ମୁନିଗୁଡ଼ା: ମୃତ ସ୍ୱାମୀଙ୍କୁ ଦୁଇ ବର୍ଷ ପରେ ଜୀବନ୍ତ କରିଦେଲେ ପତ୍ନୀ। ସ୍ୱାମୀଙ୍କ ଅବିକଳ ସିଲିକନ୍ ପ୍ରତିମୂର୍ତ୍ତି ତିଆରି କରି ପ୍ରାଣ ପ୍ରତିଷ୍ଠା କରିବା ସହ ମଥାରେ ପୁଣି ଥରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧିଛନ୍ତି। ବ୍ରାହ୍ମଣ ଡାକି ହିନ୍ଦୁ ରୀତିନୀତିରେ ପୂଜାର୍ଚ୍ଚନା ବି କରିଛନ୍ତି। ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ପରେ ଏଣିକି ସବୁଦିନ ପୂର୍ବ ଭଳି ସ୍ବାମୀଙ୍କ ସହ କଟାଇବେ ବୋଲି କହିଛନ୍ତି ସ୍ତ୍ରୀ ସାଗରିକା ରାୟ। ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ନିଆରା ପ୍ରେମର ଏପରି ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ।
ପଶ୍ଚିମବଙ୍ଗର ମୂଳ ବାସିନ୍ଦା ସମୀର ରାୟ। ବୃତ୍ତିରେ ଡାକ୍ତର। ୪୦ ବର୍ଷ ଧରି ମୁନିଗୁଡ଼ାରେ ରହି ଘରୋଇ କ୍ଲିନିକ୍ରେ ରୋଗୀ ସେବା କରି ଆସୁଥିଲେ। ସ୍ତ୍ରୀ ସାଗରିକାଙ୍କ ସମେତ ପୁଅଝିଅକୁ ନେଇ ଚାଲିଥିଲା ତାଙ୍କର ସୁଖୀ ସଂସାର। ୨୦୨୩ରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ସମୀର। ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସମୀର। ସ୍ବାମୀଙ୍କ ବିୟୋଗକୁ ସହ୍ୟ କରିପାରିନଥିଲେ ସ୍ତ୍ରୀ ସାଗରିକା। ସେପଟେ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୁଅଝିଅ। ଅନ୍ତିମ ସଂସ୍କାର ସହ ଶୁଦ୍ଧିକ୍ରିୟା, ପ୍ରଥମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ପରେ ବି ମନ ବୁଝୁନଥିଲା
ସାଗରିକାଙ୍କର। ଏତେ ବଡ଼ ଘର ଭିତରେ ସମୀରଙ୍କ ବିନା ଅସହାୟ ମନେ କରୁଥିଲେ। ପ୍ରତି ମୁହୂର୍ତ୍ତରେ ବାପାଙ୍କୁ ଝୁରିଥିଲେ ପୁଅଝିଅ। ଶେଷରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନ କରିବାକୁ ଇଚ୍ଛା କରିଥିଲେ ସାଗରିକା। ସିଲିକନ୍ ପ୍ରତିମୂର୍ତ୍ତି ତିଆରି କରିବାକୁ ସଂକଳ୍ପ କରିଥିଲେ। ଏଥିପାଇଁ ଧାରକରଜ କରିବା ସହ ନିଜ ସୁନାଗହଣା ମଧ୍ୟ ବିକ୍ରି କରିଛନ୍ତି। ସୋଫା ଉପରେ ବସିଥିବା ସମୀରଙ୍କ ସିଲିକନ୍ ପ୍ରତିମୂର୍ତ୍ତି ନିର୍ମାଣ ପରେ ବର୍ତ୍ତମାନ ପୂର୍ଣ୍ଣତା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ସ୍ତ୍ରୀ ସାଗରିକା ଓ ପୁଅଝିଅ। ପ୍ରତିମୂର୍ତ୍ତିରେ ମୁନିଗୁଡ଼ାର ପୁରୋହିତ ନିକୁଞ୍ଜ ଶତପଥୀ ମନ୍ତ୍ରପାଠ ମାଧ୍ୟମରେ ପ୍ରାଣ ପ୍ରତିଷ୍ଠା କରିଛନ୍ତି।