ରାଉରକେଲା: ଓଡ଼ିଶାର ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ର ( ପ୍ଲେସ୍‌ ଅଫ୍‌ ସେଫ୍‌ଟି) ସମ୍ପୂର୍ଣ୍ଣ ଅସୁରକ୍ଷିତ। ବିଭିନ୍ନ ଅପରାଧ ମାମଲାର ଅଭିଯୁକ୍ତଙ୍କ କାରନାମା ଯୋଗୁ ଏହି କେନ୍ଦ୍ର ଚର୍ଚ୍ଚାରେ ରହିଆସିଛି।  

Advertisment

ଅନ୍ତେବାସୀ କେତେବେଳେ କାହାର ବେକ, ହାତ କାଟି ପକାଉଛନ୍ତି ତ ପୁଣି ଅନ୍ୟ କାହାକୁ ପ୍ରାଣାନ୍ତକ ଆକ୍ରମଣ କରି ଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଛନ୍ତି। ଗତ ତିନି ମାସରେ ମଧ୍ୟରେ ନିର୍ଯାତନା ସହି ନ ପାରି ଦୁଇ ଅନ୍ତେବାସୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନିଶା ସେବନ କରିବାକୁ ଟଙ୍କା ନଦେବାରୁ ଜଣଙ୍କର ବେକ ଓ ହାତକୁ କାଟି ପକାଇଥିଲେ।

ଏତିକିରେ ଏମାନଙ୍କର କାଣ୍ଡ ସରିନି। ଏହି କେନ୍ଦ୍ର ଭିତରେ ଯୁବତୀଙ୍କ ସହ ମିଶି ମୋବାଇଲରେ ‘ହାତ ମେରା ଥାମ୍‌ ଲୋ, ସାଥ୍‌ ଜବ୍‌ ତକ୍‌ ‌‌ହୌ...’ ଗୀତରେ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ପୁଣି ପରେ ଡିଲିଟ୍‌ କରିଦେଉଛନ୍ତି।

ରିଲ୍ସ କରୁଛନ୍ତି ଅନ୍ତେବାସୀ

ସେମିତି କିଛି ଅନ୍ତେବାସୀ ଏକାଠି ‌ହୋଇ ନିଜକୁ ଜଣେ ଜଣେ  ଡନ୍‌ ପ୍ରତିପାଦନ କରିବାକୁ ବିଭିନ୍ନ ହିନ୍ଦୀ ଗୀତରେ ରିଲ୍ସ କରୁଛନ୍ତି। ଦୁଇଟି ରିଲ୍‌ସ, ସିସି ଟିଭିରେ କଏଦୀ ସୁରକ୍ଷା ଦାୟିତ୍ବରେ ଥିବା ଯୁବତୀ ଓ ଅନ୍ତେବାସୀଙ୍କ ଭିନ୍ନ ଚିତ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ବେ ସେଲ୍‌ ଭିତରକୁ କିପରି ମୋବାଇଲ ଯାଉଛି, କେଉଁମାନେ ଏମାନଙ୍କୁ ଅନୁମତି ଦେଉଛନ୍ତି,ତାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକ।

ଗୃହରକ୍ଷୀଙ୍କୁ ଖାତିର ନାହିଁ

ଓଡ଼ିଶାର ୩୦ ଜିଲ୍ଲାରେ ସଂଘଟିତ ବିଭିନ୍ନ ଅପରାଧରେ ଆସି ପ୍ରାୟ ୯୫ରୁ ଅଧିକ ଅନ୍ତେବାସୀ ଏଠାରେ ରହୁଛନ୍ତି। ଏମାନଙ୍କ ସୁରକ୍ଷା ଦାୟିତ୍ବରେ ପୁଲିସ ନୁହେଁ, ଗୃହରକ୍ଷୀମାନେ ରହିଛନ୍ତି। 

ସେମାନଙ୍କୁ ଅନ୍ତେବାସୀମାନେ ଆଦୌ ଖାତିର କରୁନାହାନ୍ତି। ଓଲଟା ଜୀବନରୁ ମାରିଦେବାକୁ ଧମକଚମକ ଦେଇଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କହିଛନ୍ତି, ସେମାନଙ୍କ ଫଟୋ ବାହାରକୁ ଆସିବା କଥା ନୁହେଁ। କିଛି ମାସ ପୂର୍ବରୁ ପୂଜାରେ ଯୁବତୀ ଓ ଜଣେ ଅନ୍ତବାସୀ ରିଲ୍‌ସ ବନାଇ ସୋସିଆଲ ମିଡିରେ ଛାଡ଼ିଦେଇଥିଲେ। ଜଣାପଡ଼ିବା ପରେ ଡିଲିଟ୍‌ କରାଯାଇଥିଲା। ପାନପୋଷ ଉପଜିଲ୍ଲାପାଳ ଏହାର ତଦନ୍ତ ମଧ୍ୟ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ। କିଛି ଅନ୍ତେବାସୀଙ୍କ ମୋବାଇଲ ଜବତ ହୋଇଥିଲା। ପୁଣି ଏମିତି ହେବା ଆଶ୍ଚର୍ଯ୍ୟ ଲାଗୁଛି। ନିଶ୍ଚିତ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ରିପୋର୍ଟ: ମଳୟ ରଞ୍ଜନ ସାହୁ