ବରଗଡ଼ : କଂଗ୍ରେସ ଟିକେଟ୍‌ରୁ ବଂଚିତ ପୂର୍ବତନ ବିଧାୟକ ସାଧୁ ନେପାକ ଏବେ ବିଜେଡିମୁହାଁ। ଦିନେ ଦୁଇଦିନ ମଧ୍ୟରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବା ସମ୍ଭାବନା ରହିଛି। ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ସାଧୁବାବୁ ଏବେ ଭୁବନେଶ୍ବରରେ। ବିଜେଡିର ସ୍ଥାନୀୟ ତୁଙ୍ଗ ନେତାମାନେ ସାଧୁଙ୍କ ସହ ବାରମ୍ବାର ଯୋଗାଯୋଗ କରି ତାଙ୍କୁ ଶଙ୍ଖ ଧରାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ କରି ସାରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

Advertisment

ଯଦି ସାଧୁ ଆନୁଷ୍ଠାନିକ ଭାବେ ବିଜେଡିକୁ ଆସନ୍ତି, ତେବେ ତାଙ୍କ ପାଇଁ କ’ଣ ବ୍ୟବସ୍ଥା ହେବ? ତାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୦୯ ମସିହାରେ ସାଧୁ ବାବୁ ୪୬,୭୬୨ ଭୋଟ୍‌ ପାଇ ଦୁଇଥର ବିଧାୟକ ଥିବା ଆନନ୍ଦ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ୨୦୧୪ରେ ସେ ୪୬,୧୪୬ ଖଣ୍ଡ ଭୋଟ୍‌ ପାଇ ୧୩,୨୦୪ ଭୋଟ୍‌ରେ ଦେବେଶ ଆଚାର୍ଯ୍ୟଙ୍କ ଠାରୁ ପରାଜୟ ଭୋଗିଥିଲେ। ଉଭୟ ନିର୍ବାଚନ‌ରେ ସାଧୁ ବାବୁ ୪୬ହଜାର ଭୋଟ୍‌ ଟପିଛନ୍ତି। ବରଗଡ଼ ସହର ଏବଂ ଗ୍ରାମାଞ୍ଚଳରେ ତାଙ୍କର ପକେଟ୍‌ ଭୋଟ୍‌ ରହିଛି। ତାଙ୍କୁ ଟିକଟ୍‌ ନମିଳିବାରୁ ତାଙ୍କ ବହୁ ସମର୍ଥକ ଇସ୍ତଫା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ତେଣୁ ସାଧୁ ବାବୁ ଯଦି ବିଜେଡିକୁ ଆସନ୍ତି ତେବେ ତାଙ୍କ ପକେଟ୍‌ ଭୋଟ୍‌ ସିଧା ସଳଖ ବିଜେଡିକୁ ଆସିବ। ଏଭଳି ସ୍ଥିତିରେ ବରଗଡ଼ ଆସନ ବିଜେଡି ପାଇଁ ସହଜ ହୋଇଯିବ। ଯାହା ଅନ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିବ। କଂଗ୍ରେସ ପାଇଁ ଯୁବନେତା ନିପନ ଦାଶ ଟିକଟ୍‌ ପାଇ ସାରିଛନ୍ତି। ବିଜେପି ବରଗଡ଼ ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଦଳର ରାଜ୍ୟ ଉପସଭାପତି ଅଶ୍ବିନୀ ଷଡ଼ଂଗୀ ହିଁ ଟିକଟ୍‌ ହାତେଇବା ସମ୍ଭାବନା ରହିଛି। ଅଶ୍ବିନୀଙ୍କ ବିରୋଧରେ ଦଳରେ ସିଧାସଳଖ କେହି ସାମନାକୁ ଆସିନାହାନ୍ତି। ସାଧୁ ବାବୁ ଇସ୍ତଫା ଦେବା ପାଇଁ ମନସ୍ଥ କରିବା ପରେ ଉଭୟ ବିଜେଡି ଏବଂ ବିଜେପି ପକ୍ଷରୁ ତାଙ୍କୁ ହାତେଇବା ପାଇଁ ଉଦ୍ୟମ ହୋଇଥିଲା। ଏଭଳି ସ୍ଥିତି ବରଗଡ଼ ଆସନର ରାଜନୀତି ସମୀକରଣକୁ ବିଗାଡ଼ି ଦେଇଛି।