ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲାର ପିଛା ଛାଡ଼ୁନି ଦାଦନ ଯନ୍ତ୍ରଣା। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ଦୁଃଖଦ ଖବର। ଦାରିଙ୍ଗବାଡ଼ି ବ୍ଲକ୍‌ ଝିଞ୍ଚିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁଟଲାରି ଗ୍ରାମର ପଡ଼ାଗ୍ରାମ ବାଘପଡ଼ାର ମୁଟୁଡ଼ୁ ପାଟମାଝୀଙ୍କ ଝିଅ ଅର୍ଚ୍ଚନା ପାଟମାଝୀ(୧୯)ଙ୍କ ଗୋଆରେ ମୃତ୍ୟୁ ହୋଇଛି। ରୋଜଗାର ପାଇଁ ଯାଇଥିବା ଅର୍ଚ୍ଚନାଙ୍କ ଅକସ୍ମାତ୍‌ ମୃତ୍ୟୁ ପରିବାର ପାଇଁ ଘୋର ଦୁଃଖ ଆଣିଛି। ଅର୍ଚ୍ଚନାଙ୍କ ମୃତ ଶରୀର ଗ୍ରାମକୁ କେମିତି ଆସିବ ସେ ନେଇ ପରିବାର ଲୋକେ ଚିନ୍ତାରେ। ପରିବାର ପକ୍ଷରୁ ବିଡିଓ ଗଦାଧର ପାତ୍ରଙ୍କୁ ଭେଟି ସହାୟତା ଯୋଗାଇଦେବା ପାଇଁ ଆକୁଳ ନିବେଦନ କରାଯାଇଛି। ବିଡିଓଙ୍କ ଜରିଆରେ ଜିଲ୍ଲାପାଳକୁ ମଧ୍ୟ ଲିଖିତ ଭାବେ ପରିବାର ଲୋକ ଅନୁରୋଧ କରିଛନ୍ତି। ଅଞ୍ଚଳ ପକ୍ଷରୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ଶବ ଫେରାଇ ଆଣିବା ପାଇଁ ଅନୁରୋଧ କରାଯାଇଛି। 
ସୂଚନା ଅନୁସାରେ, ଗତ ୨ ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ଅନ୍ୟମାନଙ୍କ ସହ ଅର୍ଚ୍ଚନା ଦାଦନ ଖଟିବାକୁ ଗୋଆ ଯାଇଥିଲେ। ଗୋଆରେ ପହଞ୍ଚିବା ପରେ ତାଙ୍କ ପେଟବ୍ୟଥା ସହ ବାନ୍ତି ହୋଇଥିଲା। ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ  ୭ ତାରିଖରେ ସେଠାକାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ବାସ୍ଥ୍ୟ ଅଧିକରୁ ଅଧିକ ବିଗିଡ଼ିବା ସହ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଅର୍ଚ୍ଚନାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଶବ ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି

ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇଦିନ ତଳେ ତାମିଲନାଡ଼ୁର ଏକ ଫ୍ୟାଟ୍‌ ପ୍ରସ୍ତୁତ କମ୍ପାନିରେ ଗ୍ୟାସ୍‌ ବଏଲର୍‌ ଫାଟି ଘଟଣାସ୍ଥଳରେ ଘୁ.ଉଦୟଗିରି ବ୍ଲକ୍‌ର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଶ୍ରମିକ ଏବେ ବି ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସିତ ହେଉଛନ୍ତି। ସେହିପରି ତିନିଦିନ ତଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୪ ଶ୍ରମିକ କାମଧନ୍ଦା ଖୋଜି ଠକଙ୍କ ହାବୁଡ଼ରେ ପଡ଼ି ମୁଣ୍ଡଜାମିନ ରହିବା ଓ ଘର ଲୋକେ ଫୋନ୍‌ ପେ’ରେ ୮୦ ହଜାର ଟଙ୍କା ପଠାଇବା ପରେ ସେମାନେ ସେଠାରୁ ମୁକୁଳି ଗାଁକୁ ଫେରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏଭଳି ପ୍ରତିଦିନ କେଉଁଠି ନା କେଉଁଠି କନ୍ଧମାଳ ଜିଲ୍ଲାର ଯୁବକଯୁବତୀ ବାହାର ରାଜ୍ୟରେ କିଏ ନିର୍ଯାତନାର ଶିକାର ତ କିଏ ମଜୁରି ନ ପାଇ  ଭୋକ ଉପାସ‌ରେ ଗାଁକୁ ଫେରୁଛନ୍ତି। ଏପରିକି ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ଶବ ହୋଇ ଗାଁ’କୁ ଫେରିବା ଘଟଣା କନ୍ଧମାଳରେ ଏବେ ନିତିଦିନିଆ ଖବର ହୋଇଛି।