ସାଧୁ ନିତ୍ୟାନନ୍ଦଙ୍କୁ ସନ୍ଥ ଅରକ୍ଷିତ ସମ୍ମାନ ଓ ଗବେଷକ ଡ. ଅନନ୍ତରାମଙ୍କୁ ଓଳାଶୁଣୀ ସମ୍ମାନ

ସପ୍ତମ ଓଳାଶୁଣୀ ମହୋତ୍ସବ ପାଇଁ ପ୍ରସ୍ତୁତି

ବାଲିଚନ୍ଦ୍ରପୁର: ଯାଜପୁର ଜିଲ୍ଲା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାଯାତ୍ରା ଅବସରରେ ଜାନୁଆରି ୨୦ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସପ୍ତମ ଓଳାଶୁଣୀ ଗୁମ୍ଫା ମହୋତ୍ସବ ପାଳନ ନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକ ମା’ ଓଳାଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ୍‌, ପଲାଇ ପକ୍ଷରୁ ଆୟୋଜିତ ହୋଇଆସୁଥିବା ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହୋତ୍ସବର କାର୍ଯ୍ୟକ୍ରମ ନେଇ ବୈଠକରେ ବିଶଦ୍‌ ଆଲୋଚନା ହୋଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ମ୍ୟାନେଜିଂ ଟ୍ରଷ୍ଟି ତଥା ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ ଭୂୟାଁ ମହୋତ୍ସବର କାର୍ଯ୍ୟକ୍ରମ ସଂପର୍କ‌ରେ ସୂଚନା ଦେଇଥିଲେ। ଚଳିତ ବର୍ଷ ମହିମା ଗାଦିସ୍ଥିତ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ସଂପାଦକ ବ୍ରହ୍ମାବଧୂତ ବାବା ନିତ୍ୟାନନ୍ଦ ଦାସଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନଜନକ ସନ୍ଥ ଅରକ୍ଷିତ ଦାସ ସମ୍ମାନ ଏବଂ ଗଞ୍ଜାମ ଇତିହାସର ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟଙ୍କୁ ମା’ ଓଳାଶୁଣୀ ସମ୍ମାନ ପ୍ରଦାନ କରାଯିବ। ଜାନୁଆରି ୨୦ ତାରିଖ ସନ୍ଧ୍ୟାରେ ଓଳାଶୁଣୀ ବଡ଼ଦାଣ୍ଡସ୍ଥିତ ଅନନ୍ତ ଗୁମ୍ଫାଠାରେ ଆୟୋଜିତ ମହୋତ୍ସବରେ ବହୁ ବିଶିଷ୍ଟ ଧର୍ମାନୁରାଗୀ ଓ ବିଦ୍ୱାନମଣ୍ଡଳୀ ଅତିଥି ଭାବେ ଯୋଗଦେବେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମହୋତ୍ସବ ଆୟୋଜନ କମିଟିର ଅଧ୍ୟକ୍ଷ ଅଛନ୍ତି। ମଧ୍ୟାହ୍ନ ୧୨ଟାରେ ଫାଉଣ୍ଡେସନ୍‌ ପକ୍ଷରୁ ରାଜ୍ୟସ୍ତରୀୟ ଓଳାଶୁଣୀ କବି ସମ୍ମିଳନୀ ଆୟୋଜିତ ହେବ।

ପ୍ରସ୍ତୁତି ବୈଠକରେ ଟ୍ରଷ୍ଟର ଉପାଧ୍ୟକ୍ଷ ଦାମୋଦର ସ୍ୱାଇଁ, ଟ୍ରଷ୍ଟି ପ୍ରଫସର୍‌ ରବୀନ୍ଦ୍ର ସାମଲ, ଜିଲ୍ଲା ପରିଷଦର ସଦସ୍ୟ ବିପିନ ବିହାରୀ ଜେନା, ବାଲିଚନ୍ଦ୍ରପୁର ସରପଞ୍ଚ ଫନୀନ୍ଦ୍ର ପଣ୍ଡା, ସମିତି ସଭ୍ୟ ଅମିୟ ବିଶ୍ୱାଳ, ଯୁବ ସମାଜସେବୀ ଅନନ୍ତ ସିଂହ, ଭରତପୁର ସରପଞ୍ଚ ଓ ବିକ୍ରମତିରଣ ସରପଞ୍ଚଙ୍କ ପ୍ରତିନିଧି, ପୂର୍ବତନ ସରପଞ୍ଚ ବସନ୍ତରାଜ ସାମଲ, ସାମ୍ବାଦିକ ସୁମନ୍ତ ଭୂୟାଁ, ଶ୍ରୀକାନ୍ତ ସାମଲ, ଦେବଦତ୍ତ ସାମଲ, ପ୍ରମୋଦ ଦାସ, ସ୍ନେହାଶିଷ ସାମଲ, ଜ୍ୟୋତିପ୍ରକାଶ ସାହୁ, ସୁବ୍ରତ ସାମଲ ପ୍ରମୁଖ ଯୋଗଦେଇ ଆଲୋଚନା‌ରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର