ଶ୍ରୀକ୍ଷେତ୍ରରେ ସାଧୁସନ୍ଥଙ୍କ ଉପରେ ବଢ଼ିଚାଲିଛି ନିର୍ଯାତନା: ବାବା ବୈଷ୍ଣବ ପୁରୀଙ୍କୁ ପୁଲିସ୍‌ର ମାଡ଼

ବଡ଼ଆଖଡ଼ା ମଠରୁ ବାହାରି ପାରୁନାହାଁନ୍ତି ସାଧୁସନ୍ଥ, ବିଦ୍ୟାର୍ଥୀ

ପୁରୀ: ଶ୍ରୀକ୍ଷେତ୍ର ହେଉଛି ଧର୍ମର ‌କ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। କାହିଁ କେଉଁ ଯୁଗରୁ ଏଠାରେ ମଠ ସଂସ୍କୃତି ଗଢ଼ି ଉଠିଛି। କିନ୍ତୁ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣ ଆଳରେ ମଠ ସଂସ୍କୃତିକୁ ବିଲୋପ କରିଦେବାକୁ ଚକ୍ରାନ୍ତ ଚାଲିଛି। ସାଧୁସନ୍ଥଙ୍କ ଉପରେ ଦିନକୁ ଦିନ ନିର୍ଯାତନା ବଢ଼ିଚାଲିଛି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ କରି କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିବା ବାବା ବୈଷ୍ଣବ ପୁରୀ ଆଜି ପୁଲିସ ମାଡ଼ରେ ଖଣ୍ଡିଆଖାବରା ହୋଇଛନ୍ତି। ବାବା ବୈଷ୍ଣବ ପୁରୀଙ୍କ ପିଠିରେ ଆଘାତ ଲାଗିଛି। ସେପଟେ ବଡ଼ଆଖଡ଼ା ମଠର ସାଧୁସନ୍ଥ, ବିଦ୍ୟାର୍ଥୀମାନେ ବଡ଼ଦାଣ୍ଡର ବାରିକେଡ୍‌ ସହ ଅନ୍ୟାନ୍ୟ କଟକଣା ପାଇଁ ମଠକୁ ଯା’ଆସ କରିବାରେ ହଇରାଣ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ, ବାବା ବୈଷ୍ଣବ ପୁରୀ(ପୂର୍ବ ନାଁ ତୁମ୍ବନାଥ ସୁବୁଦ୍ଧି) ପ୍ରତିଦିନ ମେଘନାଦ ପାଚେରି କଡ଼ରେ ଲଙ୍ଗୁଳି ମଠର ଧୂନାକୁଣ୍ଡଠାରେ ଧ୍ୟାନ କରିଥାନ୍ତି। ସେହିଠାରେ ରହିବା ସହ ଭକ୍ତମାନେ ଯାହା ଦିଅନ୍ତି, ଖାଆନ୍ତି। କିନ୍ତୁ ଦର୍ଶନ ପାଇଁ ଚାରିପଟେ ବାରିକେଡ୍‌ କରି ଦିଆଯାଇଥିବାରୁ ଧୂନାକୁଣ୍ଡ ନିକଟକୁ ଯିବାରେ ସମସ୍ୟା ଦେଖାଦେଇଛି। ଦାୟିତ୍ବରେ ଥିବା ପୁଲିସମାନେ ବାବାମାନଙ୍କୁ ‌ଏଠାକୁ ଛାଡ଼ିବାକୁ ଅମଙ୍ଗ। ଯେଉଁଥିପାଇଁ ନାଗା ସାଧୁଙ୍କ ପୂଜା, ଧ୍ୟାନ ଆଦି ବାଧାପ୍ରାପ୍ତ ହେଉଛି। ଆଜି ସକାଳେ ବୈଷ୍ଣବ ପୁରୀ ଏହି ଧୂନାକୁଣ୍ଡ ନିକଟକୁ ଯିବାକୁ ଚେଷ୍ଟା କରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଯେତେ‌ ବୁଝାଇଥିଲେ ବି ବାବାଙ୍କୁ ଛାଡ଼ି ନଥିଲା ପୁଲିସ। ପରେ କାନ୍ଦି କାନ୍ଦି ବାବା ବୈଷ୍ଣବ ପୁରୀ ସେଠାରୁ ଫେରି ଆସିଥିଲେ। ଆଜି ସଂଧ୍ୟାରେ ପୁନର୍ବାର ଧୂନାକୁଣ୍ଡ ନିକଟକୁ ଯିବାକୁ ଚେଷ୍ଟା କଲା ବେଳେ ପୁଲିସ ପୁଣିଥରେ ଅଟକାଇଥିଲା। ଯୁକ୍ତିତର୍କ ବେଳେ ଜଣେ ପୁଲିସ ବାବାଙ୍କୁ ଶକ୍ତ ଧକ୍କା ମାରିଥିଲେ। ଏଥିରେ ସେ ତଳେ କଚାଡ଼ି ହୋଇ ପଡ଼ିଥିଲେ। ପିଠି ସହ ‌ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିଲା। ପରେ କିଛି କାହାକୁ ନ କହି ବାବା ବାରିକେଡ୍‌ କଡ଼ରେ ସେହିଭଳି ବସି ରହିଥିଲେ। ଦୀର୍ଘ ସମୟ ଧରି ବାବା ବୈଷ୍ଣବ ପୁରୀ ସେଠାରେ ବସି ରହିବା ପରେ ଫେରି ଆସିଥିଲେ। ସମାନ ସ୍ଥିତି ବଡ଼ଆଖଡ଼ା ମଠ ସାଧୁସନ୍ଥ, ବିଦ୍ୟାର୍ଥୀ ଆଦିଙ୍କର। ମଠ ଉଚ୍ଛେଦ ପରେ ମହନ୍ତ, ସାଧୁସନ୍ଥମାନେ ବାଗେଡ଼ିଆ ଧର୍ମଶାଳା‌ରେ ରହୁଛନ୍ତି। ବିଦ୍ୟାର୍ଥୀ ଓ ଅନ୍ୟ ଅନ୍ତେବାସୀମାନଙ୍କ ପାଇଁ ନୀଳାଚଳ ଭକ୍ତ ନିବାସରେ ରହିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ମଠ ପୂଜା ଆଦିରେ ଯିବା ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବଡ଼ଆଖଡ଼ା ମଠର ବିଦ୍ୟାର୍ଥୀ ପ୍ରଭୁପାଦ ରଥ କହିଛନ୍ତି, ମଠ ଉଚ୍ଛେଦ ପରଠାରୁ ଏହି ଦୁର୍ଦ୍ଦଶା ବଢ଼ିଚାଲିଛି। ଦୁର୍ଗାପୂଜାଠାରୁ ଏହି ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର