପି ନେତା ନିରଞ୍ଜନ ସାମଲ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଜେପି ଯୁବନେତା ସାରଦା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ମାହାଙ୍ଗାରେ ଚାଲିଥିବା ରାଜନୈତିକ ହିଂସା ଓ ହତ୍ୟାକାଣ୍ଡର ତୀବ୍ର ନିନ୍ଦା କରିଥିଲେ। ମାହାଙ୍ଗାରେ ବର୍ତ୍ତମାନ ଅରାଜକତା ଚାଲିଛି ଓ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ସଦ୍ଭାବନା ସଭାରେ ବହୁ ଦଳୀୟ ନେତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ, ଅବନ୍ତୀ ଜେନା ଧନ୍ୟବାଦ ଦେଇଥିଲେ।