ଶିଶୁକନ୍ୟାଙ୍କ ପାଇଁ ସୁରକ୍ଷା କବଚ ଆପ୍‌

ଦେବଗଡ଼ : ଶିଶୁ କନ୍ୟାମାନଙ୍କ ସୁରକ୍ଷା ପାଇଁ ଦେବଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ‘ସୁରକ୍ଷା କବଚ ମୋବାଇଲ ଆପ୍‌’ ପ୍ରସ୍ତୁତ କରାଯାଇଛି। ଗତକାଲି ୭୪ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ଏହାକୁ ଲୋକାର୍ପଣ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।

ସୂଚନା ଅନୁସାରେ, ଏହି ଆପ୍‌ ପୁଅ ଅନୁପାତରେ କେତେ ଝିଅ ଜନ୍ମହେଲେ, କେଉଁ ଅଞ୍ଚଳରେ କନ୍ୟା ସନ୍ତାନ ଜନ୍ମ ହାର କମ୍‌, ସ୍କୁଲରେ କେତେଜଣ ଝିଅ କେଉଁ କାରଣ ପାଇଁ ଅନୁପସ୍ଥିତ ରହୁଛନ୍ତି, କେତେ ଝିଅ ଉଚ୍ଚଶିକ୍ଷାରୁ ବଞ୍ଚିତ ଅଛନ୍ତି, କେଉଁ ଝିଅମାନେ ବାଲ୍ୟ ବିବାହ, ଯୌନ ନିର୍ଯାତନା, ଶିଶୁଚାଲାଣ ଭଳି ବିପଦସଙ୍କୁଳ ସ୍ଥିତିରେ ଅଛନ୍ତି, ସେସମ୍ପର୍କରେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ସୂଚାଇ ଦେବ। ଏହାକୁ ଭିତ୍ତିକରି ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିପାରିବେ। ଯଦି ବିଭାଗୀୟ ଅଧିକାରୀ ଠିକ୍‌ ସମୟରେ ଶିଶୁକନ୍ୟାକୁ ବିପଦରୁ ମୁକ୍ତି ପାଇଁ ଉଚିତ୍‌ ପଦକ୍ଷେପ ନ ନିଅନ୍ତି, ତେବେ ଏ ଆପ୍‌ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଏସ୍‌ପି ପ୍ରମୋଦ ରଥ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର