ସାଗରିକାଙ୍କୁ କେନ୍ଦୁଝର ଜିଲ୍ଲାପରିଷଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାପରିଷଦ ସଭାପତି ହେଲେ ବିଜେଡିର ସାଗରିକା ସାହୁ। ୩୧ ନମ୍ବର ଜୋନ୍‌ରୁ ନିର୍ବାଚିତ ହୋଇଥିବା ସାଗରିକାଙ୍କ ସପକ୍ଷରେ ମୋଟ ୩୩ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିରୋଧୀ ବିଜେପି ପ୍ରାର୍ଥୀ ମାତ୍ର ୩ଟି ଭୋଟ ପାଇଥିଲେ। କେନ୍ଦୁଝର ଜିଲ୍ଲାର ମୋଟ ୩୭ଟି ଜିଲ୍ଲାପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ହୋଇଥିଲା। ୮ ନମ୍ବର ଜୋନ୍‌ରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସେଠାରେ ନିର୍ବାଚନ ବନ୍ଦ ଥିଲା। ନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ୩୩ଟି ଜୋନ୍‌‌ରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୩ଟି ଜୋନ୍‌କୁ ନିଜ କବ୍‌ଜାକୁ ନେଇଥିଲା।

ରବିବାର ଜିଲ୍ଲାପରିଷଦ ସଭାପତି ନିର୍ବାଚନ ଥିଲା। ଚଳିତ ଥର ପଦବି ଅସଂରକ୍ଷିତ ଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା। ଆଜି ସକାଳେ ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ବନ୍ଦ ଲଫାପାରେ ସାଗରିକା ସାହୁଙ୍କ ନାମ ଆସିବା ପରେ ବିଜେଡିର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍‌ରେ ପହଞ୍ଚିଥିଲେ। ସେଠାରେ ସଭାପତି ପଦବି ପାଇଁ ନିର୍ବାଚନ ହୋଇଥିଲା।  ନିର୍ବାଚନରେ ବିଜଡି ପକ୍ଷରୁ ସାଗରିକା ସାହୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରସ୍ତାବକ ଭାବେ ବିମ୍ବାଧର ବିଶ୍ବାଳ ଏବଂ ସମର୍ଥକ ଭାବେ ଆଶିଷ ଚକ୍ରବର୍ତ୍ତୀ ଥିଲେ। ସେହିପରି ବିଜେପି ପକ୍ଷରୁ ୩ ନମ୍ବର ଜୋନ୍‌ର ଅସୀମା ମିଶ୍ର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜେଡିର ସାଗରିକା ସାହୁ ୩୩ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଅସୀମା ମିଶ୍ର ମାତ୍ର ୩ ଖଣ୍ଡ ଭୋଟ ପାଇଥିଲେ। ସାଗରିକାଙ୍କୁ ବିଜେତା ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର