ବାରିପଦା: ରାମେଶ୍ବର ମାଇତି। ଡାକ ନାଁ ରାମିଆ। ବୟସ ୬୧ ଚାଲିଛି। ବାରିପଦାରେ ତାଙ୍କୁ ସମସ୍ତେ ଶାଗ ମଉସା ବୋଲି ଜାଣନ୍ତି। ତାଙ୍କର ଚାଷଜମି ବେଶୀ ନାହିଁ। ହେଲେ ଛୋଟିଆ ଜାଗାରେ ଶାଗ ଚାଷ କରି ସେ ମାସକୁ ରୋଜଗାର କରୁଛନ୍ତି ୧୫ ହଜାର ଟଙ୍କା। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଖାଣ୍ଡିଆ ପଞ୍ଚାୟତ କେନ୍ଦୁଆଡିହି ଗାଁ’ରେ ରାମେଶ୍ବରଙ୍କ ଘର। ତାଙ୍କର ୪ ଜଣ ଝିଅ। ସମସ୍ତଙ୍କ ବାହାଘର ହୋଇଯାଇଛି। ପୁଅ ନଥିବାରୁ ବଡ଼ ଜ୍ବାଇଁ ମଝିରେ ମଝିରେ ଆସି ରାମେଶ୍ବର ଓ ତାଙ୍କ ପତ୍ନୀଙ୍କ ଭଲମନ୍ଦ କଥା ବୁଝୁଛନ୍ତି। ଜମିବାଡ଼ି ବେଶୀ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ରୋଜଗାର ପନ୍ଥା ବି ନାହିଁ। ୨୦ ବର୍ଷ ପୂର୍ବେ ସେ ନିଜ ଛୋଟ ଜମିରେ ପରୀକ୍ଷାମୂଳକ ଭାବେ ବିଭିନ୍ନ କିସମର ଶାଗ ଫସଲ କରିଥିଲେ। ମାସକ ପରେ ଶାଗ ବଡ଼ ହେଲା। ରାମେଶ୍ବର ଘର ପାଇଁ କିଛି ରଖିଲେ। ବାକିତକ ଶାଗକୁ ବଜାରେ ବିକ୍ରି କଲେ। ଏଥିରୁ କିଛି ଟଙ୍କା ମିଳିଲା। ଯାହାକୁ ନେଇ ରାମେଶ୍ବର ଓ ପତ୍ନୀ ଖୁସି ହୋଇଥିଲେ। ତା’ପରେ ବଗିଚାରେ ଅଧିକ ଶାଗ ଫସଲ କରିବାକୁ ସେମାନେ ପ୍ରସ୍ତୁତ ହେଲେ। ବଜାରରୁ ମଞ୍ଜି କିଣି ଶାଗ ଚାଷ କଲେ। ମାସକରେ ଶାଗ ଖାଇବା ଭଳି ହେଲା। ରାମେଶ୍ବର ସାଇକଲ୍ରେ ବାରିପଦା ବଜାର ଆସି ଶାଗ ବିକ୍ରି କଲେ। ସେବେଠାରୁ ତାଙ୍କର ଶାଗ ବେପାର ଆରମ୍ଭ ହୋଇଗଲା। ଏବେ ବେପାର ୧୫ ବର୍ଷରେ ପହଞ୍ଚିଛି। ରାମେଶ୍ବରଙ୍କ ଶାଗର ଭିନ୍ନ ସ୍ବାଦ ଥିବାରୁ ଲୋକମାନେ ନେବାକୁ ଭିଡ଼ ଜମାନ୍ତି। ତାଙ୍କୁ ସମସ୍ତେ ଶାଗ ମଉସା ଭାବେ ଜାଣନ୍ତି। ବିକ୍ରିର ୨ରୁ ୩ ଘଣ୍ଟା ମଧ୍ୟରେ ଶାଗ ସବୁ ସରିଯାଏ। ଶାମ ବିକି ଆଗରୁ ମାସକୁ ୮ରୁ ୧୦ ହଜାର ଟଙ୍କା ଲାଭ ମିଳୁଥିଲା। ଏବେ ୧୫ ହଜାର ଟଙ୍କା ଲାଭ ହେଉଛି। ସେଥିରେ ପରିବାର ଭଲରେ ଚଳୁଛି ବୋଲି ରାମେଶ୍ବର କହିଛନ୍ତି। ବେକାର ଯୁବଯୁବତୀ ଚାକିରି ପଛରେ ନଗୋଡ଼ାଇ ଚାଷ କଲେ ଯେ ଆତ୍ମନିର୍ଭରଶୀଳ ହୋଇପାରିବେ, ଏକଥାକୁ ରାମେଶ୍ବର ପ୍ରମାଣିତ କରିଛନ୍ତି।