ଅର୍କକ୍ଷେତ୍ରରେ ବଢ଼ୁଛି ସୁରକ୍ଷା ଚିନ୍ତା: ଥାନାରେ ନାହାନ୍ତି ଆବଶ୍ୟକ କର୍ମଚାରୀ

ପାଟ୍ରୋଲିଂ ପାଇଁ ନାହିଁ ପର୍ଯ୍ୟାପ୍ତ ଭ୍ୟାନ୍‌

ଅର୍କକ୍ଷେତ୍ରରେ ବଢ଼ୁଛି  ସୁରକ୍ଷା ଚିନ୍ତା: ଥାନାରେ ନାହାନ୍ତି ଆବଶ୍ୟକ କର୍ମଚାରୀ

କୋଣାର୍କ: ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସହର କୋଣାର୍କରେ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟାରେ ପୁଲିସ କର୍ମଚାରୀ ନାହାନ୍ତି। କୋଣାର୍କକୁ ବିଶ୍ବସ୍ତରୀୟ ସହରରେ ପରିଣତ କରାଯିବା ଲକ୍ଷ୍ୟରେ ଏବେ ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟ ଚାଲୁଛି। କିନ୍ତୁ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଭାଗା ବେଳାଭୂମି ଓ ବିଶ୍ବଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାର୍ଶ୍ବକ ବିକାଶ ପାଇଁ ବହୁମୁଖୀ ବିକାଶ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା କୋଣାର୍କର ବହୁମୁଖୀ ବିକାଶ ଯୋଜନା ଘୋଷଣାରେ ଆଇନଶୃଙ୍ଖଳା ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦିଗକୁ ନେଇ କୌଣସି ଘୋଷଣା କରାଯାଇନାହିଁ। ତେବେ ପର୍ଯ୍ୟଟକ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କିଏ ସୁରକ୍ଷା ଯୋଗାଇବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୋଣାର୍କ ସମେତ ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଆବଶ୍ୟକତା ଅନୁଯାୟୀ ପୁଲିସ କର୍ମଚାରୀ ନାହାନ୍ତି।

ବେଳାମାର୍ଗରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୪ ଅକ୍ଟୋବରରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା। ମାତ୍ର ଏହି ଥାନା ପାଇଁ ଆବଶ୍ୟକ କର୍ମଚାରୀ ସରକାର ଆଜି ପର୍ଯ୍ୟନ୍ତ ଯୋଗାଇ ପାରିନାହାନ୍ତି। ନବକଳେବର ସମୟରେ ଜଳପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଏହି ଥାନାକୁ ଦୁଇଟି ବୁଲେଟ୍‌ ପ୍ରୁଫ୍‌ ବୋଟ୍‌ ଯୋଗାଇ ଦିଆଯାଇଥିବା ବେଳେ ୧୯ ଜଣ ଟେକ୍ନିକାଲ୍‌ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ଏବେ ବୋଟ୍‌ ଦୁଇଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଥିବା ବେଳେ ଉକ୍ତ ୧୯ ଜଣ ଟେକ୍ନିକାଲ୍‌ କର୍ମଚାରୀଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏବେ କୋଣାର୍କ ଥାନାରେ ଜଣେ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ତିନିଜଣ ଏଏସ୍‌ଆଇ କାର୍ଯ୍ୟ କରୁଥିବା ବେଳେ ଆବଶ୍ୟକତା ଓ ସ୍ଥିରୀକୃତ ଦୃଷ୍ଟିକୋଣରୁ ଏମାନଙ୍କ ସଂଖ୍ୟା ବହୁତ କମ୍‌ ରହିଛି। ସେହିଭଳି ଭାବେ ରାମଚଣ୍ଡୀ ଥାନାରେ ବର୍ତ୍ତମାନ ଜଣେ ଇନ୍ସପେକ୍ଟର ସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ସମୟରେ କୋଣାର୍କ ଚନ୍ଦ୍ରଭାଗା ଭଳି ଥାନା ଭଳି ଏହି ଥାନାରେ ଏସ୍‌ଆଇ, ଏଏସ୍‌ଆଇ, କନେଷ୍ଟବଳ, ହାବିଲଦାରଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ଏହି ତିନିଟି ଥାନାରେ ସରକାରୀ ଘୋଷଣାନାମା ଅନୁଯାୟୀ କର୍ମଚାରୀ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe