ଚମକିଲେ ଅଟୋଚାଳକଙ୍କ ଝିଅ: ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ସାଗରିକା ପ୍ରଥମ

ହୀରାକୁଦ: ଆଇଟିଆଇ ହୀରାକୁଦର ଛାତ୍ରୀ ସାଗରିକା ବକଲି ସମଗ୍ର ଭାରତରେ ଅଣପାରମ୍ପରିକ(ଇଲେକ୍ଟ୍ରିସିଆନ୍) ଟ୍ରେଡ୍‌ରେ ଚମକିଛନ୍ତି। ସେ ୯୮ପ୍ରତିଶତ ମାର୍କ ସହିତ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ହୀରାକୁଦର ଚକ୍ରବର୍ତ୍ତୀ ପଡ଼ାର ବାସିନ୍ଦା କୁମାରୀ ବକଲିଙ୍କ ବାପା ଥୋମାସ୍‌ ବକଲି ଜଣେ ଅଟୋଚାଳକ ଏବଂ ମାଆ ପାର୍ବତୀ ଗୃହିଣୀ ଅଟନ୍ତି। ବୈଷୟିକ ଶିକ୍ଷାରେ ଆହୁରି ଆଗକୁ ବଢ଼ିବା ସହିତ ଭବିଷ୍ୟତ ଜୀବନରେ ସେ ଜଣେ ଭଲ ଯନ୍ତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ହୀରାକୁଦ ଆଇଟିଆଇରୁ ବୀରେନ୍ଦ୍ର ସେଠ୍ ସର୍ବଭାରତୀୟ ପରୀକ୍ଷାରେ ମେସିନିଷ୍ଟ ଟ୍ରେଡରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଚଳିତ ବର୍ଷ ସାଗରିକା ପୁଣି ଶୀର୍ଷ ସ୍ଥାନ ଦଖଲ କରି ହୀରାକୁଦ ଆଇଟିଆଇର ଗୌରବ ବୃଦ୍ଧି କରିଛନ୍ତି। ସେ ସମସ୍ତ ଝିଅମାନଙ୍କୁ କୁଶଳୀ ହେବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ବାର୍ତ୍ତା ଦେଇଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସାଗରିକା ନିଜ ପିତାମାତା ଓ ଶିକ୍ଷକମାନଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର