ଟିକରପଡ଼ା: କିଛିବର୍ଷ ତଳେ ମହାନଦୀରୁ ମାଛ ମାରି ଟିକରପଡ଼ାର ଦେଢ଼ଶହ ମତ୍ସ୍ୟଜୀବୀ ପରିବାର ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ସମୟକ୍ରମେ କୁମ୍ଭୀର ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କୁ ନଦୀରେ ମାଛ ଧରିବା ଉପରେ କଟକଣା ଲାଗୁ ହେଲା। ଫଳରେ ମାଛ ଧରି ପରିବାର ଚଳାଉଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା କମି ବର୍ତ୍ତମାନ ୮୦ରେ ପହଞ୍ଚିଛି। ପୂର୍ବରୁ ଏଠାରେ ଧାନ, ମୁଗ, ବିରି, ମାଣ୍ଡିଆ, କୋଳଥ ସହିତ ବିଭିନ୍ନ ପ୍ରକାର ପନିପରିବା ଚାଷ ହେଉଥିଲା। ଟିକରପଡ଼ା ଗ୍ରାମ ପଞ୍ଚାୟତର ଟିକରପଡ଼ା, କରଡ଼ାପଡ଼ା, ମଝିପଡ଼ା, ଗଇଁନ୍ଦି, ବେହେରାସାହି, ହାତୀବାରି ପ୍ରଭୃତି ଗାଁ’ର ଲୋକମାନେ ଚାଷବାସ କରି ଚଳୁଥିଲେ। ଏବେ କିନ୍ତୁ ଜଙ୍ଗଲୀ ପ୍ରାଣୀଙ୍କ ଉପଦ୍ରବ ଯୋଗୁଁ ଚାଷ କରିବାକୁ ଆଉ କେହି ମନ ବଳାଉ ନାହାନ୍ତି। ଏପଟେ ମାଛ ମାରି ପରିବାର ଚଳାଉଥିବା ମତ୍ସ୍ୟଜୀବୀଙ୍କୁ ବନ ବିଭାଗର କଡ଼ା କଟକଣା। ଯାହାଦ୍ବାରା ସେମାନେ ଜୀବିକା ହରାଇଛନ୍ତି। ୪ ମାସ ହେବ ଘଡ଼ିଆଳ କୁମ୍ଭୀର ସୁରକ୍ଷା ପାଇଁ ମାଛ ମାରିବା ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଫଳରେ ଏହି ୮୦ଟି ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି।
ବନ୍ୟଜନ୍ତୁଙ୍କ ମୁହଁରେ ଫସଲ ନଷ୍ଟ
ଦୁର୍ଦ୍ଦିନରେ ୮୦ ମତ୍ସ୍ୟଜୀବୀ ପରିବାର
ମତ୍ସ୍ୟଜୀବୀ ରବି ବାରିକ, ରମାକାନ୍ତ ବାରିକ, ଦିଲ୍ଲୀପ ସେଠ, ମନୁ ବେହେରା, ଦୁଷ୍ମନ୍ତ ବେହେରା, ଦୀନବନ୍ଧୁ ସେଠ, ନବ ବେହେରା, ଦିଗାମ୍ବର ସେଠଙ୍କ କହିବା ଅନୁଯାୟୀ, ସେମାନେ ମାଛ ଧରି ଦିନକୁ ପ୍ରାୟ ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଥିଲେ। କେବେ କେବେ ୧୦୦୦ ଟଙ୍କା ଯାଏଁ ମଧ୍ୟ ରୋଜଗାର କରନ୍ତି। କିନ୍ତୁ ଚାରି ମାସ ହେବ ମାଛ ମାରିବା ବନ୍ଦ। ଏପଟେ ଚାଷ କଲେ ମଧ୍ୟ ବନ୍ୟଜନ୍ତୁଙ୍କ ମୁହଁରେ ଫସଲ ନଷ୍ଟ ହେଉଛି। ଫଳରେ ସେମାନଙ୍କ ପରିବାର ଭୋକ ଉପାସରେ ରହୁଛନ୍ତି। ମହାନଦୀର ୧୦ କିଲୋମିଟର ପରିଧି ମଧ୍ୟରେ କୌଣସି ଡଙ୍ଗା ଚଳପ୍ରଚଳ କରିପାରିବନି ବୋଲି ସାତକୋଶିଆ ବନ ବିଭାଗ ନିୟମ କରିଛି। କିନ୍ତୁ ବନବିଭାଗର ଯନ୍ତ୍ରଚାଳିତ ବୋଟ୍ କିପରି ନଦୀ ଭିତରକୁ ଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଧୀବରମାନେ ଯଦି କାଠ ଡଙ୍ଗାରେ ମାଛ ଧରିଲେ କୁମ୍ଭୀର ଉପରେ ପ୍ରଭାବ ପଡୁଛି, ତେବେ ମୋଟର ବୋଟରେ କିପରି କୁମ୍ଭୀରବଂଶ ସୁରକ୍ଷିତ ତାହା ଅବୁଝା ହୋଇ ରହିଛି। ବନ ବିଭାଗ ଜାଣିଶୁଣି ମତ୍ସ୍ୟଜୀବୀଙ୍କୁ ହଇରାଣ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଉ କିଛି ଗ୍ରାମବାସୀଙ୍କ ଅଭିଯୋଗ ହେଲା, ବନ ବିଭାଗ ସେମାନଙ୍କୁ ମାଟି, ପାଣି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ସେମାନଙ୍କୁ ଏକପ୍ରକାର ବିସ୍ଥାପିତ ହେବାକୁ ବାଧ୍ୟ କରାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସଂପର୍କରେ ସାତକୋଶିଆ ଡିଏଫ୍ଓଙ୍କ ସହ ଯୋଗାଯୋଗ କରିବାରୁ ମୋଟର ବୋଟ୍ରେ କର୍ମଚାରୀମାନେ ଡ୍ୟୁଟି କରୁଥିବେ ବୋଲି କହିଛନ୍ତି। ତେବେ ପର୍ଯ୍ୟଟକମାନଙ୍କୁ ବନ ବିଭାଗ ପକ୍ଷରୁ ନଦୀରେ ମୋଟର୍ ବୋଟ୍ରେ ବୁଲାଇ ଟଙ୍କା ରୋଜଗାର କରାଯାଉଥିବା ବେଳେ କେଉଁ ନ୍ୟାୟରେ ମତ୍ସ୍ୟଜୀବୀଙ୍କ ଜୀବିକା ଛଡ଼ାଇ ନିଆଯାଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।